ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୧୯ ଲୋକସଭା ନିର୍ବାଚନ ପାଇଁ କେନ୍ଦ୍ର ବିଜେପି ସୋମବାର ସଂକଳ୍ପ ପତ୍ର ଜାରି କରିଛି। ଏହି ସଂକଳ୍ପ ପତ୍ରର ନାମ ରହିଛି “ସଂକଳ୍ପିତ ଭାରତ ଓ ସଶକ୍ତ ଭାରତ”।
୪୮ ପୃଷ୍ଠା ବିଶିଷ୍ଟ ଏହି ସଂକଳ୍ପପତ୍ରରେ ବିଜେପି ଅନେକ ପ୍ରତିଶ୍ରୁତି ଦେଇଛି। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏଥର ଇସ୍ତାହାରରେ ବିଜେପି କ୍ଷୁଦ୍ର ଚାଷୀ ଓ ଗରିବଙ୍କୁ ଅଧିକ ଗୁରୁତ୍ୱ ଦେଇଛି। ୬୦ ବର୍ଷ ପରେ କ୍ଷୁଦ୍ର ଚାଷୀଙ୍କୁ ପେନସନ ଦିଆଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି।
ଏଥିସହ ସବୁଘରକୁ ଶୌଚାଳୟ ଓ ପାଣି ଯୋଗାଇବାକୁ ବିଜେପି ପ୍ରତିଶ୍ରୁତି ଦେଇଛି। ଏହାବ୍ୟତୀତ ଆହୁରି ଅନେକ ପ୍ରତିଶ୍ରୁତି ଦେଇଛି ବିଜେପି। ଏହି ପ୍ରତିଶ୍ରୁତିଗୁଡ଼ିକ ହେଲା, ପ୍ରତ୍ୟେକ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଦିଆଯିବ। ବ୍ୟବସାୟୀଙ୍କ ପାଇଁ ରାଷ୍ଟ୍ରୀୟ ବ୍ୟାପାର ଆୟୋଗ ଗଠନ କରାଯିବ। ୬୦ ବର୍ଷ ପରେ ଦୋକାନିଙ୍କୁ ବି ମିଳିବ ପେନସନ। କିଷାନ କ୍ରେଡିଟ୍ କାର୍ଡରେ ଚାଷୀଙ୍କୁ ୧ ଲକ୍ଷ ଟଙ୍କା ଯାଏଁ ସୁଧ ଛାଡ଼ କରାଯିବ। ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣା ହେବ।
ଇସ୍ତାହାରରେ ଦେଶ ସୁରକ୍ଷାକୁ ବି ଗୁରୁତ୍ୱ ଦେଇଛି ବିଜେପି। ଦେଶର ସୁରକ୍ଷା ସହ ସାଲିସ୍ କରାଯିବନି। ଆତଙ୍କୀ ମାମଲାରେ ସରକାର ଜିରୋ ଟଲରାନ୍ସ ନୀତି ଆପଣେଇବେ। ଏବଂ ଅନୁପ୍ରବେଶ ଉଦ୍ୟମକୁ ରୋକାଯିବ ବୋଲି ବିଜେପି ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦେଇଛି। ସେହିପରି ଶିକ୍ଷା କ୍ଷେତ୍ରରେ ବି ଗୁରୁତ୍ୱ ଦିଆଯାଇଛି। ଲ’ କଲେଜ ଓ ମ୍ୟାନେଜମେଣ୍ଟର ସିଟ୍ ସଂଖ୍ୟା ବଢ଼ାଯିବ ବୋଲି କୁହାଯାଇଛି।।
ଗ୍ରାମୀଣ ବିକାଶ ପାଇଁ ୨୫ କୋଟି ଖର୍ଚ୍ଚ ହେବ। ରାମ ମନ୍ଦିର ନିର୍ମାଣ ସବୁ ସମ୍ଭବ ବିଚାର କରାଯିବ। ସୌହର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ରାମ ମନ୍ଦିର ନିର୍ମାଣ କରାଯିବ। ଲାଣ୍ଡ ରେକର୍ଡକୁ ଡିଜିଟାଲାଇଜେସନ କରାଯିବ। ୫ କିଲୋମିଟର ଭିତରେ ବ୍ୟାଙ୍କ ସେବା ଯୋଗାଇ ଦିଆଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି।।


















