ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଉ ଦିନକ ପରେ ପ୍ରଥମ ପର୍ଯ୍ୟାୟ ଭୋଟ। ଏହାକୁ ନେଇ ଓଡ଼ିଶାରେ ବିଜେପି ଓ ବିଜେଡି ଭିତରେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇଯାଇଛି। ବିଜେଡି ହାତରୁ କ୍ଷମତା ଛଡ଼ାଇ ଆଣି ଓଡ଼ିଶାରେ ସରକାର ଗଠନ ପାଇଁ ବିଜେପି ଉଦ୍ୟମ ଚଳାଇଛି। ଏଥିପାଇଁ କେନ୍ଦ୍ର ନେତାମାନେ ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି।

ବିଜେପିର ପୋଷ୍ଟର ବୟ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଗାତର ତିନି ଥର ଓଡ଼ିଶା ଗସ୍ତରେ ଆସିବା ପରେ ଆଜି ପୁରୀରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ପୁରୀ ଆସି ବିଜେପି କର୍ମୀଙ୍କୁ ଉତ୍ସାହିତ କରିଛନ୍ତି। ବିଶାଳ ରୋଡ ସୋ’ ରେ ସାମିଲ ହୋଇ ଶାହ କର୍ମୀ ଓ ନେତାଙ୍କୁ ବିଜୟ ମନ୍ତ୍ର ଫୁଙ୍କିଛନ୍ତି।

ଅମିତ ଶାହ ପୁରୀରେ ପହଞ୍ଚି ପ୍ରଥମେ ଅରୁଣ ସ୍ତମ୍ଭ ନିକଟରେ ଆଳତୀ କରିଥିଲେ। ଏହାପରେ ମହାପ୍ରଭୁଙ୍କୁ ଦର୍ଶନ କରି ରୋଡ ସୋ’ରେ ସାମିଲ ହୋଇଥିଲେ।

ଶ୍ରୀମନ୍ଦିରରୁ ଆରମ୍ଭ ହୋଇଥିବା ରୋଡ ସୋ’ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଆସିଥିଲା। ଏହି ରୋଡ ସୋ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର, ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ ପୁରୀ ବିଧାନସଭା ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ସାମିଲ ହୋଇଥିଲେ।

ପୁରୀ ଲୋକସଭା ଅଧିନରେ ଥିବା ୭ଟି ଯାକ ବିଧାନସଭା ଆସନରୁ ଶହ ଶହ ବିଜେପି କର୍ମୀ ଏବଂ ବିଧାନସଭା ପ୍ରାର୍ଥୀ ମଧ୍ୟ ରୋଡ ସୋ’ରେ ସାମିଲ ହୋଇଥିଲେ।

ପୁରୀ ହେଉଛି ବିଜେଡିର ଗଡ଼। ୨୦୦୯ରୁ ପୁରୀ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ବିଜୟୀ ହୋଇ ଆସୁଛନ୍ତି। ଏଥର ତାଙ୍କୁ କଡ଼ା ଟକ୍କର ଦେବା ପାଇଁ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ବିଜେପି ମଇଦାନକୁ ଓହ୍ଲାଇଛି।

ପୁରୀରେ ବିଜେପିକୁ ଜବରଦସ୍ତ ବିଜୟ ଦେବା ପାଇଁ ଅମିତ ଶାହ ପୁରୀ ଆସିଥିବା କୁହାଯାଉଛି।

Comment