ଓଡ଼ିଶାଲାଇଭ୍‌ ବ୍ୟୁରୋ

(ନବରଙ୍ଗପୁରରୁ କୁନା ପାତ୍ର) ୨୬ ନମ୍ବର ଜାତୀୟ ରାଜପଥର କଡ଼ରେ ତଥା ନବରଙ୍ଗପୁରର ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରରୁ ୩ଲକ୍ଷରୁ ଅଧିକ ଟଙ୍କାର ସୁନା ଏବଂ ରୂପା ଅଳଙ୍କାରର ଚୋରିକୁ ଏକବର୍ଷ ବିତିଲା। ଚୋରି ସମ୍ପର୍କିତ ସିସିଟିଭି ଫୁଟେଜ଼ ସ୍ଥାନୀୟ ପୋଲିସର ହସ୍ତଗତ ହୋଇଥିଲେ ମଧ୍ୟ ଚୋର କିମ୍ବା ଚୋରି ସାମଗ୍ରୀ ଆଜି ଯାଏଁ ଠାବ ହୋଇ ପାରିଲାନାହିଁ।

ପ୍ରତ୍ୟେକ ଦିନ ସଞ୍ଜ ସକାଳେ ଶହ ଶହ ଭକ୍ତ ପ୍ରଭୁ ଜଗନ୍ନାଥ, ମା’ ଲଷ୍ମୀଙ୍କୁ ଆରାଧନା କରୁଥିବା ବେଳେ ପୋଲିସର ଅପାରଗତା ଏବଂ ସମସ୍ତ ପ୍ରମାଣ ଥାଇ ମଧ୍ୟ ପୋଲିସ ଲୁଟେରାଙ୍କ ପାଖରେ ପହଞ୍ଚିପାରିନଥିବାରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ଦକ୍ଷତା ପ୍ରତି ସାଧାରଣରେ ସନ୍ଦେହ ଉଙ୍କି ମାରୁଛି ।

ଠିକ ଆଜିର ଦିନରେ ଚୋର ଜଗନ୍ନାଥ ଏବଂ ମା’ ଲଷ୍ମୀଙ୍କ ମନ୍ଦିରରେ କଳାକନା ବୁଲାଇଥିଲେ। ସବୁଦିନପରି ୨୦୧୮ ଏପ୍ରିଲ ୯ତାରିଖ ରାତିରେ ଜଗନ୍ନାଥଙ୍କ ପୂଜକ ଶେଷଦେଵ ବ୍ରହ୍ମା , ଜଗନ୍ନାଥ ବ୍ରହ୍ମା ଓ ମହଲଷ୍ମୀଙ୍କ ପୂଜକ ରବୀନ୍ଦ୍ର ଶତପଥୀ ଠାକୁରଙ୍କ ନୀତି ସମ୍ପନ୍ନ କରି ପହଡ଼ ପକାଇ ଘରକୁ ଯାଇଥିଲେ।

ସେହିଦିନ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ମନ୍ଦିରର ତାଲା ଭାଙ୍ଗି ଭିତରେ ପଶିଥିଲେ। ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ଅନୁସାରେ ପ୍ରଥମେ ସେମାନେ ମହଲଷ୍ମୀ ମନ୍ଦିରରେ ପଶି ମା’ ଙ୍କ ଲାଗିଥିବା ସବୁ ସୁନା ଓ ରୁପା ଅଳଙ୍କାର ଲୁଟିନେଇଥିଲେ। ଏହାପରେ ଦୁର୍ବୃତ୍ତମ।ନେ ଜଗନ୍ନାଥଙ୍କ ଭଣ୍ଡାର ଗୃହକୁ ପଶିଥିଲେ। ସେଠାରେ ଜ଼ ଆଲମାରୀ ଭାଙ୍ଗି ସୁନା ଅଳଙ୍କାର ସହିତ ବଡ଼ ବଡ଼ ରୁପା ଥାଳି ସବୁକୁ ଲୁଟି ନେଇଥିଲେ।

ମନ୍ଦିର ଲୁଟ ଖବର ବିଜୁଳିବେଗରେ ସାରା ସହରରେ ପ୍ରଚାର ହୋଇଯାଇଥିଲା। ପ୍ରଥମେ ମନ୍ଦିର ପୂଜକଙ୍କ ଅଭିଯୋଗକୁ ଆଧାରକରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ଜଗନ୍ନାଥ ମନ୍ଦିରର ନୀତି ପରିଚାଳନା ନିଯୋଗ କମିଟି ସିସିଟିଭି ଫୁଟେଜ଼ ପୋଲିସକୁ ହସ୍ତାନ୍ତର କରିଥିଲା।

ଭକ୍ତଙ୍କ ଭାବାବେଗ ଓ ଜନଅସନ୍ତୋଷ ତୀବ୍ର ହେବା ଜାଣି ପୋଲିସ ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ପାଇଁ ତତକ୍ଷଣାତ ତତ୍‌ପରତା ପ୍ରକାଶ କରିଥିଲା। ହେଲେ ବର୍ତ୍ତମାନ ସୁଦ୍ଧା ପୋଲିସ ଅଭଯୁକ୍ତ ମାନଙ୍କୁ ଠାବ କରିପାରିଲ।ନାହିଁ।

ତତ୍କାଳୀନ ନବରଙ୍ଗପୁର ଥାନା ଅଧିକାରୀ ତଥା ଏହି ଲୁଟ ଘଟଣାର ତଦନ୍ତ ଅଧିକାରୀ ତାରିକ ଅହମ୍ମଦ ଏବଂ ତତ୍କାଳୀନ ନବରଙ୍ଗପୁର ଏସପି ବିବେକାନନ୍ଦ ଶର୍ମାଙ୍କ ଏହି ମଧ୍ୟରେ ବଦଳି ହୋଇସାରିଛି। ତତ୍କାଳୀନ ଥାନା ଅଧିକାରୀ ତାରିକ ଅହମ୍ମଦ ଏହି ଲୁଟ ଘଟଣାର ତଦନ୍ତ ବହୁ ଗୁରୁତର ସହିତ ଚଳେଇଥିବା ସମୟରେ ତାଙ୍କର ବଦଳି ହୋଇଯାଇଥିଲା।

ତାଙ୍କ ବଦଳି ପରେ ନବରଙ୍ଗପୁରରେ ଦୁଇ ଦୁଇ ଜଣ ନୂତନ ଥାନା ଅଧିକାରୀ ଏବଂ ଜଣେ ଏସପି କାର୍ଯ୍ୟରେ ଯୋଗ ଦେଇଥିଲେ ମଧ୍ୟ ଏହି ଲୁଟ ଘଟଣାର ତଦନ୍ତ ଆଗକୁ ଯାଇପାରୁନାହିଁ।

ଏହି ଲୁଟ ଘଟଣା ସମ୍ପର୍କରେ ନବରଙ୍ଗପୁରର ରାଜପୁରୋହିତ ନରସିଂହ ତ୍ରିପାଠୀ ଏବଂ ପୂଜକ ରବୀନ୍ଦ୍ର ଶତପଥି ଏବଂ ମନ୍ଦିର ନିଯୋଗର ସମ୍ପାଦକ କୁନା ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସେମାନେ ବହୁବାର ଥାନାକୁ ଏସପିଙ୍କ ପାଖକୁ ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଲାନାହିଁ । ପ୍ରତିଥର ମନ୍ଦିରର ଲୁଟ ଘଟଣାର ତଦନ୍ତ ଚାଲିଛି ବୋଲି କହୁଛନ୍ତି ନବରଙ୍ଗପୁରର ଥାନା ଅଧିକାରୀ ।

କେବେ ପୋଲିସ୍‌ ଚୋରଙ୍କୁ ଧରିବାରେ ସଫଳ ହେବେ ସେ ନେଇ ଆଶା ବାନ୍ଧି ବସିଛନ୍ତି ଲୋକେ।

LEAVE A REPLY

Please enter your comment!
Please enter your name here