ଓଡ଼ିଶାଲାଇଭ୍ ବ୍ୟୁରୋ

ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ କରିବା ପୂର୍ବରୁ ମାଓବାଦୀଙ୍କ ବର୍ବରକାଣ୍ଡ। ଫୁଲବାଣୀରେ ମାଓବାଦୀମାନେ ଜଣେ ମହିଳା ପୋଲିଂ ସୁପରଭାଇଜରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ପୋଲିଂ କର୍ମଚାରୀଙ୍କ ନାଁ ହେଉଛି ସଂଯୁକ୍ତା ଦିଗଲ। ପୋଲିଂ ବୁଥ୍କୁ ଯାଉଥିବା ସମୟରେ ବାଟରେ ମାଓବାଦୀମାନେ ସଂଯୁକ୍ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି।
ଫୁଲବାଣୀ ଗୋଛାପଡ଼ା ଥାନା ଅନ୍ତର୍ଗତ ବାରାଲା ଗାଁ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା। ଅନ୍-ଡ୍ୟୁଟି ପୋଲିଂ ସୁପରଭାଇଜର ସଂଯୁକ୍ତା ନିଜ ସହ କର୍ମଚାରୀଙ୍କ ସହ ପୋଲିଂ ବୁଥ୍କୁ ଯାଉଥିଲେ। ବାରାଲା ଗାଁ ନିକଟ ରାସ୍ତା ଦେଇ ଯିବା ସମୟରେ ପାଖ ଜଙ୍ଗଲରେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା।

ଏହାକୁ ଦେଖି ସଂଯୁକ୍ତା ଗାଡ଼ିରୁ ଓହ୍ଲାଇଥିଲେ। ଏହା ପରେ ମାଓବାଦୀଙ୍କ ଆଖିବୁଜା ଗୁଳିମାଡରେ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ ସଂଯୁକ୍ତା। ଏହି ଘଟଣାରେ ସଂଯୁକ୍ତାଙ୍କ ସହ କର୍ମଚାରୀମାନେ ଗାଡ଼ିଭିତରେ ଥିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।
ମୁଣ୍ଡରେ ଗୁଳି ବାଜିଥିବାରୁ ଗୁରୁତର ଅବସ୍ଥାରେ ସଂଯୁକ୍ତାଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଆସନ୍ତାକାଲି କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ହେବ।


















