ଦାଶ ବେନହୁର

madhubabu

‘‘ଇତିହାସ ତୂରୀ      ଜଗତେ ଘୋଷୁଛି

ମୋର ସୁତଙ୍କର ଯଶ,

ତାଙ୍କର ବଂଶଜ       ଘୃଣିତ ଓଡ଼ିଆ

ଏହା ମୋ କପାଳ ଦୋଷ।

ବହୁକାଳ ଧରି        ରୋଦନ କରୁଛି

ନୟନକୁ ଦିଶୁନାହିଁ,

ମୋହର ସନ୍ତାନ      କତିକି ଆସିଲେ

ଅଣ୍ଡାଳି ଚିହ୍ନିବି ମୁହିଁ।’’

ଏ ଦୁଇପଦ ଗୀତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରାଣ-ନିଗିଡ଼ା ଗୀତ ‘ଜନନୀର ଭକ୍ତି’ରୁ ଉଦ୍ଧାର କରାଯାଇଛି। ମାତ୍ର ସାତଗୋଟି ଗୀତ ଲେଖିଥିଲେ ସେ। ସେଥିରୁ ଛଅଗୋଟି ଗୀତରେ ଓଡ଼ିଆ ସ୍ୱାଭିମାନକୁ ନେଇ ତାଙ୍କର ଅନ୍ତରାତ୍ମା କାନ୍ଦି ଉଠିଥିବାର ଛବି ଛତ୍ରେ ଛତ୍ରେ ପ୍ରତିଫଳିତ।

ଓଡ଼ିଶାର ଉତ୍କଳ-କଳିଙ୍ଗ ମାଟି ମଧୁସୂଦନଙ୍କ ପୂର୍ବରୁ ଥିଲା ଏବଂ ଏବେ ବି ଅଛି। ଓଡ଼ିଆ ଭାଷା, ତାଙ୍କ ଜନ୍ମର ବହୁକାଳରୁ ପ୍ରତିଷ୍ଠା ଲାଭ କରିଥଲା ଏବଂ ଏବେ ମଧ୍ୟ ତା’ର ଜୟଯାତ୍ରା ଅବ୍ୟାହତ। ଓଡ଼ିଆମାନେ ସେବେ ଥିଲେ, ଆଉ ଏବେ ବି ଅଛନ୍ତି। ତେବେ ଓଡ଼ିଶା, ଓଡ଼ିଆ ଓ ଓଡ଼ିଆ-ଭାଷାର ସ୍ୱାଭିମାନକୁ ନେଇ ଯଦି କିଏ ସମଗ୍ର ଇତିହାସରେ ପ୍ରାଣପାତ କରି ଲଢ଼େଇ କରିଥିଲା ତା’ହେଲେ ସେ ହେଉଛନ୍ତି କୁଳବୃଦ୍ଧ ମଧୁସୂଦନ ଦାସ। ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ଭାଷାରେ ସେ ଶତାବ୍ଦୀର ସୂର୍ଯ୍ୟ। ଓଡ଼ିଶା ଇତିହାସରେ, ଓଡ଼ିଆ ସ୍ୱାଭିମାନର ଅଗ୍ରଗଣ୍ୟ ମୁକୁଟ-ମଣିଷ ତଥା ଗୌରବଶ୍ରେଷ୍ଠ ବ୍ୟକ୍ତିତ୍ୱ, ମଧୁସୂଦନ ଦାସ ବା ମଧୁବାବୁ।

Scribbled Lines of Madhubabu showing his relentless love for the Motherland
ମଧୁବାବୁଙ୍କ ହାତଲେଖା କବିତା

ଓଡ଼ିଆ ଅଭିଧାନ-ମାନଙ୍କର ସ୍ୱାଭିମାନ ଶବ୍ଦ ସୁଦ୍ଧା ନାଇଁ। ଦୀର୍ଘ ପରାଧୀନତା କବଳରେ ପଡ଼ି ପରିଚୟ ହରେଇଥିବା ଗୋଟାଏ ଇତିହାସ-ପ୍ରସିଦ୍ଧ ଜାତି ସତକୁ ସତ ତା’ର ଅସ୍ମିତା ହଜେଇ ଦେଇଥିଲା କୁଆଡ଼େ। ଅଭିମାନ ହୁଏତ ଥିଲା, ମାତ୍ର ସ୍ୱାଭିମାନ ନଥିଲା। ସ୍ୱାଭିମାନ ଶବ୍ଦ ସ୍ୱ-ଅଭିମାନକୁ ନେଇ ଗଠିତ। ମାତ୍ର ଏ ‘ସ୍ୱ’ କଥାଟି ବ୍ୟକ୍ତି ଭିତରେ ଆବଦ୍ଧ ନୁହେଁ। ଗୋଟାଏ ଜାତିର ଅଭିମାନକୁ ନେଇ ସ୍ୱାଭିମାନ ଗଢ଼ା। ସ୍ୱାଭିମାନ ହିଁ ଜାତ୍ୟାଭିମାନ। ମଧୁସୂଦନଙ୍କ ସାରା ଜୀବନ ଉତ୍ସର୍ଗୀକୃତ ହୋଇଥିଲା ଏହି ଓଡ଼ିଆ ଜାତ୍ୟାଭିମାନକୁ ମହିମାମଣ୍ଡିତ କରି ଟେକି ଧରିବା ପାଇଁ।

ସେଇଥିପାଇଁ ତ ସେ ‘ସନ୍ତାନର ଭକ୍ତି’ କବିତାରେ ଗାଇ ଉଠିଥିଲେ-

‘‘ଜାତି ପ୍ରେମ-ବହ୍ନି       ପ୍ରଜ୍ଜ୍ୱଳିତ କର

ସ୍ୱାର୍ଥକୁ ଦିଅ ଆହୁତି,

‘ସ୍ୱାର୍ଥମେଧ ଯଜ୍ଞେ’      ଚାରିଆଡ଼େ ନାଚ

ଛାତିକୁ ମିଶାଇ ଛାତି।’’

ମଧୁସୂଦନ ଓଡ଼ିଶା ଛାଡ଼ି ଉଚ୍ଚଶିକ୍ଷା ପାଇଁ କଲିକତା ଯାଇଥିଲେ ୧୮୬୬ରେ। ଫେରିଥିଲେ ନିଜ ମାଟିର ପ୍ରଥମ ଗ୍ରାଜୁଏଟ୍‌, ପ୍ରଥମ ଏମ୍‌.ଏ., ପ୍ରଥମ ଏଲ୍‌.ଏଲ୍‌.ବି- ଧାରୀ ଓକିଲ ହୋଇ ୧୮୮୧ରେ। ସେତେବେଳକୁ ଓଡ଼ିଶା ମାଟି ବିଖଣ୍ଡିତ, ଛିନ୍ନମସ୍ତା ଉତ୍କଳ ଜନନୀ। ଆସୁ ଆସୁ ଗୌରୀଶଙ୍କର ରାୟ ଓ ଚୌଧୁରୀ କାଶୀନାଥ ଦାଶଙ୍କ ସାହାଯ୍ୟ ନେଇ ଉତ୍କଳ ସଭାକୁ ନବ ଗଠିତ କରି ସ୍ଥାପନ କଲେ ‘ଓଡ଼ିଶା ଆସୋସିଏସନ୍‌’। କଟକରେ ଓକିଲାତି ସାଙ୍ଗକୁ ଚାଲିଲା ଜନ ସେବା, ମାଟି ମାଆର ସେବା। କେତେ ଯେ ସଙ୍ଗଠନ ସେ ଗଢ଼ିଛନ୍ତି ତା’ର ହିସାବ ନାହିଁ। କେତେ ଆସୋସିଏସନ୍‌, କେତେ ସଂଘ। ଆଜି ହୁଏତ ଅନେକ ବିଶ୍ୱାସ କରିପାରିବେ ନାହିଁ ହେଲେ ଦିନେ କଲିକତା ବିଶ୍ୱବିଦ୍ୟାଳୟରେ ଏକମାତ୍ର ଓଡ଼ିଆ ଛାତ୍ର ହୋଇ ସେ ଲଢ଼େଇ କରିଥିଲେ ନିଜ ମାତୃଭାଷାର ଲିପିରେ ସଂସ୍କୃତ ପରୀକ୍ଷା ଦେବା ପାଇଁ। ଅନ୍ୟ ଭାଷା ଯେ ତାଙ୍କୁ ଜଣା ନଥିଲା ସେ କଥା ନୁହେଁ। ପ୍ରଶ୍ନ ହେଉଛି ଓଡ଼ିଆ ସ୍ୱାଭିମାନର। ଲେଫ୍‌ଟନାଣ୍ଟ ଗଭର୍ଣ୍ଣରଙ୍କ ଯାଏ ଯାଇ ସେ ଜିତିଥିଲେ ସେଥିରେ। ଓକିଲାତି ଜୀବନରେ ପୁରୀ ଜଗନ୍ନାଥ ମନ୍ଦିରର ମାଲିକାନା ଓଡ଼ିଆ ଗଜପତି-ପରିବାରଙ୍କ ହାତକୁ ଫେରାଇ ଆଣିବାରେ ଥିଲା ସେଇ ଓଡ଼ିଆ ସ୍ୱାଭିମାନର କଥା। ସେ ନିଜେ ତ କିରସ୍ତାନ ହୋଇଯାଇଥିଲେ ହେଲେ ଓଡ଼ିଆମାନଙ୍କ ବଡ଼ ଠାକୁରଙ୍କ ଇଜ୍ଜତ ରକ୍ଷା ସେଦିନ ତାଙ୍କ ପାଇଁ ଥିଲା ପ୍ରାଣାନ୍ତକ ଲଢ଼େଇର କଥା।

ଖଣ୍ଡବିଖଣ୍ଡିତ ଓଡ଼ିଆମାଟିକୁ ଏକାଠି କରିବା ପାଇଁ ୧୯୦୦ ମସିହାରେ ଭାରତର ଭାଇସ୍‌ରାୟ ଲର୍ଡ କର୍ଜନଙ୍କୁ ଓଡ଼ିଶାକୁ ଟାଣି ଆଣିବାଠାରୁ ମରଣମୁହାଁ ରୋଗ ଶଯ୍ୟାରେ ପଡ଼ି ୧୯୩୩ରେ ଓଚୋନେଲ୍‌ କମିଟି ରିପୋର୍ଟରେ ଥର ଥର ହାତରେ ପୃଷ୍ଠା ପରେ ପୃଷ୍ଠା ଦସ୍ତଖତ ଦେବାଥିଲା ସେଇ ସ୍ୱାଭିମାନ ଯାତ୍ରାର ସବୁଠାରୁ ଦୀର୍ଘ କଡ଼ି। ଓଡ଼ିଶାମାଟିକୁ ଶିକ୍ଷା, କୃଷି ତଥା ଶିଳ୍ପରେ ସମୃଦ୍ଧ କରିବା ପାଇଁ ତାଙ୍କର ଥିଲା ଅହରହ ପ୍ରଚେଷ୍ଟା। ୧୮୯୭ରେ ‘ଓଡ଼ିଶା ଆର୍ଟ ଓୟାର’ ବା ଓଡ଼ିଶା ଅଳଙ୍କାର କାରଖାନା ଓ ୧୯୦୫ରେ ‘ଉତ୍କଳ ଟ୍ୟାନେରି’ ଗଢ଼ି ସେ ସର୍ବସ୍ୱ ହରାଇଥିଲେ। ୧୯୨୭ରେ ଦେବାଳିଆ ଘୋଷିତ ହୋଇଥିଲେ। ଶେଷକୁ ନିଲାମ ହୋଇଥିବା ନିଜଘରେ ଭଡ଼ା ଦେଇ ରହିଥିଲେ ସେ ଶେଷ ନିଶ୍ୱାସ ତ୍ୟାଗ କରିବାଯାଏ।

ଓଡ଼ିଆ ସ୍ୱାଭିମାନର ଓଁକାର ଥିଲା ତାଙ୍କ ଦୁକ୍‌ଦୁକିର ପ୍ରତିନିୟତ ପ୍ରତିଧ୍ୱନି। ୧୮୯୭ରେ ବିଲାତ ପାର ଉତ୍କଳୀୟ ଶିଳ୍ପକଳାର ପ୍ରଦର୍ଶନୀ କରି ଉତ୍କଳର ଗୌରବ ବୃଦ୍ଧି କରିଥିବାରୁ ଉତ୍କଳ ଦୀପିକା ତାଙ୍କୁ ଉତ୍କଳ-ଗୌରବ ବୋଲି ଘୋଷଣା କରିଥିଲା।

ଓଡ଼ିଆ ଓଡ଼ିଆ ବୋଲି ପ୍ରାଣ କାନ୍ଦୁଥିଲା ତାଙ୍କର। ଶେଷକୁ ଚାରି ଫେବ୍ରୁଆରି ୧୯୩୪ରେ ପ୍ରାଣବାୟୁ ଚାଲିଯିବା ପୂର୍ବରୁ ସେ ନୀଳକଣ୍ଠ ଦାଶଙ୍କୁ କହିଥିଲେ- ‘ମନେ ରଖିଥିବ ଜଣେ ଓଡ଼ିଆ ଥିଲା।’­

(ଲେଖକ ଜଣେ ଅବସରପ୍ରାପ୍ତ ପ୍ରଫେସର ଏବଂ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୀବନ ଓ ଅବଦାନ କ୍ଷେତ୍ରରେ ଦୀର୍ଘ ଗବେଷଣା କରିଛନ୍ତି। ମଧୁବାବୁଙ୍କ ଉପରେ ତାଙ୍କ ପ୍ରକାଶିତ ‘ପଗଡ଼ି ପୁରୁଷ’ ଏକ ସର୍ବକାଳୀନ ପୁସ୍ତକ)

To read the Life & Times of Madhusudan Das visits www.madhusudandas.org

Comment