ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
୯ରାଜ୍ୟରେ ୭୧ ଲୋକସଭା ଆସନ ଲାଗି ଦେଶରେ ଚତୁର୍ଥ ପର୍ଯ୍ୟାୟରେ ମତଦାନ ହେଉଛି। ଭୋଟିଂ ସମୟରେ ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ଅନ୍ତଗର୍ତ ଜେମୁଆ ପୋଲିଂ ବୁଥରେ ହିଂସା ଦେଖିବାକୁ ମିଳିଛି। ବୀରଭୂମିର ଅଞ୍ଚଳରେ ମାରପିଟି ଦେଖିବାକୁ ମିଳିଛି।
କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଗାଡ଼ି ଉପରେ ଆକ୍ରମଣ ସହ ଭଙ୍ଗାରୁଜା ହୋଇଛି। ଅନ୍ୟପଟେ ବିଜେପି ଅଭିଯୋଗ କରିଛି ଏଭଳି କାମ ଟିଏମସି କର୍ମକର୍ତ୍ତା କରିଛନ୍ତି। ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ମାରପିଟ ହୋଇଛି। ପରିସ୍ଥିତି ନିୟତନ୍ତ୍ରକୁ ଆଣିବା ଲାଗି ପୋଲିସ ଲାଠିଚାର୍ଜ କରିଛନ୍ତି।
ବିଜେପି ପ୍ରାର୍ଥୀ ବାବୁଲ ସୁପ୍ରିୟୋ ଏ ନେଇ ଟିଏମସି ଉପରେ ଆରୋପ ଲଗାଇଛନ୍ତି। ଯେଉଁଠି ଉତ୍ତେଜନା ହେଉଛି ସେଠାରେ ଯାଇ ପହଞ୍ଚିବେ ବୋଲି ସେ କହିଛନ୍ତି। “ପଶ୍ଚିମବଙ୍ଗରେ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ସେଥିଲାଗି ମମତା ଭୟଭୀତ ହୋଇଛନ୍ତି।” କହିଛନ୍ତି ବାବୁଲ ସୁପ୍ରିୟୋ।
ପଶ୍ଚିମବଙ୍ଗର ଜେମୁଆର ୨୨୨ ଓ ୨୨୬ ପୋଲିଂ ବୁଥରେ ଭୋଟ ବର୍ଜନ କରିଛନ୍ତି ଭୋଟର। ସେପଟେ ଆସନସୋଲରେ ୧୯୯ ବୁଥରେ ସୁରକ୍ଷାବଳ ଓ ଟିଏମସି କର୍ମକର୍ତ୍ତାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି।
ପଶ୍ଚିମବଙ୍ଗରେ ୭ଟି ପର୍ଯ୍ୟାୟରେ ମତଦାନ ହେବ। ଚତୁର୍ଥ ପର୍ଯ୍ୟାୟ ମତଦାନ ରାଜ୍ୟରେ ଅନେକ ଗୁରୁତ୍ୱ ରଖୁଛି, କାରଣ ଏହି ପର୍ଯ୍ୟାୟରେ ଅନେକ ହେଭିୱେଟଙ୍କ ଭାଗ୍ୟପରୀକ୍ଷା କରୁଛନ୍ତି ଜନତା ଜନାର୍ଦ୍ଦନ।