ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପୁରୀଠାରୁ ୭୦୦ କିଲୋମିଟର ଦୂରତାରେ ରହିଛି ଫନି
  • ୨୨ କିଲୋମିଟର ବେଗରେ ମାଡ଼ି ଆସୁଛି ବାତ୍ୟା
  • ଦେଢ଼ ମିଟର ଉଚ୍ଚର ଜୁଆର ମାଡ଼ି ଆସିବ
  • ୨ ତାରିଖରେ ୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି
  • ୩ ଓ ୪ ତାରିଖରେ ୧୭ଟି ଜିଲ୍ଲାକୁ ରେଡ ୱାର୍ଣ୍ଣି

ବାତ୍ୟା ‘ଫନି’କୁ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ବର୍ତ୍ତମାନ ପୁରୀଠାରୁ ୭୦୦ କିଲୋମିଟର ଦୂରତାରେ ରହିଛି ଫନି। ଘଣ୍ଟା ପ୍ରତି ୨୨ କିଲୋମିଟର ବେଗରେ ଓଡ଼ିଶାକୁ ମାଡ଼ି ଆସୁଛି ବାତ୍ୟା। ଲ୍ୟାଣ୍ଡଫଲ୍‌ କରିବା ସମୟରେ ସମୁଦ୍ରରେ ଦେଢ଼ ମିଟର ଉଚ୍ଚର ଜୁଆର ଆସିବ ବୋଲି ଆଇଏମ୍‌ଡି କହିଛି।

ଫନି ଆସନ୍ତା ୩ ତାରିଖ ଅର୍ଥାତ ଶୁକ୍ରବାର ଦିନ ଅପରାହ୍‌ଣରେ ଓଡ଼ିଶା ଛୁଇଁବ। ଗୋପାଳପୁର ଏବଂ ଚାନ୍ଦବାଲି ମଧ୍ୟଭାଗ ପୁରୀ ନିକଟରେ ଲ୍ୟାଣ୍ଡ୍‌ଫଲ ହେବ ବାତ୍ୟା ଫନି। ଫନି ଓଡ଼ିଶାରେ ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ଘଣ୍ଟାପ୍ରତି ୧୭୫ରୁ ୧୮୫ ରହିବ। ସେହିପରି ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟାପ୍ରତି ୨୦୫ କିଲୋମିଟର ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରୁଛି।

୨ ତାରିଖରେ ୬ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣି ଜାରି ହୋଇଥିବା ବେଳେ ୩ ଓ ୪ ତାରିଖ ପାଇଁ ରାଜ୍ୟର ୧୭ଟି ଜିଲ୍ଲାକୁ ରେଡ ୱାର୍ଣ୍ଣି ଜାରି କଲା ଭାରତୀୟ ପାଣିପାଗ ବିଭାଗ। ୨ରୁ ୪ ତାରିଖରେ ସମୁଦ୍ର ଅଶାନ୍ତ ରହିବ। ପବନର ବେଗ ବଢ଼ିବା ସହିତ ଅତିପ୍ରବଳ ବର୍ଷା ଲାଗି ରହିବା। ଲ୍ୟାଣ୍ଡଫଲ୍‌ କରିବା ସମୟରେ ସମୁଦ୍ର ଭୟଙ୍କର ରୂପ ନେଇ ଦେଢ଼ ମିଟର ଉଚ୍ଚର ଜୁଆର ଆସିବ ବୋଲି ଆଇଏମ୍‌ଡି ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି।

ବାତ୍ୟା ଫନି ପ୍ରଭାବରେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ୱରରେ ବ୍ୟାପକ କ୍ଷୟକ୍ଷତି ଘଟିବ। କଚ୍ଚା ଘର, ବିଜୁଳିଖୁଣ୍ଟ, ପୁରୁଣା କୋଠା, ଗଛ ଭାଙ୍ଗିବାର ଆଶଙ୍କା କରାଯାଉଛି। ୧ ତାରିଖ ସୁଦ୍ଧା ସମସ୍ତ ସତ୍ସ୍ୟଜୀବୀଙ୍କୁ ସମୁଦ୍ରରୁ ଫେରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ କରାଯାଇଛି।

Comment