ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ‘ଫନି’ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ୧୭ ହଜାର କୋଟି ଟଙ୍କା ମାଗିଲେ।

‘ଫନି’ ସହାୟତାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆରମ୍ଭ ହୋଇଯାଇଛି ଟଣା ଓଟରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାତ୍ୟା ପ୍ରଭାବିତ ଅଞ୍ଚଳ ପୁରୀ ଜିଲ୍ଲା ଗସ୍ତ କରି ୧ ହଜାର କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।

ମୋଦି ଏହି ଘୋଷଣା କରି ଦିଲ୍ଲୀ ଚାଲି ଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୭ ହଜାର କୋଟି ଟଙ୍କା ମାଗିଛନ୍ତି। ବାତ୍ୟା ପ୍ରତିରୋଧକ ବିଦ୍ୟୁତ ବ୍ୟବସ୍ଥା ପାଇଁ ୧୦ ହଜାର କୋଟି ଏବଂ ଟେଲିକମ୍ ସେବା ଓ କଚ୍ଚା ଘରକୁ ପକ୍କା କରିବା ପାଇଁ ୭ ହଜାର କୋଟି ଟଙ୍କା ମାଗିଛନ୍ତି ନବୀନ।

ବାତ୍ୟା ପୂର୍ବରୁ କେନ୍ଦ୍ର ସରକାର ଓଡ଼ିଶାକୁ ୩୪୦ କୋଟି ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ। ଆଜି ନିଜେ ପ୍ରଧାନମନ୍ତ୍ରୀ ଆସି ଅଧିକ ୧୦୦୦ କୋଟି ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି।

ବାତ୍ୟା ‘ଫନି’ ଉପକୂଳ ଓଡ଼ିଶାରେ ତାଣ୍ଡବ ଲୀଳା କରି ଚାଲିଯାଇଛି। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ଫନିର ପ୍ରଭାବ ପଡ଼ିଛି। ବିଶେଷ କରି ପୁରୀ ଏବଂ ଭୁବନେଶ୍ୱର ଛାରଖାର ହୋଇଯାଇଛି।

ମୋଦି ଆଜି ହେଲିକପ୍ଟରରେ ପୁରୀ, ପିପିଲି, ନିମାପଡ଼ା, କୋଣାର୍କ ଅଞ୍ଚଳ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଭୁବନେଶ୍ୱରରେ ସମୀକ୍ଷା କରିଥିଲେ।

ଫନି ତାଣ୍ଡବରେ ଅଧା ଓଡ଼ିଶା ଛାରଖାର ହୋଇଯାଇଛି। ଗତ ଚାରି ଦିନ ହେଲା ଭୁବନେଶ୍ୱର, ପୁରୀ, ଜଗତସିଂହପୁର ଅନ୍ଧାରରେ ରହିଛି। ବାତ୍ୟା ଫନି ଚାଲିଯିବା ପରେ ସ୍ଥିତି ଜଟିଳ ହୋଇଯାଇଛି।

ମୋଦି ଆସିବା ପୂର୍ବରୁ ନବୀନ ମଧ୍ୟ ବାତ୍ୟାଞ୍ଚଳ ପାଇଁ ରିଲିଫ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here