ଓଡ଼ିଶାଲାଇଭ ବ୍ୟୁରୋ

ବାତ୍ୟା ‘ଫନି’ରେ ଓଡ଼ିଶାରେ ମୋଟ ୨୯ ଜଣ ପ୍ରାଣ ହରାଇଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ କହିବା ଅନୁସାରେ ପୁରୀରେ ୨୧ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ପ୍ରଭାବିତ ଜିଲ୍ଲାମାନଙ୍କରେ ୮ ଜଣ ମୃତ୍ୟୁବରଣ କରିଛନ୍ତି।

ସେ କହିଛନ୍ତି ମୃତକଙ୍କ ସଂଖ୍ୟା ସମ୍ପର୍କରେ ଅନ୍ୟ ଜିଲ୍ଲାରୁ ତଥ୍ୟ ମାଗିଛୁ ଏବଂ ସେସବୁ ତଥ୍ୟ ଆସିବା ପରେ ପ୍ରକୃତ ମୃତ୍ୟୁ ସଂଖ୍ୟା ସ୍ଥିର ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଘଟିଥିବା କ୍ଷୟକ୍ଷତିର ନରୀକ୍ଷଣ କରିଥିଲେ। ମୁଖ୍ୟମନ୍ତ୍ରୀ ବାତ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଯେଉଁ ସବୁ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ଆସୁଛନ୍ତି ସେମାନଙ୍କୁ ୫୦ କିଲୋ ଚାଉଳ ନଗଦ ୨୦୦୦ ଟଙ୍କା ଏବଂ ପଲିଥିନ ଯୋଗାଇ ଦିଆଯିବ।

ଇତିମଧ୍ୟରେ ବାତ୍ୟା ପ୍ରଭାବିତ ୧୦ ହଜାର ଗ୍ରାମ ଓ ୫୨ଟି ସହରାଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ କୁହାଯାଇଛି ଯେ ବିଦ୍ୟୁତ, ପାନୀୟ ଜଳ ଓ ମୋବାଇଲ ସଂଯୋଗକୁ ଅଗ୍ରାଧିକାର ଦିଆଯାଉଛି।

ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି ଯେ ଫନି ଯୋଗୁ ରାଜ୍ୟରେ ୧୨ ହଜାର କୋଟି ଟଙ୍କାର ବିଦ୍ୟୁତ ଭିତ୍ତିଭୂମି ନଷ୍ଟ ହୋଇଛି। ଶକ୍ତି ସଚିବ ହେମନ୍ତ ଶର୍ମା କହିଥିଲେ ଯେ ପ୍ରଥମେ ଭୁବନେଶ୍ୱରକୁ ବିଦ୍ୟୁତ ସଂଯୋଗ ଦିଆଯିବ, ଯେହେତୁ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ବିଦ୍ୟୁତ ସଂଯୋଗ ସେଠାରେ ସମୟ ଲାଗିପାରେ।

Comment