ଓଡ଼ିଶାଲାଇଭ ବ୍ୟୁରୋ
‘‘ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ଓହ୍ଲାଇବାକୁ ଅନୁମତି ଦେଲାନି ପ୍ରଶାସନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଓହ୍ଲାଇବାକୁ ପ୍ରଶାସନ ଅନୁମତି ଦେଇଥିବା ବେଳେ ମୋଦିଙ୍କୁ କାହିଁକି ନୁହେଁ?’’
ଏହି ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ରମାରଞ୍ଜନ ବଳିଆର ସିଂ। ରାଜ୍ୟ ସରକାର ଜାଣିଶୁଣି ମୋଦିଙ୍କ ହେଲିକପ୍ଟର ଓହ୍ଲାଇବାକୁ ଅନୁମତି ଦେଇ ନଥିବା ରମାରଞ୍ଜନ ଅଭିଯୋଗ କରିଛନ୍ତି।
‘‘୧୯୯୯ ମହାବାତ୍ୟା ତୁଳନାରେ ଫନି ବାତ୍ୟା ପୁରୀ ଜିଲ୍ଲାରେ ବ୍ୟାପକ କ୍ଷତି କରିଛି। ଏହାକୁ ଅନୁଧ୍ୟାନ କରିବା ପାଇଁ ମୋଦି ଆଜି ହେଲିକପ୍ଟରରେ ପୁରୀ ଆସିଥିଲେ। ମୋଦିଙ୍କ ହେଲିକପ୍ଟରକୁ ତାଳବଣିଆ ହେଲିପ୍ୟାଡରେ ଓହ୍ଲାଇବାକୁ ଅନୁମତି ଦେବା ପାଇଁ ଆମେ ଜିଲ୍ଲା ପ୍ରଶାସନ ସହ କଥା ହୋଇଥିଲୁ। ହେଲେ ଆଜି ପ୍ରଶାସନ ଅନୁମତି ନଦେବାରୁ ମୋଦି କେବଳ ଆକାଶମାର୍ଗରୁ ଅନୁଧ୍ୟାନ କରି ଫେରି ଯାଇଛନ୍ତି’’, କହିଛନ୍ତି ରମାରଞ୍ଜନ।
ମୋଦି ଆଜି ହେଲିକପ୍ଟରରେ ପୁରୀ ଗସ୍ତରେ ଯାଇଥିଲେ। ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ଅନୁଧ୍ୟାନ କରିଥିଲେ।
ଗତ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ପୁରୀ ଆସିଥିବା ବେଳେ ତାଙ୍କ ହେଲିକପ୍ଟର ତାଳବଣିଆ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଥିଲା। ମୁଖ୍ୟମନ୍ତ୍ରୀ ବାତ୍ୟା ପ୍ରଭାବିତ ଲୋକଙ୍କ ସହ କଥା ହୋଇଥିଲେ। ତେବେ ମୋଦିଙ୍କ ହେଲିକପ୍ଟରକୁ କାହିଁକି ଅନୁମତି ମିଳିଲାନି ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି।

















