ଭାସ୍କର ପରିଚ୍ଛା

୨୦୧୯ ନିର୍ବାଚନ ଶେଷ ହେବା ପାଇଁ ଆଉ ଗୋଟିଏ ପର୍ଯ୍ୟାୟ ବାକି ରହିଲା। ଇତି ମଧ୍ୟରେ ଦେଶର ବିଭିନ୍ନ ରାଜନୈତିକ ଦଳ ମେ’ ୨୩ ପରର ଚିତ୍ର ଉପରେ ନଜର ରଖିବା ଆରମ୍ଭ କଲେଣି। ଶେଷ ପର୍ଯ୍ୟାୟ ଭୋଟରେ ସର୍ବାଧିକ ଫାଇଦା ଉଠାଇବା ପାଇଁ ଦଳମାନେ ଅଣ୍ଟା ଭିଡ଼ିଥିବା ବେଳେ ସେମାନେ ଭୋଟ ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କରିବା ମଧ୍ୟ ଆରମ୍ଭ କରିଛନ୍ତି।

ନିରଙ୍କୁଶ ସଂଖ୍ୟା ଗରିଷ୍ଠତା

ଦେଶର ଅଧିକାଂଶ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତ ହେଉଛି ଯେ ଏହି ନିର୍ବାଚନରେ କୌଣସି ଦଳ ବା ମେଣ୍ଟକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପ୍ରାପ୍ତ ହେବ ନାହିଁ। ଆକଳନ କରାଯାଇଛି ଯେ ବିଜେପି ସମ୍ଭବତଃ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ଅନ୍ୟ ଦଳମାନଙ୍କ ଠାରୁ ଆଗରେ ରହିବ। ତେବେ ବିଜେପି କେତେ ପରିମାଣରେ ଆସନ ପାଇବ ସେ କଥା କେହି କହିପାରୁ ନାହାନ୍ତି। ବିଜେପି ପକ୍ଷରୁ ମଧ୍ୟ ଆକଳନ କରାଯାଇଛି ଯେ ଯଦି ୨୭୨ଟି  ଆସନ ନମିଳେ ତେବେ ସମଭାବ ରଖୁଥିବା ଦଳ ସହିତ ମେଣ୍ଟ କରାଯିବ। ତେଣେ କଂଗ୍ରେସ ଅନୁମାନ କରୁଛି ଯେ ଗତ ନିର୍ବାଚନ ତୁଳନାରେ ଏଥର ଦଳର ସଂଖ୍ୟା କିଛି ନହେଲେ ବି ତିନି ଗୁଣା ବୃଦ୍ଧି ପାଇବ। କଂଗ୍ରେସ ଏଥର ନିର୍ବାଚନରେ କିଛି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ କୌଣସି ଦଳ ସହିତ ମେଣ୍ଟ କରି ପାରି ନାହିଁ ସତ, ହେଲେ ଯଦି ଦରକାର ହୁଏ ଅଣ-ବିଜେପି ଦଳ ସହିତ ହାତ ମିଳାଇବାକୁ ପଛାଇବ ନାହିଁ ବୋଲି ରାହୁଲ ଗାନ୍ଧି ସ୍ପଷ୍ଟ ସଂକେତ ଦେଇଛନ୍ତି। କଂଗ୍ରେସର ଏକ ମାତ୍ର ଲକ୍ଷ୍ୟ ହେଉଛି ଯେ କୌଣସି ପ୍ରକାର ମୋଦିଙ୍କୁ କ୍ଷମତାରୁ ବାହାରେ ରଖିବା।

ଆଞ୍ଚଳିକ ଦଳର ଦବଦବା

ଯାହା ନିର୍ବାଚନ ପୂର୍ବରୁ ଅନୁମାନ କରାଯାଉଥିଲା, ୨୦୧୯ ନିର୍ବାଚନରେ ଆଞ୍ଚଳିକ ଦଳମାନଙ୍କର ଜୋରଦାର ପ୍ରଭାବ ଦେଖିବାକୁ ମିଳିବ ଏବଂ ସେମାନେ ହିଁ ‘କିଙ୍ଗ ମେକର’ର ଭୂମିକା ଗ୍ରହଣ କରିବେ। ଏହି ଦଳମାନେ କିଏ ତାହା କହିବାର ଆବଶ୍ୟକତା ନଥିଲେ ହେଁ ମନେ ପକାଇ ଦେବା ଠିକ୍ ହେବ ଯେ ଉତ୍ତର ପ୍ରଦେଶରେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି, ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି, ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପାର୍ଟି, ତେଲେଙ୍ଗାନାରେ ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ ପାର୍ଟି ଓ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ଆଗାମୀ ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ପାଇଁ ଯାଉଛନ୍ତି। ଯଦି ଝୁଲା ପାର୍ଲାମେଣ୍ଟର ସ୍ଥିତି ଉତ୍ପନ୍ନ ହୁଏ, ଏହି ୫ ଦଳର ମୂଲଚାଲ କ୍ଷମତା ଢେର ବଢିଯିବ।

ଆଖି କ’ଣ ଦେଖୁଛି

ଏବେ ତାହା ହେଲେ କ’ଣ ଆଖିରେ ପଡୁଛି? ଯେତେଯେତେ ମେ’ ୨୩ ପାଖେଇ ଆସୁଛି ଦେଶର ରାଜନୀତିରେ ପରସ୍ପର ବିରୋଧୀ ରାଜନୈତିକ ପ୍ରକ୍ରିୟା ଚାଲୁଥିବା ଲକ୍ଷ୍ୟ କରାଯାଉଛି। ଗୋଟିଏ ପଟେ ଶତ୍ରୁ ପକ୍ଷ ବିରୋଧରେ ଜୋରଦାର ଓ କର୍କଶ ଲଢ଼େଇତ ଅପରପଟେ  ମଧ୍ୟସ୍ଥିଙ୍କ ଜରିଆରେ ମିତ୍ର ପକ୍ଷ ପାଖରେ ପହଞ୍ଚିବାର ଉଦ୍ୟମ।

ଉତ୍ତର ପ୍ରଦେଶରେ ବିଜେପି ଚାହୁଁଛି ମାୟାବତୀ ଓ ଅଖିଳେଶଙ୍କ ଭିତରେ ଫାଟ ସୃଷ୍ଟି କରିବା। ପୂର୍ବ ୟୁପିରେ ଥିବା ଯାଦବ ଭୋଟରଙ୍କ ପାଖରେ ପହଞ୍ଚିବା ପରେ ବିଜେପି ଇସାରା ଦେଇଛି ଯେ ବହୁଜନ ସମାଜ ପାର୍ଟି ସହିତ ହାତ ମିଳାଇବାକୁ ଦଳ ପ୍ରସ୍ତୁତ। ଠିକ୍ ସେହି କଥା ଓଡ଼ିଶାରେ ବି ଦେଖାଯାଇଛି। ଫନି ବାତ୍ୟା ଜନିତ କ୍ଷୟକ୍ଷତି କମ କରିପାରିଛନ୍ତି ବୋଲି ମୋଦିଙ୍କ ନବୀନଙ୍କୁ ପ୍ରଶଂସା ମେ’ ୨୩ ପରବର୍ତ୍ତୀ ସ୍ଥିତିର ସୂଚନା ହିଁ ପ୍ରଦାନ କରୁଛି।

ଏଣେ ଗାଳି, ତେଣେ ଦୁଆର ମେଲା

୨୦୧୯ ନିର୍ବାଚନ ଋତୁରେ ଗୋଟିଏ ବିରୋଧାଭାସ ଆଖିରେ ପଡ଼ିଲା। ତାହା ହେଉଛି : ଏଣେ ଯା ଇଛା ତା ଗାଳି ଦିଅ, ତେଣେ ସମ୍ପର୍କର ଡୋର ବାନ୍ଧ।

ଉତ୍ତରପ୍ରଦେଶ କଥା ଦେଖନ୍ତୁ – କଂଗ୍ରେସ ଓ ବିଏସପି ଭିତରେ ମେଣ୍ଟ ହୋଇ ନଥାଇ ପାରେ। କିନ୍ତୁ କଂଗ୍ରେସ ବାରମ୍ବାର କହିଛି ଯେ କେତୋଟି ଆସନରେ ଜାଣିଶୁଣି ଦୁର୍ବଳ ପ୍ରାର୍ଥୀ ଦିଆଯାଇଛି ଯାହା ଫଳରେ କି ମେଣ୍ଟ ପାଇଁ କିଛି ଅସୁବିଧା ହେବନି। ସେହିପରି  ଆମେଥି ନିର୍ବାଚନମଣ୍ଡଳୀରେ ରାହୁଲ ଗାନ୍ଧିଙ୍କୁ ଭୋଟ ଦେବା ପାଇଁ ମାୟାବତୀ ଖୋଲାଖୋଲି
କହିଛନ୍ତି। ଏଣେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ମେ’ ୨୩ ପରବର୍ତ୍ତୀ ସମ୍ଭାବନାକୁ ଆଖିରେ ରଖି ବିଭିନ୍ନ ବିରୋଧୀ ଦଳର ନେତାଙ୍କୁ ଭେଟିବା ଆରମ୍ଭ କରିଛନ୍ତି। ତାଙ୍କର ବି ଉଦ୍ଦେଶ୍ୟ ବିଜେପି ବିରୋଧରେ ଏକ ମେଣ୍ଟ ଗଠନ କରିବା।

ସବୁ କିଛି ସମ୍ଭବ

ଏ ସବୁ କଥା କହିବା ପଛରେ ଗୋଟିଏ ଉଦ୍ଦେଶ୍ୟ ହେଉଛି ଯେ ୨୩ ତାରିଖ ଫଳାଫଳ ଘୋଷଣାକୁ ସବୁ ଦଳ ଆତୁରତାର ସହ ଚାହିଁ ବସିଥିବା ବେଳେ ୨୪ ତାରିଖରେ କ’ଣ ହେବ ସେହି ସମ୍ଭାବନାକୁ ମଧ୍ୟ ପରଖୁଛନ୍ତି। ଭାରତର ରାଜନୀତିରେ ସବୁବେଳେ ଆଶ୍ଚର୍ଯ୍ୟ ଫଳ ଦେଖିବାକୁ ମିଳିଛି। ଏଣୁ ଏଥର ମଧ୍ୟ ସବୁ ପ୍ରକାର ଗଣିତ ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

Comment