ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ‘ଫନି’ ପରେ ରାଜ୍ୟର ୬ଟି ଜିଲ୍ଲାରେ ୯୫ ପ୍ରତିଶତ ହିତାଧିକାରୀଙ୍କୁ ନଗଦ ଟଙ୍କା ଆକାରରେ ବାତ୍ୟା ସହାୟତା ବଣ୍ଟାଯାଇଛି। ନେଇ ଶୁକ୍ରବାର ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ସଚିବ ସଞ୍ଜୟ ସିଂହ ପ୍ରେସ୍‌ ମିଟ୍‌ କରି ସୂଚନା ଦେଇଛନ୍ତି।

ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ହାରାହାରୀ ୯୫.୨୯ ପ୍ରତିଶତ ହିତାଧିକାରୀଙ୍କୁ ନଗଦ ଅର୍ଥିକ ସହାୟତା ଦିଆଯାଇଛି। ସେହିପରି ମୋଟ ହିତାଧିକାରୀଙ୍କ ୯୦.୬୪ ପ୍ରତିଶତ ଲୋକଙ୍କୁ ଅତିରିକ୍ତ ଭତ୍ତା ଦିଆଯାଇଥିବା ବେଳେ ୯୪ ପ୍ରତିଶତ ଲୋକଙ୍କୁ ଚାଉଳ ବଣ୍ଟାଯାଇଛି।

ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଡାକ୍ତର, ସ୍ୱାସ୍ଥ୍ୟ ସହାୟକ ନିୟୋଜିତ ହୋଇଥିବା ବେଳେ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ୨୪ ଲକ୍ଷ ସାନିଟାରୀ ନାପକିନ୍‌ ମାଗଣାରେ ଯୋଗାଇ ଦିଆଯିବାର କାର୍ଯ୍ୟକ୍ରମ ରହିଥିବା ସଞ୍ଜୟ ସିଂହ ସୂଚନା ଦେଇଛନ୍ତି।

ସେହିପରି ଶୁକ୍ରବାର ସୁଦ୍ଧା ରାଜ୍ୟରେ ବାତ୍ୟା ପ୍ରଭାବିତ ୭ଟି ଯାକ ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଶତ ପ୍ରତିଶତ ସ୍ୱାଭାବିକ ହୋଇପାରିଛି। ଅନ୍ୟପକ୍ଷରେ ପୁରୀ ଓ ଖୋର୍ଦ୍ଧାର ୫୨ଟି କୂଅର ଜଳ ନିରାପଦ ନଥିବା ସଞ୍ଜୟ ସିଂହ କହିଛନ୍ତି।

ପୁରୀରେ ମୋଟ ୫୬ଟି ବିଦ୍ୟୁତ୍ ଫିଡରରୁ ୫ଟି କାର୍ଯ୍ୟକ୍ଷମ ହୋଇଛି। ଏହାରି ମାଧ୍ୟମରେ ୫ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି। ସେହିପରି ନିମାପଡ଼ାରେ ୨୮ରୁ ୩ଟି ଫିଡର କାର୍ଯ୍ୟକ୍ଷମ ହୋଇଛି। ଏଥିରୁ ୧ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ମିଳିଛି।

ରାଜଧାନୀ ଭୁବନେଶ୍ୱରର ୮୫ ପ୍ରତିଶତ ଅଞ୍ଚଳକୁ ମୋବାଇଲ୍‌ ସେବା ଉପଲବ୍ଧ ହୋଇଛି। ବର୍ତ୍ତମାନ ସୁଦ୍ଧା ପୁରୀରେ ୩୦.୧୮, ଖୋର୍ଦ୍ଧାରେ ୬୯.୫୯, କଟକରେ ୭୫.୭୮, ଜଗତସିଂହପୁରରେ ୭୮.୮୪ ପ୍ରତିଶତ ଏଟିଏମ୍‌ କାର୍ଯ୍ୟକାରୀ ହୋଇଛି।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

LEAVE A REPLY

Please enter your comment!
Please enter your name here