ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ଫଳ ଆସିବା ପୂର୍ବରୁ ଓଡ଼ିଶାରେ କେଉଁ ଦଳ କେତେ ଆସନ ପାଇବ ସେନେଇ ବିଭିନ୍ନ ସଂସ୍ଥା ଏବଂ ନ୍ୟୁଜ ଚ୍ୟାନେଲ କରିଛନ୍ତି ଏକଜିଟ୍ ପୋଲ୍। ଏକଜିଟ୍ ପୋଲର ଆକଳନ ଅନୁଯାୟୀ ବିଜେଡି ପୁଣିଥରେ ସରକାର ଗଠନ କରିବାକୁ ଯାଉଥିବା ବେଳେ ବିଜେପି ମୁଖ୍ୟ ବିରୋଧୀ ଦଳ ଆସନରେ ବସିବ ବୋଲି କୁହାଯାଉଛି।
ଯଦି ବିଜେପି ଓଡ଼ିଶା ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଆସନରେ ବସେ ତାହାଲେ ସ୍ଥିତି କ’ଣ ହେବ ତାକୁ ନେଇ ଚର୍ଚ୍ଚା ବଢ଼ିଛି।
କିଏ ହେବ ବିରୋଧୀ ଦଳ ନେତା?
ଯଦି ଏକଜିଟ୍ ପୋଲର ଆକଳନ ସତ ହୁଏ ଏବଂ ବିଜେପି ଓଡ଼ିଶାରେ ମୁଖ୍ୟ ବିରୋଧୀ ଦଳ ଆସନରେ ବସେ ତାହାଲେ ବିରୋଧୀ ଦଳ ନେତା କିଏ ହେବେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
୨୦୦୦ରୁ ୨୦୦୯ ଯାଏଁ ବିଜେପି-ବିଜେଡିର ମେଣ୍ଟ ଶାସନ ଚାଲିଥିଲା। ୨୦୦୯ରେ ମେଣ୍ଟ ଭାଙ୍ଗିଥିଲା। ବିଜେଡି ଏବଂ ବିଜେପି ଅଲଗା ଅଲଗା ନିର୍ବାଚନ ଲଢ଼ିଥିଲେ। ୨୦୦୯ରେ ବିଜେଡି ଏକାକୀ ୧୦୩ ଆସନ ପାଇଥିବା ବେଳେ ବିଜେପି ପାଇଥିଲା ମାତ୍ର ୬ ଆସନ। କଂଗ୍ରେସ ୨୭ଟି ଆସନ ପାଇ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଥିଲା।
ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ବିଜେପି ବିଧାୟକ ଦଳ ନେତା ହୋଇଥିଲେ। ସେହିପରି ୨୦୧୪ରେ ବିଜେପି ୧୦ଟି ଆସନ ପାଇ ତୃତୀୟ ସ୍ଥାନରେ ରହିଥିଲା। ସରକାର ଗଠନ ହେବା ପରେ ନୂଆପଡ଼ା ବିଧାୟକ ବସନ୍ତ ପଣ୍ଡା ହୋଇଥିଲେ ବିଜେପି ବିଧାୟକ ଦଳ ନେତା। ପରେ ବସନ୍ତ ରାଜ୍ୟ ସଭାପତି ହେବା ପରେ କେଭି ସିଂହଦେଓ ହୋଇଥିଲେ ବିଧାୟକ ଦଳ ନେତା।
ଏକ୍ଜିଟ୍ ପୋଲ ଆକଳନ ଅନୁସାରେ ଯଦି ବିଜେପି ଅଧିକ ଆସନ ପାଏ ତାହାଲେ ଏଥର ବିଧାନସଭାରେ ବିଜେପି ମୁଖ୍ୟ ବିରୋଧୀ ଦଳ ରହିବ। ଏଣୁ ବିଜେପିକୁ ବିରୋଧୀ ଦଳ ନେତା ଖୋଜିବାକୁ ପଡ଼ିବ। ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଅଡୁଆରେ ପକାଇ ପାରୁଥିବା ନେତାଙ୍କୁ ହିଁ ବିଜେପି ବିରୋଧୀ ଦଳ ନେତା କରିବାକୁ ପଡ଼ିବ। ଏଣୁ ଭୋଟ ଗଣତି ପରେ ବିଜେପି ଏହା ସ୍ଥିର କରିବ ବୋଲି ଚର୍ଚ୍ଚା ହେଉଛି।
ଶ୍ରେୟ ନେବ କିଏ?
ବିଜେପି ଯଦି ତିନି ନମ୍ବର ସ୍ଥାନରୁ ଦୁଇ ନମ୍ବରକୁ ଆସେ ତାହାଲେ ଏହାର ଶ୍ରେୟ କାହା ପାଖକୁ ଯିବ ତାକୁ ନେଇ ମଧ୍ୟ ଚାଲିଛି ଜୋରଦାର ଚର୍ଚ୍ଚା। ବିଜେପି ଓଡ଼ିଶାରେ ମୋଦି ବ୍ରାଣ୍ଡକୁ ଆଧାର କରି ନିର୍ବାଚନ ଲଢ଼ିଥିବା ଏଥିରେ ସନ୍ଦେହ ନାହିଁ। ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ନିର୍ବାଚନ ସମୟରେ ବାରମ୍ବାର ଓଡ଼ିଶା ଆସି ଘନଘନ ପ୍ରଚାର କରିଥିଲେ। ଏହାର ପ୍ରଭାବ ଭୋଟରଙ୍କ ଉପରେ ପଡ଼ିଥିବା କୁହାଯାଉଛି।
ହେଲେ ଏସବୁ ଭିତରେ ଓଡ଼ିଶା ବିଜେପିର ନେତା ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ ଏବଂ ବୈଜୟନ୍ତ ପଣ୍ଡାଙ୍କ କଥା ଉଠୁଛି।
୨୦୧୪ ନିର୍ବାଚନ ପରେ ଓଡ଼ିଶା ବିଜେପିରେ ଧର୍ମେନ୍ଦ୍ରଙ୍କ ପତିଆରା ବଢ଼ିଥିଲା। ଧର୍ମେନ୍ଦ୍ର ଓଡ଼ିଶା ବିଜେପିର ପୋଷ୍ଟରବୟ ସାଜିଥିବା ଚର୍ଚ୍ଚା ହେଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ଧର୍ମେନ୍ଦ୍ର ବିଜେପିର ପ୍ରଚାର ମଙ୍ଗ ଧରିଥିଲେ। ଫଳରେ କଂଗ୍ରେସକୁ ପଛରେ ପକାଇ ବିଜେପି ଦୁଇ ନମ୍ବରକୁ ଆସିଥିଲା। ଫଳରେ ଧର୍ମେନ୍ଦ୍ରଙ୍କ ଦବଦବା ଆହୁରି ବଢ଼ିଥିଲା।
୨୦୧୮ରେ ହୋଇଥିବା ବିଜେପୁର ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ପରାଜିତ ହେବା ପରେ ଧର୍ମେନ୍ଦ୍ରଙ୍କ ଉପରେ ପ୍ରଶ୍ନବାଚୀ ଉଠିଥିଲା। ଏହାସତ୍ତ୍ୱେ ବିଜେପିରେ ଧର୍ମେନ୍ଦ୍ରଙ୍କ ଗୁରୁତ୍ୱ କମି ନଥିଲା। କିନ୍ତୁ ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ ବହୁ ହେବିଓ୍ୱେଟ ନେତା।
ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡାଙ୍କ ଭଳି ନେତା ମଧ୍ୟ ବିଜେପିରେ ଯୋଗ ଦେଇଥିଲେ। ନିର୍ବାଚନରେ ଏମାନେ ବିଜେପିର ଷ୍ଟାର କ୍ୟାମ୍ପେନର ସାଜିଥିଲେ। ଏମାନଙ୍କୁ ବି ବିଜେପିର ପୋଷ୍ଟରବୟ କୁହାଗଲା। ଏପଟେ ଧର୍ମେନ୍ଦ୍ର ନିର୍ବାଚନ ନ ଲଢ଼ି ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ।
ଏଣୁ ଯଦି ବିଜେପି ଦୁଇ ନମ୍ବର ସ୍ଥାନରେ ରୁହେ ତାହାଲେ ଧର୍ମେନ୍ଦ୍ର ନା ଅନ୍ୟ କେଉଁ ନେତାଙ୍କୁ ଶ୍ରେୟ ଯିବ ତାକୁ ନେଇ ଚାଲିଛି ଜୋରଦାର ଆଲୋଚନା।
ଓଡ଼ିଶାରେ ହୋଇପାରେ ହଲ୍ଚଲ୍
ଏକ୍ଜିଟ୍ ପୋଲ୍ ଆକଳନ ଯଦି ସତ ହୁଏ ତାହାଲେ କେନ୍ଦ୍ରରେ ହେବ ଏନଡିଏ ସରକାର ଏବଂ ଦ୍ୱିତୀୟ ଥର ପାଇଁ ମୋଦି ହେବେ ପ୍ରଧାନମନ୍ତ୍ରୀ। ଏପଟେ ଓଡ଼ିଶାରେ ନବୀନ ହେବେ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ରହିବ ମୁଖ୍ୟ ବିରୋଧୀ ଆସନରେ। ଏଣୁ ସରକାର ଚାପରେ ରହି ପାରନ୍ତି ବୋଲି କୁହାଯାଉଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି ବିଧାନସଭା ଭିତରେ ଏବଂ ବାହାରେ ସରକାରଙ୍କୁ ଘେରିବ ବୋଲି ଆଲୋଚନା ହେଉଛି।
ତେବେ ବାସ୍ତବ ଚିତ୍ର କ’ଣ ହେଉଛି ଏବଂ କେଉଁ ଦଳ କେତେ ଆସନ ପାଉଛନ୍ତି ତାହା ମେ’୨୩ ଭୋଟ ଗଣତି ପରେ ସ୍ପଷ୍ଟ ହେବ।


















