ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଏନଡିଏ ସଂସଦୀୟ ଦଳ ବୈଠକରେ ଭାରତୀୟ ରାଜନୀତି ତିନି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି, ମୂରଲୀ ମନୋହର ଯୋଶୀ ଏବଂ ପ୍ରକାଶ ସିଂହ ବାଦଲଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ମୋଦି।
ଏନଡିଏ ଶିବିରରେ ଉତ୍ସାହ। ୩୫୩ ଆସନ ପାଇ ଲଗାତର ଦ୍ୱିତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛି ବିଜେପି ନେତୃତ୍ୱାଧୀନ ଏନଡିଏ। ଏନେଇ ଶନିବାର ବସିଥିଲା ଏନଡିଏ ସଂସଦୀୟ ଦଳ ବୈଠକ। ଏହି ବୈଠକରେ ମୋଦିଙ୍କୁ ନେତା ଭାବେ ଚୟନ କରାଯାଇଥିଲା।
ହେଲେ ଏନଡିଏ ସଂସଦୀୟ ଦଳ ବୈଠକରେ ଏକ ରୋଚକ ଚିତ୍ର ଆଖିରେ ପଡ଼ିଥିଲା। ବୈଠକ ଆରମ୍ଭରୁ ନରେନ୍ଦ୍ର ମୋଦି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି ଏବଂ ମୂରଲି ମନୋହର ଯୋଶୀଙ୍କ ପାଦ ଛୁଇଁଥିଲେ। ଖାଲି ସେତିକି ନୁହେଁ, ଅକାଳୀ ଶିରୋମଣି ଦଳର ନେତା ପ୍ରକାଶ ସିଂହ ବାଦଲଙ୍କ ପାଦ ଛୁଇଁଥିଲେ ମୋଦି।
ଏହା ପୂର୍ବରୁ ମୋଦି ଭାରତୀୟ ସମ୍ବିଧାନକୁ ପ୍ରଣାମ କରିଥିଲେ।
ଏନଡିଏର ୩୫୩ ସାଂସଦଙ୍କ ଉପସ୍ଥିତିରେ ମୋଦି ଏହି ତିନି ବରିଷ୍ଠ ନେତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିବାରୁ ଏହାକୁ ମୋଦିଙ୍କ ପଲିଟିକାଲ ‘କଲଚର୍’ ବୋଲି କୁହାଯାଉଛି।
ମେ’ ୨୩ରେ ବାହାରିଥିଲା ନିର୍ବାଚନ ଫଳାଫଳ। ଏହି ଫଳାଫଳ ଏନଡିଏ ସପକ୍ଷରେ ଯାଇଥିଲା। ୩୫୩ ଆସନ ପାଇ ସଂଖ୍ୟା ଗରିଷ୍ଠତା ଦଳରେ ପରିଣତ ହୋଇଥିଲା ଏନଡିଏ। ଯେଉଁଦିନ ନିର୍ବାଚନ ଫଳ ବାହାରିଲା ସେହିଦିନ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଆଡଭାନିଙ୍କୁ ତାଙ୍କ ବାସଭବନରେ ଭେଟି ଆଶୀର୍ବାଦ ନେଇଥିଲେ। ମୋଦି ବି ଆଡଭାନିଙ୍କ ବାସଭବନକୁ ଯାଇ ଆଶୀର୍ବାଦ ନେଇଥିଲେ।
ବାରାଣାସୀ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ମୋଦି ପ୍ରକାଶ ସିଂହ ବାଦଲଙ୍କ ଆଶୀର୍ବାଦ ନେଇଥିଲେ।
୨୦୧୪ରେ ମୋଦିଙ୍କ ନେତୃତ୍ୱରେ ବିଜେପି ବଡ଼ ବିଜୟ ହାସଲ କରିବା ପରେ ଦଳରେ ଆଡଭାନି ଏବଂ ଯୋଶୀଙ୍କ ଯୁଗ ଶେଷ ହୋଇଗଲା ବୋଲି ଚର୍ଚ୍ଚା ହୋଇଥିଲା। ଆଡଭାନି ଗାନ୍ଧିନଗର ଆସନରୁ ନିର୍ବାଚିତ ହୋଇଥିଲେ ମଧ୍ୟ କେନ୍ଦ୍ରରେ ତାଙ୍କୁ ମନ୍ତ୍ରୀ ପଦ ମିଳି ନଥିଲା। ଏପଟେ ଯୋଶୀଙ୍କୁ ଟିକେଟ ଦେଇ ନଥିଲା ଦଳ। ଏହାକୁ ନେଇ ଏହି ଦୁଇ ବରିଷ୍ଠ ନେତାଙ୍କ ମନରେ ଅସନ୍ତୋଷ ରହିଥିଲା।
୨୦୧୯ ନିର୍ବାଚନରେ ଆଡଭାନିଙ୍କୁ ବି ଟିକେଟ ଦେଲାନି ଦଳ। ଗୁଜୁରାଟର ଗାନ୍ଧିନଗର ଆସନରୁ ଏକାଧିକଥର ନିର୍ବାଚନ ଜିତି ଆସୁଥିବା ଆଡଭାନିଙ୍କୁ ଟିକେଟ ନଦେଇ ଅମିତ ଶାହ ନେଇଥିଲେ ଏହି ଆସନରୁ ଟିକେଟ।
ହେଲେ ଶନିବାର ଦିନ ଏନଡିଏ ସଂସଦୀୟ ଦଳ ବୈଠକରେ ଏହି ବରିଷ୍ଠ ନେତାମାନଙ୍କୁ ମୋଦି-ଶାହଙ୍କ ସହ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା।








ଏନଡିଏ ସଂସଦୀୟ ଦଳ ବୈଠକରେ ଭାରତୀୟ ରାଜନୀତି ତିନି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି, ମୂରଲୀ ମନୋହର ଯୋଶୀ ଏବଂ ପ୍ରକାଶ ସିଂହ ବାଦଲଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ମୋଦି।









