ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ହେବେ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରତାପଙ୍କ ପାଖକୁ ଫୋନ୍ କଲ୍ ଆସିଥିବା ଜଣାପଡ଼ିଛି। ଆଜି ସନ୍ଧ୍ୟାରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଦିଙ୍କୁ ପଦ ଓ ଗୋପନୀୟତା ପାଇଁ ଶପଥପାଠ କରାଇବେ।

ମୋଦିଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ନେବେ। ତେବେ ଦ୍ୱିତୀୟ ପାଳିରେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ କେଉଁମାନେ ମନ୍ତ୍ରୀ ହେବେ ତା’ ଉପରେ ନଜର ରହିଥିଲା। ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଯେଉଁମାନେ ମନ୍ତ୍ରୀ ହେବେ ସେମାନଙ୍କ ପାଖକୁ ପିଏମ୍‌ଓରୁ ଫୋନ୍ କଲ୍ ଯାଉଛି।

ଓଡ଼ିଶାର ପ୍ରତାପ ଷଡ଼ଙ୍ଗୀ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖକୁ ଫୋନ୍ କଲ୍ ଯାଇଥିବା ଜଣାପଡ଼ିଛି। ଏହି ଦୁଇ ଜଣ ମୋଦି ମନ୍ତ୍ରିମଣ୍ଡଳରେ ଏଥର ମନ୍ତ୍ରୀ ପଦ ପାଇବେ ବୋଲି ଜଣାପଡ଼ିଛି।

୨୦୧୪ରେ ଓଡ଼ିଶାରୁ କେବଳ ଜୁଏଲ ଓରାମ ହିଁ ବିଜେପିର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ ତାଙ୍କୁ ବି ମନ୍ତ୍ରୀ ପଦ ମିଳିଥିଲା। ଓଡ଼ିଶାରେ ବିଜେପି ସଙ୍ଗଠନକୁ ମଜଭୁତ କରିବା ପାଇଁ ଧର୍ମେନ୍ଦ୍ର ଓ ଜୁଏଲଙ୍କୁ ମୋଦିଙ୍କ ପ୍ରଥମ ପାଳିରେ ମନ୍ତ୍ରୀ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here