ଓଡ଼ିଶାଲାଇଭ ବ୍ୟୁରୋ
ଗତ ଦୁଇଦିନ ହେବ ରାଜ୍ୟର ବିଭିନ୍ନ ସହରରେ ତାତିରୁ ସାମାନ୍ୟ ମୁକ୍ତି ମିଳିଛି। କାଳବୈଶାଖୀ ପ୍ରଭାବରେ ପ୍ରାୟ ପ୍ରତି ସହରରେ ତାପମାତ୍ରାରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି।
ତଥାପି ଗୁରୁବାର ୪ଟି ସହରର ତାମପାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ସମ୍ବଲପୁରରେ ୪୨.୦୨, ହୀରାକୁଦରେ ୪୨.୧, କଟକ ୩୫ ଡିଗ୍ରୀ ସେଲସିୟସ ତାମପାତ୍ରା ରେକର୍ଡ କରାଯାଇଛି।
ସାମୁଦ୍ରିକ ଝଡ ଫନି ପରଠୁ ରାଜ୍ୟରେ ଗତ ମାସେ ହେବ ଅସହ୍ୟ ଗରମ ଗୁଳୁଗୁଳି ଲାଗି ରହୁଥିଲା। ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ପ୍ରାୟ ପ୍ରତିଟି ସହରର ତାପମାତ୍ରା ପ୍ରତିଦିନ ୪୦ଡିଗ୍ରୀ ଉପରେ ରହୁଥିଲା।
ସେପଟେ ପାଣିପାଗ ବିଭାଗର ସୂଚନାନୁସାରେ ମୌସୁମୀ କେରଳ ଛୁଇଁବାକୁ ଆଉ ଅଳ୍ପଦିନ ବାକି ରହିଛି। ପ୍ରାୟ ୪୮ ଘଣ୍ଟାରୁ କମ୍ ସମୟ ମଧ୍ୟରେ ମୌସୁମୀ କେରଳ ଛୁଇଁପାରେ। ଏହାର କିଛିଦିନ ମଧ୍ୟରେ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି।