ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶାରୁ ଖାଲି ପଡ଼ିଥିବା ୩ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଦେଇଛନ୍ତି ଦୁଇ ଦଳ। ବିଜେଡି ଦୁଇଟି ଆସନ ପାଇଁ ପ୍ରାର୍ଥୀ ଦେଇଥିବା ବେଳେ ବିଧାନସଭାରେ ଆବଶ୍ୟକ ସଂଖ୍ୟକ ବିଧାୟକ ନଥାଇ ବିଜେପି ମଧ୍ୟ ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଦେଇଛି।

ବିଜେପି ଯାହାଙ୍କୁ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି ତାଙ୍କୁ ନେଇ ଏବେ ରାଜ୍ୟ ରାଜନୀତିରେ ଝଡ଼ ବହୁଛି। ବିଜେପି ପୂର୍ବତନ ଆଇଏଏସ୍ ଅଫିସର ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଛି। ଏହି ପ୍ରାର୍ଥୀଙ୍କୁ ସମର୍ଥନ କରିଛି ବିଜେଡି।

ତେବେ ଏହି ଅଶ୍ୱିନୀ ବୈଷ୍ଣବ କିଏ ଏବଂ ତାଙ୍କୁ ବିଜେପି ଓଡ଼ିଶାରୁ କାହିଁକି ପ୍ରାର୍ଥୀ କଲା ତାକୁ ନେଇ ଏବେ ରାଜନୀତି କରିଡରରେ ଚର୍ଚ୍ଚା ଲାଗି ରହିଛି।

ଅଶ୍ୱିନୀ ବୈଷ୍ଣବ

ଅଶ୍ୱିନୀ ବୈଷ୍ଣବ ହେଉଛନ୍ତି ରାଜସ୍ଥାନର ବାସିନ୍ଦା। ଭାରତୀୟ ପ୍ରଶାସନିକ ସେବାରେ ସେ ଯୋଗ ଦେଇଥିଲେ। ଓଡ଼ିଶା ସହିତ ତାଙ୍କର ଭଲ ସମ୍ପର୍କ ରହି ଆସିଛି। ସେ ୧୯୯୯ ମସିହା ମହାବାତ୍ୟା ବେଳେ କଟକର ଜିଲ୍ଲାପାଳ ଥିଲେ। ସଫଳତାର ସହ ସେ କଟକରେ ବାତ୍ୟା ମୁକାବିଲା କରିଥିଲେ।

ଏହାପରେ ସେ ବାଲେଶ୍ୱର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା କରିବା ପାଇଁ ଅଶ୍ୱିନୀଙ୍କୁ ବାଲେଶ୍ୱର ପଠାଯାଇଥିଲା। ସେଠାରେ ସେ ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା କରିଥିଲେ।

ସୁନ୍ଦରଗଡ଼ ଏବଂ ବଣାଇର ଉପଜିଲ୍ଲାପାଳ ମଧ୍ୟ ଥିଲେ ଅଶ୍ୱିନୀ ବୈଷ୍ଣବ।

ପରେ ଅଟଳବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ ଅଶ୍ୱିନୀ ବୈଷ୍ଣବ। ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ବେଳେ ହିଁ ବିଜେପି ସହ ମେଣ୍ଟ କରିଥିଲା ବିଜେଡି।

ଏହି ମେଣ୍ଟ ସରକାର ଅମଳରେ ହିଁ ବୈଷ୍ଣବଙ୍କ ସହ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ସମ୍ପର୍କ ରହିଥିଲା। ଏଣୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଦେବାକୁ ଘୋଷଣା କରିଛି।

LEAVE A REPLY

Please enter your comment!
Please enter your name here