ଫକୀର ମୋହନ ନାହାକ
ଓଡ଼ିଶାର ଏକ ଅବିଚ୍ଛିନ୍ନ ଗଡ଼ଜାତ ଥିଲା ଷଢ଼େଇକଳା। ତ୍ରୟୋଦଶ ଶତାବ୍ଦୀରେ ଏଠାରେ ନିର୍ମାଣ କରାଯାଇଥିଲା ଏକ ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର। ତେବେ ଏହି ମନ୍ଦିର ନିର୍ମାଣ ପଛରେ ରହିଛି ଏକ ଲମ୍ବା କାହାଣୀ। ସ୍ଥାନୀୟ ମହାପାତ୍ର ପରିବାରର ପୂର୍ବସୂରୀ ଜଳନ୍ଧର ମହାପାତ୍ର ଢେଙ୍କାନାଳରୁ ଶ୍ରୀଜିଉମାନଙ୍କୁ ନେଇ ଗହ୍ମାରିଆରେ ଥିବା ଜଙ୍ଗଲ ଭିତରେ ପୂଜା କରୁଥିଲେ।
ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହେଉ ବା ପ୍ରଶାସନିକ ଦକ୍ଷତାର ଦୁର୍ବଳତା, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ବେଳେ ନିଜ ଭାଇ ବନ୍ଧୁଙ୍କଠାରୁ ଅଲଗା ହୋଇ ଯାଇଥିଲେ ଖରସୁଆଁ ଓ ଷଢ଼େଇକଳାର ଅଧିବାସୀ। ବହୁଦିନ ଧରି ବିହାରରେ ରହିବା ପରେ ଏବେ ଝାଡ଼ଖଣ୍ଡ ସରକାରଙ୍କ ଅଧୀନରେ ସେମାନେ। ଏମାଟିର ମଣିଷଙ୍କ ପାଇଁ ଭାଷା ବଦଳିଛି, ବଦଳିଛି ପ୍ରଶାସନ, ହେଲେ ବଦଳି ନାହାନ୍ତି ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ। ଶତାଧିକ ବର୍ଷ ଧରି ଏ ମାଟିର ମଣିଷମାନେ ପୂଜାକରି ଆସୁଛନ୍ତି ଶ୍ରୀଜଗନ୍ନାଥଙ୍କୁ। ପ୍ରତିବର୍ଷ ଏଠାରେ ଆୟୋଜନ କରାଯାଉଛି ରଥଯାତ୍ରା।
ଏକଦା ଓଡ଼ିଶାର ଏକ ଅବିଚ୍ଛିନ୍ନ ଗଡ଼ଜାତ ଥିଲା ଷଢ଼େଇକଳା। ତ୍ରୟୋଦଶ ଶତାବ୍ଦୀରେ ଏଠାରେ ନିର୍ମାଣ କରାଯାଇଥିଲା ଏକ ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର। ତେବେ ଏହି ମନ୍ଦିର ନିର୍ମାଣ ପଛରେ ରହିଛି ଏକ ଲମ୍ବା କାହାଣୀ। ସ୍ଥାନୀୟ ମହାପାତ୍ର ପରିବାରର ପୂର୍ବସୂରୀ ଜଳନ୍ଧର ମହାପାତ୍ର ଢେଙ୍କାନାଳରୁ ଶ୍ରୀଜିଉମାନଙ୍କୁ ନେଇ ଗହ୍ମାରିଆରେ ଥିବା ଜଙ୍ଗଲ ଭିତରେ ପୂଜା କରୁଥିଲେ। ଆଉ ଷଢ଼େଇକଳାର ତତ୍କାଳୀନ ରାଜା ଅଭିରାମ ସିଂହ ଯୁଦ୍ଧକୁ ଯିବା ସମୟରେ ଯେତେବେଳେ ଜଙ୍ଗଲ ଭିତରେ ଥିବା ଜଗନ୍ନାଥଙ୍କ ସଂପର୍କରେ ସୂଚନା ପାଇଲେ, ସେଠାରେ ସେ ଦଳବଳ ସହ ଠାକୁରଙ୍କ ଶରଣାପନ୍ନ ହୋଇଥିଲେ।
ମହାପ୍ରଭୁଙ୍କ କରୁଣାରୁ ଯୁଦ୍ଧରେ ବିଜୟୀ ହୋଇଥିଲେ ରାଜା ଅଭିରାମ। ଆଉ ଠାକୁରଙ୍କୁ ଜଙ୍ଗଲରୁ ନେଇ ଏକ ଖପର ଘରେ ସ୍ଥାପନ କରିଥିଲେ। ପରେ ତାଙ୍କ ବଂଶଧର ଉଦିତ ନାରାୟଣ ସିଂହଦେବ ୧୩୧୭ ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠା କରିଥିଲେ ଏହି ମନ୍ଦିର। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏବେ ମନ୍ଦିରଟି ଧୀରେ ଧୀରେ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ପହଂଚିଲାଣି। କିନ୍ତୁ ପୂଜା ରୀତିନୀତି ଠିକ୍ ଭାବେ ଚାଲିଛି।
ଏଠାକାର ମନ୍ଦିରର ପରିଚାଳନା ପାଇଁ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପରାମର୍ଶରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ଷଢ଼େଇକଳା ରାଜ ପରିବାରର ମୁଖ୍ୟ ପ୍ରତାପ ଆଦିତ୍ୟ ସିଂହଦେବଙ୍କ ଅଧ୍ୟକ୍ଷତାରେ କାମ କରୁଛି ଏହି କମିଟି।
ଏହି କମିଟି ହିଁ ମନ୍ଦିରର ବିଭିନ୍ନ ପର୍ବପର୍ବାଣୀ ସହ ରଥଯାତ୍ରା ଆୟୋଜନର ଦାୟିତ୍ୱ ନେଇଥାଏ। ବଡ଼ ଧୁମଧାମରେ ପାଳନ କରାଯାଏ ରଥଯାତ୍ରା। ଆଖପାଖ ଗାଁ ଗଣ୍ଡାରୁ ଲୋକମାନେ ଧାଇଁ ଆସନ୍ତି ରଥଯାତ୍ରାରେ ସାମିଲ ହେବା ପାଇଁ। ସମସ୍ତେ ଆନନ୍ଦ ମନରେ ତିନିଠାକୁରଙ୍କୁ ରଥରେ ବସାଇ ରଥ ଟାଣିନିଅନ୍ତି।
ଝାଡ଼ଖଣ୍ଡର ଏଭଳି ଆଉ ଏକ ଗଡଜାତ ହେଉଛି ଖରସୁଆଁ। ତେବେ ଏଠାରେ ଶ୍ରୀଜଗନ୍ନାଥଙ୍କ ଉପସ୍ଥିତି ଷଢ଼େଇକଳାଠାରୁ ପୁରୁଣା ନୁହେଁ। ପ୍ରାୟ ୩୮୦ ବର୍ଷ ପୂର୍ବେ ସ୍ଥାନୀୟ ଦାଶ ବ୍ରାହ୍ମଣ ପରିବାରର ସଦସ୍ୟମାନେ ପୁରୀରୁ ଶ୍ରୀଜିଉମାନଙ୍କୁ ଆଣିଥିଲେ ଏ ଅଂଚଳକୁ। କିନ୍ତୁ ଦାରିଦ୍ର୍ୟ ଯୋଗୁଁ ଠାକୁରମାନଙ୍କ ସେବାପୂଜାରେ ବିଘ୍ନ ଉପୁଜିଲା। ଶେଷରେ ସେହି ବ୍ରାହ୍ମଣ ପରିବାର, ଖରସୁଆଁର ରାଜ ପରିବାର ହାତରେ ସମର୍ପି ଦେଇଥିଲେ ଶ୍ରୀଜିଉମାନଙ୍କୁ। ସେବେଠାରୁ ଖରସୁଆଁ ରାଜ ପରିବାର ହିଁ ତୁଲାଉଥିଲେ ଶ୍ରୀଜିଉଙ୍କ ସମସ୍ତ ରୀତିନୀତି। କିନ୍ତୁ ଗଡଜାତ ମିଶ୍ରଣ ପରେ ସରକାରଙ୍କ ଦେବୋତର ବିଭାଗ ଆୟୋଜନ କରୁଛନ୍ତି ଶ୍ରୀଜିଉଙ୍କ ସମସ୍ତ ରୀତିନୀତି ଓ ରଥଯାତ୍ରା।
ଖରସୁଆଁ ରଥଯାତ୍ରା ବି ଖୁବ୍ ଆକର୍ଷଣୀୟ। ଏ ଅଂଚଳର ଜନ ପ୍ରତିନିଧିଙ୍କ ପ୍ରୟାସରେ ଗତ କିଛି ବର୍ଷ ମଧ୍ୟରେ ରଥଯାତ୍ରା ଆୟୋଜନରେ ବ୍ୟାପକ ପରିବର୍ତନ ଆସିଛି। ଏପରିକି ଏହି ରଥଯାତ୍ରା ପାଇଁ ସରକାର ଦେଉଥିବା ଅନୁଦାନ ରାଶିର ପରିମାଣ ବି ବଢିଛି। ଫଳରେ ଅତି ଆଡମ୍ବର ସହକାରେ ପାଳନ କରାଯାଉଛି ରଥଯାତ୍ରା। ଏଠାରେ ବି ରଥ ଉପରୁ ଭକ୍ତମାନଙ୍କୁ ପ୍ରସାଦ ବଂଟନର ଏକ ମନଛୁଆଁ ପରଂପରା ରହିଛି। ତେଣୁ ବହୁସଂଖ୍ୟାରେ ଭକ୍ତ ବିଭିନ୍ନ ଗ୍ରାମାଂଚଳରୁ ଦୌଡି ଆସନ୍ତି ଏହି ରଥଯାତ୍ରାରେ ସାମିଲ ହୋଇ ପ୍ରଭୁକୃପା ଲାଭ କରିବା ପାଇଁ।
ଓଡିଶାର ବିଚ୍ଛିନ୍ନାଂଚଳ କେବଳ ଏହି ଷଢେଇକଳା କି ଖରସୁଆଁ ମଧ୍ୟରେ ସୀମିତ ନୁହେଁ। ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର ବି ଏଭଳି ଅନେକ ଅଂଚଳ ରହିଛି, ଯେଉଁଠି ନିଜ ଭାଷା, ଭାବ ଓ ସଂସ୍କୃତିଠୁ ବିଚ୍ଛିନ୍ନ ହୋଇ ରହିଯାଇଛନ୍ତି ଓଡିଆମାନେ। କିନ୍ତୁ ସେମାନଙ୍କୁ କେହି ବିଚ୍ଛିନ୍ନ କରିପାରିନି ଆରାଧ୍ୟ ଶ୍ରୀଜଗନ୍ନାଥଙ୍କଠାରୁ। ସେ ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ପଶ୍ଚିମ ମେଦିନୀପୁର ଜିଲ୍ଲାର ମୋହନପୁର ଗାଁ ହେଉ କି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ଥିବା ଟିକାଲି, ମନ୍ଦାଷା (ମଂଜୁଷା) ବା ସୋମପେଣ୍ଠ। ଏ ସବୁ ସ୍ଥାନରେ ରହିଛି ଶ୍ରୀଜଗନ୍ନାଥଙ୍କ ମନ୍ଦିର। ପ୍ରତିବର୍ଷ ଆୟୋଜିତ ହେଉଛି ରଥଯାତ୍ରା। ତେବେ ଅଧିକାଂଶ ସ୍ଥାନରେ ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିରସବୁ ନଷ୍ଟ ହେବାକୁ ବସିଲାଣି ।
ଏ ସମସ୍ତ ବିଚ୍ଛିନ୍ନାଞ୍ଚଳରେ ଥିଲେ ବି ରଥଯାତ୍ରା ଆୟୋଜନ ଓ ଶ୍ରୀଜିଉମାନଙ୍କ ପୂଜାର୍ଚ୍ଚନାରେ ଲୋକଙ୍କ ଆଗ୍ରହରେ କୌଣସି ଭଟ୍ଟାପଡିନି। ବରଂ ପ୍ରତିବର୍ଷ ଏଥିରେ ଲୋକଙ୍କ ଯୋଗଦାନ ବଢୁଛି। ଆଉ ଶ୍ରୀଜଗନ୍ନାଥଙ୍କ ପ୍ରସାଦ ପାଇଁ ସମସ୍ତେ ଆନନ୍ଦ ମନରେ ଘରମୁହାଁ ହେଉଛନ୍ତି।
(ଲେଖକ ଜଣେ ଗଣମାଧ୍ୟମ ବ୍ୟକ୍ତିତ୍ୱ ଏବଂ ସଂପ୍ରତି ଏକ ଜାତୀୟ ସ୍ତରର ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଷୟରେ ଅଧ୍ୟାପନାରତ)