ଓଡ଼ିଶାଲାଇଭ ବ୍ୟୁରୋ
ନବୀନ ନିବାସରେ ଆଜି ଅନୁଷ୍ଠିତ ହୋଇଛି ବିଜେଡି ବିଧାୟକ ବୈଠକ। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ବିଧାୟକଙ୍କ ଆଚରଣ ବ୍ୟବହାର ସରଳ ଓ ନ୍ରମ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।
ଦଳର ସାଙ୍ଗଠନିକ ସ୍ଥିତି କିପରି ଦୃଢ଼ ହେବ ସେ ବିଷୟରେ ଆଲୋଚନା କରିବା ସହ ବିଧାୟକ ମାନେ ଯେମିତି ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖକୁ ଯାଉଥିଲେ ଏବେ ବି ଲୋକଙ୍କ ନିକଟକୁ ଯାଆନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।
ବିଧାୟକମାନେ ଲୋକାଭିମୁଖୀ ହେବା ଦରକାର ଏବଂ ଲୋକଙ୍କ ସହ ରହିବା, ବିକାଶ କଥା ବୁଝିବା ଦରକାର ବୋଲି ନବୀନ କହିଛନ୍ତି। ଏଥିସହ ସରକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା, ଲୋକଙ୍କୁ ସଚେତନ କରିବା କ୍ଷେତ୍ରରେ ବିଧାୟକମାନେ କାର୍ଯ୍ୟ କରୁନ୍ତୁ ବୋଲି ନବୀନ ଗୁରୁମନ୍ତ୍ରଣା ଦେଇଛନ୍ତି।
‘‘ସଭାପତି କିଛି ନୂଆ ଦିଗଦର୍ଶନ ଦେଲେ। ଲୋକଙ୍କ ସହିତ ଜଡ଼ିତ ରହିବାକୁ ନିର୍ଦ୍ଦେଶ ଦେଲେ। ଦଳୀୟ ସଙ୍ଗଠନ ଉପରେ ଆଲୋଚନା ହେଲା‘‘ ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା।
ପୁରୁଣା ବିଧାୟକଙ୍କ ସହ ନବୀନ ପୌର ନିର୍ବାଚନ ଓ ପାଟକୁରା ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ନବୀନ।
ପଞ୍ଚମ ଥର ପାଇଁ କ୍ଷମତାକୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିର୍ବାଚିତ ବିଧାୟକଙ୍କୁ ସେମାନଙ୍କ ଆଚରଣ, ବ୍ୟବହାର କିପରି ରହିବା ଉଚିତ ସେ ସମ୍ପର୍କରେ ପରାମର୍ଶ ଦେବାପାଇଁ ନବୀନ ନିବାସକୁ ଡାକିଥିଲେ।














