ଓଡ଼ିଶାଲାଇଭ ବ୍ୟୁରୋ
ବନ୍ଧୁକ ଡ୍ୟାନ୍ସ ବିଧାୟକଙ୍କୁ ମହଙ୍ଗା ପଡ଼ିଛି। ଉତ୍ତରାଖଣ୍ଡ ବିଧାୟକ କୁଅଁର ପ୍ରଣବ ସିଂହ ଚାମ୍ପିୟନଙ୍କର ହାତରେ ବନ୍ଧୁକ ଧରି ନାଚିବା ଭଳି ବିଶୃଙ୍ଖଳିତ ଆଚରଣ ଯୋଗୁଁ ବିଜେପି ତାଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଇଛି। ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।
ଏଥିସହିତ ତାଙ୍କ ବିରୋଧରେ ଡେରାଡୁନର ନେହେରୁ ଥାନରେ ମାମଲା ମଧ୍ୟ ରୁଜୁ ହୋଇଛି।
ବିଜେପିରୁ ନିଲମ୍ବିତ ବିଧାୟକ କୁଅଁର ପ୍ରଣବ ସିଂ ଚାମ୍ପିୟନଙ୍କ ‘ରାଣାଜୀ ରୂପ’ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦଳ ତାଙ୍କ ବିରୋଧରେ ପଦକ୍ଷେପ ନେଇଛି।
ଉତ୍ତରାଖଣ୍ଡର ଖାନପୁରର ବିଧାୟକ ଚାମ୍ପିୟନ ଏକ ଭିଡିଓରେ ଗୋଟିଏ ହାତରେ ମଦ ଓ ଅନ୍ୟ ହାତରେ ଦୁଇଟି ବନ୍ଧୁକ ଧରି, ପାଟିରେ ବନ୍ଧୁକ କାମୁଡ଼ି ଫିଲ୍ମ ଗୀତ ‘ମୁଝକୋ ରାଣାଜୀ ମାଫ୍ କରନା’ରେ ନାଚୁଥିବା ଦେଖିବାକୁ ମିଳିଥିଲା।
ସୋସିଆଲ ମିଡିଆରେ ଚାମ୍ପିୟନଙ୍କ ଭିଡିଓ ଭାଇରାଲ ହେବା ପରେ ଏଥିରେ ବିଜେପି ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲା। ୩ ମାସ ପାଇଁ ନିଲମ୍ବିତ ଏହି ବିଧାୟକଙ୍କୁ ଦଳ ଶେଷରେ ବହିଷ୍ମାର କରିଛି। ସାମ୍ବାଦିକଙ୍କୁ ଦୁର୍ବବ୍ୟବହାର ଅଭିଯୋଗରେ ଗତମାସରେ ବିଧାୟକଙ୍କୁ ୩ ମାସ ପାଇଁ ଦଳରୁ ନିଲମ୍ବନ କରାଯାଇଥିଲା।


















