ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ନିର୍ବାଚନରେ ନିର୍ବାଚିତ ହୋଇଥିବା ବିଧାୟକ ଓ ସାଂସଦମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଅସୀମ ଓଡ଼ିଶା ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ନାଲ୍କୋ ଅଡିଟୋରିୟମରେ ଏହି ଉତ୍ସବ ଗତ ୧୭ ତାରିଖ ସନ୍ଧ୍ୟାରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା।
ଏହି ଉତ୍ସବରେ ସବୁ ଦଳର ନବ ନିର୍ବାଚିତ ବିଧାୟକ, ସାଂସଦମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଏହି ଉତ୍ସବରେ ଯୋଗ ଦେଇ ନବ ନିର୍ବାଚିତ ବିଧାୟକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଏହି ଉତ୍ସବରେ ଅସୀମ ଓଡ଼ିଶାର ଜାତୀୟ ସଭାପତି କ୍ଷୀରୋଦ କୁମାର ଜେନା ଯୋଗ ଦେଇ କହିଥିଲେ, ‘‘ଅସୀମ ଓଡ଼ିଶା ସଙ୍ଗଠନ ଓଡ଼ିଶା ବାହାରେ ରହି ଓଡ଼ିଆମାନଙ୍କ ପାଇଁ କାମ କରିଥାଏ। ଓଡ଼ିଶାର ଯଦି କୌଣସି ଲୋକ ଅନ୍ୟ କେଉଁ ରାଜ୍ୟକୁ ଚାକିରି କିମ୍ବା ରୋଜଗାର କରିବା ଉଦ୍ଦେଶ୍ୟରେ ଯାଇଥାଏ ଆମ ସଙ୍ଗଠନ ତାଙ୍କୁ ସହଯୋଗ କରିଥାଏ। ଏହାସହ ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ପିଲାମାନେ କେମିତି ଅନଲାଇନ ମାଧ୍ୟମରେ ଓଡ଼ିଆ ଭାଷା ଶିଖିବେ ସେନେଇ ମଧ୍ୟ ଉଦ୍ୟମ ଜାରି ରହିଛି। ଓଡ଼ିଶାକୁ ଆଗକୁ ନେବା ପାଇଁ ଅସୀମ ଓଡ଼ିଶା ପକ୍ଷରୁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି ତାହା ଆଗକୁ ମଧ୍ୟ ଜାରି ରହିବ।’’
ଏହି ଉତ୍ସବରେ ଅସୀମ ଓଡ଼ିଶା ସଙ୍ଗଠନର ଜାତୀୟ ସଂଯୋଜକ କିଶୋର ଦ୍ୱିବେଦୀ ସ୍ୱାଗତ ଭାଷଣ ଦେଇଥିଲେ।
‘‘ଅସୀମ ଓଡ଼ିଶା ସଙ୍ଗଠନ ଯେଉଁ ଉଦ୍ୟମ କରୁଛି ତାହା ପ୍ରଶଂସନୀୟ। ଆଗକୁ ମଧ୍ୟ ଏହି ସଙ୍ଗଠନ ଏଭଳି ଧାରା ବଜାୟ ରଖୁ। ଓଡ଼ିଶାର କଳା, ସଂସ୍କୃତିକୁ ଓଡ଼ିଶା ବାହାରେ ପ୍ରଚାର ପ୍ରସାର କରିବାରେ ଏହି ସଙ୍ଗଠନର ପ୍ରମୁଖ ଭୂମିକା ରହିଛି। ନବ ନିର୍ବାଚିତ ବିଧାୟକମାନଙ୍କୁ ସମ୍ବର୍ଦ୍ଧିତ କରିଥିବାରୁ ଅସୀମ ଓଡ଼ିଶା ସଙ୍ଗଠନର ସବୁ କର୍ମକର୍ତ୍ତାଙ୍କୁ ଧନ୍ୟବାଦ’’, କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।
ଏହି ଉତ୍ସବରେ ଅସୀମ ଓଡ଼ିଶା ସଙ୍ଗଠନର ଜାତୀୟ ଉପ-ସଭାପତି ଡକ୍ଟର ବିପିନ ମିଶ୍ର ଏବଂ ଡକ୍ଟର ଦେବଦତ୍ତ ସିଂହଦେଓଙ୍କ ସମେତ ଅନ୍ୟ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ସବୁ ସମ୍ବର୍ଦ୍ଧିତ ହୋଇଥିବା ନବ ନିର୍ବାଚିତ ବିଧାୟକ ଓ ସାଂସଦମାନେ ଅସୀମ ଓଡ଼ିଶାର ଏହି ପଦକ୍ଷେପକୁ ଧନ୍ୟବାଦ ଦେଇଥିଲେ।