ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ଵର): ନ୍ୟାସନାଲ ଆଲୁମିନିୟମ୍ କମ୍ପାନି ଲିମିଟେଡ (ନାଲକୋ) ଆର୍ଥିକ ବର୍ଷ ୨୦୨୪-୨୫ରେ ସର୍ବକାଳୀନ ନିଟ ଲାଭ କରିବାର ରେକର୍ଡ ହାସଲ କରିଛି। ଆର୍ଥିକ ବର୍ଷ ୨୦୨୪-୨୫ରେ ସର୍ବକାଳୀନ ୫,୩୨୫ କୋଟି ଟଙ୍କାର ନିଟ୍ ଲାଭ କରି ଆର୍ଥିକ ମାଇଲଖୁଣ୍ଟ ଛୁଇଁଛି କମ୍ପାନି। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହା ୧୫୮ ପ୍ରତିଶତ ବୃଦ୍ଧି ପାଇଛି।

ଆର୍ଥିକ ବର୍ଷ ୨୦୨୪-୨୫ରେ କମ୍ପାନି ସର୍ବକାଳୀନ ସର୍ବାଧିକ ରେକର୍ଡ ସହ ୧୬,୭୮୮ କୋଟି ଟଙ୍କାର ମୋଟ ବ୍ୟବସାୟ କରିଛି।

୨୦୨୫ ମାର୍ଚ୍ଚରେ ଶେଷ ହୋଇଥିବା ଚତୁର୍ଥ ତ୍ରୈମାସିକରେ କମ୍ପାନିର ନିଟ୍ ଲାଭରେ ୧୦୫ ପ୍ରତିଶତ ଅଭିବୃଦ୍ଧି ହୋଇ ସର୍ବକାଳୀନ ୨,୦୭୮ କୋଟି ଟଙ୍କା ହୋଇଛି। ଆର୍ଥିକ ବର୍ଷ ୨୦୨୩-୨୪ର ଚତୁର୍ଥ ତ୍ରୈମାସରେ ନିଟ ଲାଭ ୧,୦୧୬ କୋଟି ଟଙ୍କା ରହିଥିଲା।

ସେହିପରି ଚତୁର୍ଥ ତ୍ରୈମାସିକରେ କମ୍ପାନି ୫,୨୬୮ କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ ବିଗତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ଏହି ପରିମାଣ ୩,୫୭୯ କୋଟି ଟଙ୍କା ଥିଲା।

ଏହି ଅବସରରେ ନାଲକୋର ସିଏମଡି ବିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି, “କମ୍ପାନିର ଏପରି  ଉଲ୍ଲେଖନୀୟ ପ୍ରଦର୍ଶନ, କର୍ମଚାରୀଙ୍କ ପ୍ରତିବଦ୍ଧତାର ପ୍ରତିଫଳନ। ଦୃଢ଼ ଆର୍ଥିକ ପ୍ରଦର୍ଶନ ଏବଂ ବ୍ୟବସାୟିକ ଅଭିବୃଦ୍ଧି ଫଳରେ ଆଜିର ବଜାରରେ ପ୍ରତିଯୋଗିତାମୂଳକ ମୂଲ୍ୟ ବଜାୟ ରଖିବାରେ ନାଲକୋ ସଫଳ ହୋଇଛି।”

ନାଲକୋ ୨୦୨୪-୨୫ରେ ସର୍ବକାଳୀନ ସର୍ବାଧିକ ୭୬.୪୮ ଲକ୍ଷ ଟନ ବକ୍ସାଇଟ୍ ଉତ୍ତୋଳନ କରିବା ସହ ଘରୋଇ ବଜାରରେ ସର୍ବକାଳୀନ ୪.୫୫ ଲକ୍ଷ ଟନ ଧାତୁ ବିକ୍ରୟ କରିଛି। ଗୋଟିଏ ଆର୍ଥିକ ବର୍ଷରେ ମୋଟ ୧୬,୭୮୮ କୋଟି ଟଙ୍କାର ବ୍ୟବସାୟ କରି ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଛି ନାଲକୋ।

Tags: #NALCO #NetProfit #Revenue

Comment