ଓଡ଼ିଶାଲାଇଭ୍ ବ୍ୟୁରୋ

ନବରତ୍ନ କମ୍ପାନି ନାଲ୍‌କୋର ମହିଳାମାନଙ୍କୁ ନେଇ ଗଠିତ ‘ନାଲ୍‌କୋ ମହିଳା ସମିତି’ ପାଳନ କରିଛି ଏହାର ବାର୍ଷିକ ଉତ୍ସବ ‘ବନ୍ଧନ’। ନୃତ୍ୟ, ଗୀତ ଅଭିନୟ ମାଧ୍ୟମରେ ସମିତିର ମହିଳାମାନେ ପାଳିଛନ୍ତି ନାରୀ ସଶକ୍ତିକରଣର ପର୍ବ। ନିକଟରେ ଭୁବନେଶ୍ଵରସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ସମିତି ପକ୍ଷରୁ ଏହି ଉତ୍ସବ ପାଳନ ହୋଇଯାଇଛି।ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, “ନାଲ୍‌କୋର ଏକ ଅଙ୍ଗ ଭାବେ ନାଲ୍‌କୋ ମହିଳା ସମିତି ବିଭିନ୍ନ ସାମାଜିକ କ୍ଷେତ୍ର ସହ ଯୋଡ଼ି ହୋଇ ରହିଛି। ‘ବନ୍ଧନ’ ଜରିଆରେ ପୂରା ନାଲ୍‌କୋ ପରିବାରକୁ ଏକ ସୂତ୍ରରେ ବାନ୍ଧି ପାରିଛି ନାଲ୍‌କୋ ମହିଳା ସମିତି। ସମିତିର ଏହି ଯାତ୍ରା ଜାରି ରହିବ ଏବଂ ଆଗାମୀ ଦିନରେ ନାରୀ ସଶକ୍ତିକରଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଛୁଇଁବାରେ ସଫଳ ହେବ।”

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର-କଟକ କମିଶନରେଟ୍ ପୋଲିସର କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଅତିଥି ଭାବେ ଯୋଗଦେଇ କହିଥିଲେ, “ଓଡ଼ିଶାର ସବୁଠାରୁ ବଡ଼ ନବରତ୍ନ କମ୍ପାନି ଭାବେ ନାଲ୍‌କୋ ଆଜି ଦେଶ ବିଦେଶରେ ପରିଚିତ। ନାଲ୍‌କୋ ପରିବାରର ଏକ ଅଙ୍ଗ ଭାବେ ନାଲ୍‌କୋ ମହିଳା ସମିତି ନାରୀ ସଶକ୍ତିକରଣ ଦିଗରେ କାମ କରୁଛି। ବିଶେଷକରି, ନାରୀମାନଙ୍କ ସ୍ଵରକୁ ଆଗକୁ ନେବା ସହ ସେମାନଙ୍କ ସ୍ଵପ୍ନକୁ ସଫଲ କରିବାରେ ଏହା ଏକ ନୂଆ ମାଧ୍ୟମ ହେବ।” ଏହି ଅବସରରେ ସେ ନାଲ୍‌କୋ ମହିଳା ସମିତିର ସଭାପତି ତଥା ସଦସ୍ୟାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

“ନାଲ୍‌କୋ ମହିଳା ସମିତି ସବୁବେଳେ ଏକତାରେ ବିଶ୍ଵାସ କରେ। ସେଥିଲାଗି ଆମ ୩ଟିଯାକ ଶାଖାର ସଦସ୍ୟାମାନଙ୍କ ପରିବାରକୁ ନେଇ ଆମେ ଏ ଉତ୍ସବର ନାଁ ରଖିଛୁ ‘ବନ୍ଧନ’। ଏ ବନ୍ଧନ ଦିନକୁ ଦିନ ମଜଭୂତ ହୋଇ ଚାଲିଛି। ସମିତିର ପ୍ରତି ନାରୀଙ୍କ ଲୁକ୍‌କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହେଉଛି”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ନାଲ୍‌କୋ ମହିଳା ସମିତିର ସଭାପତି ସସ୍ମିତା ପାତ୍ର।ଚଳିତ ବର୍ଷ ପ୍ରଥମଥର କରି ନାଲ୍‌କୋ ମହିଳା ସମିତିର ଭୁବନେଶ୍ଵର, ଅନୁଗୁଳ ଏବଂ ଦାମନଯୋଡ଼ି ୩ଟିଯାକ ଶାଖାର ସଦସ୍ୟାମାନେ ମିଶିକରି ପାଳନ କରିଛନ୍ତି ସମିତିର ବାର୍ଷିକ ଉତ୍ସବ ବନ୍ଧନ। ଏହି ଅବସରରେ ବିଭିନ୍ନ ଶାଖାର ସଦସ୍ୟାମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସଦସ୍ୟାମାନଙ୍କ ଦ୍ଵାରା ଲିଖିତ ବିଭିନ୍ନ ପ୍ରବନ୍ଧକୁ ନେଇ ପ୍ରକାଶିତ ସଂକଳନ ‘ସଙ୍ଗିନୀ’ର ଏଠାରେ ଲୋକାର୍ପଣ କରାଯାଇଥିଲା। ଶେଷରେ ଭୁବନେଶ୍ଵରର ବିଦ୍ୟାକନକ ନାଟ୍ୟ ଅନୁଷ୍ଠାନ ପକ୍ଷରୁ ‘ଏଇ ବୋଧେ ପ୍ରେମ’ ନାଟକ ମଞ୍ଚସ୍ଥ ହୋଇଥିଲା।

ଏହି ଉତ୍ସବରେ ନାଲ୍‌କୋ ମହିଳା ସମିତିର ଉପଦେଷ୍ଟା ସ୍ମିତା ନନ୍ଦ, କାମିନୀ ଜୋଶୀ, ନାଲ୍‌କୋ ଲେଡିଜ୍ କ୍ଲବ୍ ଅନୁଗୁଳର ଉପ ସଭାପତି ଗୀତାଞ୍ଜଳି ପ୍ରଧାନ, ଲେଡିଜ୍ କ୍ଲବ୍ ଦାମନଯୋଡ଼ିର ଉପ ସଭାପତି ସୀମା ପାଢ଼ୀଙ୍କ ସମେତ ନାଲ୍‌କୋ ମହିଳା ସମିତିର ୩ଟିଯାକ ଶାଖାର ସଦସ୍ୟାମାନେ ଯୋଗ ଦେଇଥିଲେ। ସେହିପରି ନାଲ୍‌କୋର ପ୍ରମୁଖ ଅଧିକାରୀମାନଙ୍କ ମଧ୍ୟରେ ନିର୍ଦ୍ଦେଶକ (ଫାଇନାନ୍ସ) ରମେଶ ଚନ୍ଦ୍ର ଜୋଶୀ, ନିର୍ଦ୍ଦେଶକ (ଏଚ୍‌ଆର୍) ରାଧାଶ୍ୟାମ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

Tags: #NALCO #NALCOMahilaSamiti #Bandhan

LEAVE A REPLY

Please enter your comment!
Please enter your name here