ଓଡ଼ିଶାଲାଇଭ୍ ବ୍ୟୁରୋ

ନାସନାଲ୍ ଆଲୁମିନିୟମ କମ୍ପାନି ଲିମିଟେଡ (ନାଲକୋ) ଆର୍ଥିକ ବର୍ଷ ୨୦୨୨-୨୩ରେ ବକ୍ସାଇଟ ଉତ୍ପାଦନରେ ସର୍ବକାଳୀନ ରେକର୍ଡ କରିଛି। ପୂର୍ବ ଆର୍ଥିକ ବର୍ଷରେ କମ୍ପାନି ୭୫.୫୧ ଲକ୍ଷ ଟନ୍ ବକ୍ସାଇଟ ଉତ୍ପାଦନ କରିଛି। ଏହାସହିତ କମ୍ପାନି ୧୪ ହାଜର ୨୫୫ କୋଟିର ଟଙ୍କା ଆୟ କରି ଏଥିରୁ ମୋଟ ୧,୫୪୪ କୋଟି ଟଙ୍କା ଲାଭ ଅର୍ଜନ କରିଛି। ଏନେଇ ବୁଧବାର ଭୁବନେଶ୍ଵରରେ ଆୟୋଜିତ ହୋଇଥିବା ନାଲକୋର ନିର୍ଦେଶକ ପରିଷଦର  ବୈଠକରୁ ସୂଚନା ମିଳିଛି।

ନାଲକୋ ୨୦୨୨-୨୩ ଆର୍ଥିକ ବର୍ଷରେ ନିଜର ଆଲୁମିନା ହାଇଡ୍ରେଟ ଉତ୍ପାଦନ କ୍ଷମତାକୁ ଆହୁରି ବଢ଼ାଇଛି। କମ୍ପାନି ୨୧ ଲକ୍ଷ ଟନ ଆଲୁମିନା ହାଇଡ୍ରେଟ ଉତ୍ପାଦନ କରିବାର କ୍ଷମତା ରଖୁଥିବାବେଳେ ଗତ ଆର୍ଥିକ ବର୍ଷରେ ଏଥିରୁ ୨୧.୨୩ ଲକ୍ଷ ଟନ ଉତ୍ପାଦନ କରିଛି। ଏହାଛଡ଼ା କମ୍ପାନିର ସ୍ମେଲଟର ପ୍ଳାଣ୍ଟ ମଧ୍ୟ ୪.୬ ଲକ୍ଷ ଟନର ଧାତୁ ଉତ୍ପାଦନ କରିବାର ପୂର୍ଣ୍ଣ କ୍ଷମତା ହାସଲ କରିଛି।

ଅନ୍ୟପଟେ ନାଲକୋ ନିଜର ବ୍ୟବସାୟକୁ ବଢ଼ାଇଛି। କମ୍ପାନି ପକ୍ଷରୁ ଆର୍ଥିକ ବର୍ଷ ୨୦୨୨-୨୩ରେ ୪.୬୪ ଲକ୍ଷ ଟନର ଆଲୁମିନିୟମ ବିକ୍ରି କରାଯାଇଛି। ଗତ ଆର୍ଥିକ ବର୍ଷରେ କମ୍ପାନିକୁ ହୋଇଥିବା ମୋଟ ଲାଭରୁ ୫୨୨ କୋଟି ଟଙ୍କା କେବଳ ଶେଷ ୪ ମାସରେ ମିଳିଛି।

“ନାଲକୋ ନିଜର ଉତ୍ପାଦନ କ୍ଷମତା ଓ ବ୍ୟବସାୟ ବଢ଼ାଇବା ପାଇଁ ଆଗରୁ ଯେଉଁ ସବୁ ପଦକ୍ଷେପ ନେଇଥିଲା ତାହାର ଫଳ ଆଜି କମ୍ପାନିକୁ ମିଳୁଛି। ଏହାଛଡ଼ା କଞ୍ଚାମାଲର ଉପଯୁକ୍ତ ବ୍ୟବହାର ଓ ପୁଞ୍ଜିର ସଠିକ ବିନିଯୋଗ କମ୍ପାନିର ବ୍ୟବସାୟିକ ଲାଭକୁ ଆହୁରି ବଢ଼ାଇଛି। ଆଗକୁ ମଧ୍ୟ ଏହିଭଳି ଭାବେ କମ୍ପାନିର ଅଭିବୃଦ୍ଧି ହେବ ବୋଲି ଆମେ ଆଶାବାଦୀ ଅଛୁ”, କହୁଛନ୍ତି ନାଲକୋର ମୁଖ୍ୟ ପରିଚାଳନା ନିର୍ଦେଶକ ଶ୍ରୀଧର ପାତ୍ର।       

ଆଗକୁ ନାଲକୋ ଓଡ଼ିଶାରେ ନିଜର ପଞ୍ଚମ ରିଫାଇନାରୀ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଯୋଜନା ରଖିଛି। ଏହାଛଡ଼ା କମ୍ପାନି ପକ୍ଷରୁ ରାଜ୍ୟରେ ପଟାଙ୍ଗି ବକ୍ସାଇଟ ଖଣି ଓ ଉତ୍କଳ ‘ଡି’ ଓ ‘ଇ’ କୋଇଲା ବ୍ଲକର ବିକାଶ କରିବା ପାଇଁ ଯୋଜନା କରାଯାଇଛି। ଏହା କମ୍ପାନିର ଅଭିବୃଦ୍ଧିରେ ଆହୁରି ସହାୟକ ହେବ।

Tags: #NALCO #BauxiteExcavation #AluminumProduction#OperationalPerformance #BusinessGrowth #FY2022-23

Comment