ଓଡ଼ିଶାଲାଇଭ୍ ବ୍ୟୁରୋ

  • ନାଲ୍‌କୋର ୪୧ତମ ବାର୍ଷିକ ସାଧାରଣ ବୈଠକ
  • ୧୪,୧୮୧ କୋଟି ଟଙ୍କାର ରେକର୍ଡ ଆୟ
  • ଟିକସ ପରିବର୍ତ୍ତୀ ଲାଭ ୨,୯୫୨ କୋଟି

ଦେଶର ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ୨୦୨୧-୨୨ ଆର୍ଥିକ ବର୍ଷରେ ଉତ୍ପାଦନ ଏବଂ ଆର୍ଥିକ କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିଛି। ଚଳିତ ବର୍ଷ କମ୍ପାନି ମୋଟ ୧୪,୧୮୧ କୋଟି ଟଙ୍କାର କାରବାର କରିଥିବାବେଳେ ୨,୯୫୨ କୋଟି ଟଙ୍କାର ଟିକସ ପରବର୍ତ୍ତୀ ଲାଭ ହାସଲ କରିଛି। ଏ ନେଇ ନାଲ୍‌କୋର ୪୧ତମ ବାର୍ଷିକ ସାଧାରଣ ବୈଠକରେ ସୂଚନା ଦିଆଯାଇଛି।

୨୦୨୧-୨୨ ଆର୍ଥିକ ବର୍ଷରେ ନାଲ୍‌କୋ ପ୍ରଥମ ଥର ଲାଗି ନିଜର ସ୍ମେଲର ଫ୍ଲାଣ୍ଟରେ ୯୬୦ଟି ପଟ୍‌କୁ କାର୍ଯ୍ୟକ୍ଷମ କରି ଶତପ୍ରତିଶତ କ୍ଷମତା ଉପଯୋଗରେ ସର୍ବାଧିକ ୪,୬୦,୦୦୦ ଟନ ଆଲୁମିନିୟମ ଉତ୍ପାଦନ କରିଛି। ନାଲ୍‌କୋର ଦାମନଯୋଡ଼ି ସ୍ଥିତ ଖଣି ଏବଂ ବିଶୋଧନ ପ୍ରକଳ୍ପରୁ ସର୍ବାଧିକ ୭୫,୧୧,୦୭୫ ଟନର ବକ୍ସାଇଟ ଉତ୍ପାଦନ କରାଯାଇଛି। ଏହାର କମ୍ପାନି ପ୍ରତିଷ୍ଠା ହେବା ପରଠାରୁ ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି।

ଏହି କ୍ରମରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସେୟାର ପିଛା ୧ ଟଙ୍କା ୫୦ ପଇସା ଟଙ୍କା ହିସାବରେ ୩୦ ପ୍ରତିଶତ ଲାଭାଂଶ ପ୍ରଦାନ କରିବାକୁ କମ୍ପାନି ପରିଷଦ ଅନୁମୋଦନ ଦେଇଛି।

ଏହି ଅବସରରେ ନାଲକୋ ସିଏମଡି ଶ୍ରୀଧର ପାତ୍ର କହିଛନ୍ତି ଯେ, “କମ୍ପାନି ଇତିହାସରେ ୨୦୨୧-୨୨ ଏକ ଐତିହାସିକ ବର୍ଷ। କମ୍ପାନି ମହାମାରୀ ବର୍ଷ ସତ୍ତ୍ଵେ ଏଭଳି ସଫଳତା ନାଲ୍‌କୋ କର୍ମଚାରୀମାନଙ୍କ ମିଳିତ ଉଦ୍ୟମକୁ ପ୍ରଦର୍ଶନ କରିଛି। ବିଶ୍ଵରେ ସବୁଠାରୁ କମ ମୂଲ୍ୟରେ ନାଲ୍‌କୋ ବକ୍ସାଇଟ ଏବଂ ଆଲୁମିନା ଉତ୍ପାଦନ କରିଛି।”

ଗୁଜୁରାଟ ଆଲକାଲାଇସ ଆଣ୍ଡ କେମିକାଲ୍ସ ଲିମିଟେଡ ସହ ଯୌଥ ଉଦ୍ୟୋଗରେ ନିର୍ମିତ କାଷ୍ଟିକ ସୋଡ଼ା ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବା ସିଏମଡି ଶ୍ରୀଧର ପାତ୍ର ସୂଚନା ଦେଇଛନ୍ତି।

Tags: #NALCO #AnnualGeneralMeeting #Production #Profit #Aluminium

Comment