ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଜଣେ ମାମୁଲି ଡାକ ପିଅନ ବା ପୋଷ୍ଟମ୍ୟାନର ପୁଅ ଜଣେ ବିଶିଷ୍ଟ ଗଣିତଜ୍ଞ ହୋଇପାରେ। ପରିବାରରେ ଘୋର ଆର୍ଥିକ ଅଭାବ ଅନଟନ ସତ୍ତ୍ୱେ ବି ନିଜର କଠିନ ପରିଶ୍ରମ ସାହାଯ୍ୟରେ ଆନ୍ତର୍ଜାତିକ ସ୍ତରରେ ନିଜକୁ ପ୍ରତିଷ୍ଠିତ କରିପାରେ। ସେମତି ଏକ ବ୍ୟକ୍ତିତ୍ୱ ହେଲେ ସୁପର ୩୦ର ରିୟଲ ହିରୋ ଆନନ୍ଦ କୁମାର।
ଶିକ୍ଷାକୁ ନେଇ ସମାଜସେବା
ନିଜ ପାଇଁ ଦେଖଥିବା ସ୍ୱପ୍ନ ସିନା ତାଙ୍କର ପୂରଣ ହୋଇ ପାରିଲାନି ହେଲେ ଗରିବ ମେଧାବୀ ପିଲା ଯେମିତି ଉଚ୍ଚଶିକ୍ଷାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ସେ ଲାଗି ପଡ଼ିଥିଲେ। ଶିକ୍ଷାକୁ ନେଇ ଏକ ପ୍ରକାର ସମାଜସେବା ସେ ଆରମ୍ଭ କରିଦେଇ ଥିଲେ।
ଆନନ୍ଦଙ୍କ ସଂଘର୍ଷପୂର୍ଣ୍ଣ ଜୀବନକୁ ନେଇ ’ସୁପର୍ ୩୦’
ଆନନ୍ଦ କୁମାରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ତାଙ୍କ ଜୀବନର ସଂଘର୍ଷପୂର୍ଣ୍ଣ କାହାଣୀକୁ ନେଇ ନିର୍ମିତ ହୋଇଥିବା ଫିଲ୍ମ ‘ସୁପର ୩୦’ ରିଲିଜ ହେବା ପରେ ତାଙ୍କ ଚର୍ଚ୍ଚା ଆହୁରି ବଢ଼ିଯାଇଛି। ଏହି ଫିଲ୍ମରେ ବଲିଉଡ ଅଭିନେତା ହ୍ରିତିକ ରୋଶନ ସିନା ପରଦା ଉପରେ ନାୟକ ସାଜିଛନ୍ତି ହେଲେ ପରଦା ପଛର ଅସଲ ହିରୋ ଆନନ୍ଦ କୁମାର।
ଆନନ୍ଦ କୁମାର ହେଲେ ବିହାର ପାଟନାର ନିବାସୀ। ତାଙ୍କ ସ୍କୁଲ ଶିକ୍ଷା ସରିବା ପରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ପାଇଁ ସୁଯୋଗ ମିଳିଥିଲା। ସେହି ସମୟରେ ତାଙ୍କ ବାପାଙ୍କର ମୃତ୍ୟ ଏବଂ ଆର୍ଥିକ ଅଭାବରୁ ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଯାଇ ପାରିନଥିଲେ। ମା’ଙ୍କ ସହ ପାମ୍ପଡ଼ ବିକିବା ସହ ସନ୍ଧ୍ୟାରେ ଟ୍ୟୁସନ କରିବା ଆରମ୍ଭ କରିଦେଇଥିଲେ। ଗରିବ ମେଧାବୀ ପିଲା ଯେମିତି ଶିକ୍ଷାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଆରମ୍ଭ କରି ଦେଇଥିଲେ ଅଭିଯାନ।
ପ୍ରତିବର୍ଷ ୩୦ ଜଣ ଗରିବ ପିଲାଙ୍କୁ ମାଗଣାରେ ଆଇଆଇଟି କୋଚିଂ ଦେଇ ଶତପ୍ରତିଶତ ସଫଳ କରାଉଥିବା ତାଙ୍କ ସୁପର ୩୦ ବିଶ୍ୱରେ ଏକ ଆଦର୍ଶ ଅନୁଷ୍ଠାନରେ ପରିଣତ ହୋଇଛି। ଏଥିପାଇଁ ତାଙ୍କୁ ଅନେକ ଥର ମରଣାନ୍ତକ ଆକ୍ରମଣର ଶିକାର ହେବାକୁ ମଧ୍ୟ ପଡ଼ିଛି। ତାଙ୍କ ଜୀବନର ପ୍ରତିଟି ସଂଘର୍ଷ ଓ ସଫଳତାକୁ ନେଇ ଫିଲ୍ମଟି ନିର୍ମାଣ ହୋଇଛି। ଫିଲ୍ମ ନିର୍ମାଣ ପୂର୍ବରୁ ମଧ୍ୟ ଏହାକୁ ନେଇ ଅନେକ ବିବାଦ ଦେଖାଯାଇଥିଲା। ତାଙ୍କ ଭାଇଙ୍କ ଉପରକୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଆନନ୍ଦ କୁମାରଙ୍କ ସାନଭାଇ ତାଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ପ୍ରତିଟି କ୍ଷେତ୍ରରେ ସେ ତାଙ୍କୁ ସମର୍ଥନ କରିଛନ୍ତି।
ଏହି ଫିଲ୍ମର ପ୍ରମୋସନ ପାଇଁ ନିକଟରେ ଆନନ୍ଦକୁମାର ଓଡ଼ିଶା ଆସିଥିଲେ। ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଥିଲେ, ‘‘ରାଜା କା ବେଟା ରାଜା ନେହିଁ ହୋଗା, ଜୋ ମେହନତି ହୋଗା ବୋ ହି ରାଜା ହୋଗା‘‘।
ଅର୍ଥାତ ରାଜାର ପୁଅ ରାଜା ହେବ ତାହା ନୁହେଁ, ପରିଶ୍ରମ ଓ ଯୋଗ୍ୟତା ଧାରାରେ ଜଣେ ରାଜା ହେବ।
ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସେ ଆହୁରି କହିଥିଲେ ଯେ, ଧୈର୍ଯ୍ୟ ହିଁ ସଫଳତାର ଚାବିକାଠି। ତେଣୁ ଧୈର୍ଯ୍ୟ ରଖିବା ଜରୁରୀ। ସକରାତ୍ମକ ଚିନ୍ତାଧାରା ଓ ନିଷ୍ଠାପର ଭାବେ କାମ କରିବା ଉଚିତ। ଏହାଦ୍ୱରା ନିଶ୍ଚୟ ଦିନେ ସଫଳତା ମିଳିବ।
ଆନନ୍ଦ କୁମାର ବାପାଙ୍କ ଦେହାନ୍ତ ପରେ ତାଙ୍କୁ ତାଙ୍କ ବାପାଙ୍କ ସ୍ଥାନରେ ଚାକିରି ମିଳିଥିଲା। ହେଲେ ସେ ସେହି ଚାକିରି କରିନଥିଲେ। କାରଣ ତାଙ୍କ ବାପାଙ୍କର ଇଚ୍ଛା ନଥିଲା ସେ ଡାକ ଘରେ କାମ କରନ୍ତୁ। ଆନନ୍ଦ କୁମାର କେବଳ ଜଣେ ବିଶିଷ୍ଟ ଗଣିତଜ୍ଞ ନୁହଁନ୍ତି ସେ ଜଣେ ସ୍ତମ୍ଭକାର ମଧ୍ୟ। ଗଣିତ ପ୍ରତ୍ରିକାଗୁଡ଼ିକରେ ତାଙ୍କର ଲେଖା ପ୍ରକାଶ ପାଇଥାଏ।