ଓଡ଼ିଶାଲାଇଭ୍  ବ୍ୟୁରୋ

‘‘କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଆରମ୍ଭରୁ ଛଳନା କରି ଆସୁଛି। ୧୯୪୮, ୧୯୬୫ ଏବଂ ୧୯୭୧ରେ ଯେମିତି ପାକିସ୍ତାନ ଛଳନା କରିଥିଲା ଠିକ୍ ସେମିତି ୧୯୯୯ରେ କରିଥିଲା। ଭାରତ ଏହାର ଦୃଢ଼ ଜବାବ ଦେଇଥିଲା’’, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଇନଡୋର ଷ୍ଟାଡିୟମରେ ଶନିବାର ଆୟୋଜିତ ହୋଇଥିଲା କାର୍‌ଗିଲ୍‌ ବିଜୟ ଦିବସ ସମାରୋହ। ଏହି ସମାରୋହରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କାର୍‌ଗିଲ ବିଜୟ କଥା ମନେପକାଇ ସହିଦଙ୍କ ସ୍ମୃତିଚାରଣ କରିଥିଲେ। ଏହାସହ ପାକିସ୍ତାନ ଉପରେ ଜମେଇକି ବର୍ଷିଥିଲେ।

‘‘କାର୍‌ଗିଲ ଯୁଦ୍ଧ ବେଳେ ଭାରତୀୟ ସେନା ପାକିସ୍ତାନକୁ ଦୃଢ଼ ଜବାବ ଦେଇଥିଲେ। ଯୁଦ୍ଧ ହେବା ପୂର୍ବରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ପାକିସ୍ତାନକୁ ବନ୍ଧୁତାର ହାତ ବଢ଼ାଇଥିଲେ। ଶାନ୍ତିର ବାର୍ତ୍ତା ନେଇ ସେ ପାକିସ୍ତାନ ଯାଇଥିଲେ। କିନ୍ତୁ ପାକିସ୍ତାନ ଛଳନା କଲା। ଏହାର ଜବାବ କାର୍‌ଗିଲ୍‌ରେ ଦିଆଗଲା’’, କହିଛନ୍ତି ମୋଦି।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ସରକାର ଯୁଦ୍ଧ ଲଢୁ ନାହାନ୍ତି। ପୂରା ଦେଶବାସୀ ଯୁଦ୍ଧ ଲଢ଼ିଥାନ୍ତି। ଯୁଦ୍ଧ ବେଳେ ଯିଏ ନିଜ ଜୀବନ ଦେବାକୁ ଚାଲି ଆସନ୍ତି ସେ ସବୁବେଳେ ଅମର ହୋଇ ରହିଥାନ୍ତି।

‘‘ବର୍ତ୍ତମାନ ଯୁଦ୍ଧର ତରିକା ବଦଳିଛି। ମହାକାଶରେ ଲଢ଼େଇ ଆରମ୍ଭ ହୋଇଛି। ଏଣୁ ଆମ ସୈନିକଙ୍କୁ ସେହି ଅନୁସାରେ ଗଢ଼ିବା ହେଉଛି ଆମର ପ୍ରାଥମିକତା। ଜଳ, ସ୍ଥଳ ଏବଂ ଆକାଶପଥରେ ସୁରକ୍ଷା ଦେଉଥିବା ଯବାନମାନଙ୍କୁ ଆହୁରି ସଜାଗ ହେବାକୁ ପଡ଼ିବ’’, କହିଛନ୍ତି ମୋଦି।

Comment