ଓଡ଼ିଶାଲାଇଭ୍ ବ୍ୟୁରୋ

ଜାମ୍ମୁ କାଶ୍ମୀରକୁ ନେଇ କେନ୍ଦ୍ରରେ ମୋଦି ସରକାର ସୋମବାର ଦିନ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଫଳରେ କାଶ୍ମୀରକୁ ଯେଉଁ ସ୍ୱତନ୍ତ୍ର ପରିଚୟ ମିଳୁଥିଲା ତାହା ଶେଷ ହୋଇଛି। ଗୃହ ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଏ ସମ୍ପର୍କରେ ୪ଟି ସଂକଳ୍ପ ଉପସ୍ଥାପନ କରିଥିଲେ। ପ୍ରଥମ ସଂକଳ୍ପ ବା ପ୍ରସ୍ତାବ ହେଉଛି ସମ୍ବିଧାନର ଧାରା ୩୭୦ର ଉଚ୍ଛେଦ। କହିରଖୁ ଯେ ଏହି ଧାରା ୩୭୦କୁ ଉଚ୍ଛେଦ କରିବା ନେଇ ସଂସଦରେ ପୂର୍ଣ୍ଣ ସମର୍ଥନ ମିଳିଯାଇପାରେ। ବିଜୁ ଜନତା ଦଳ ଏହି ପ୍ରସ୍ତାବକୁ ସମର୍ଥନ ଦେଇ ସାରିଛି।

ଆଜିର ଏହି ନିଷ୍ପତ୍ତି ଫଳରେ ଜାମ୍ମୁ କାଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଏହି ଉଲ୍ଲେଖଯୋଗ୍ୟ ନିଷ୍ପତ୍ତି ଯୋଗୁଁ ଜାମ୍ମୁ କାଶ୍ମୀରର ଇତିହାସ କେବଳ ନୁହେଁ ଭୂଗୋଳ ବି ବଦଳି ଯାଇଛି। ଆସନ୍ତୁ ଜାଣିବା ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରରେ କଣ ସବୁ ବଦଳିଲା:

ସମ୍ପତ୍ତି

ଧାରା ୩୭୦ ଉଠିବା ପରେ ଏବେ ଦେଶର ଯେ କୌଣସି ନାଗରିକ ସେଠି ସମ୍ପତ୍ତି ଖରିଦ୍ କରିପାରିବେ। ବାହାର ରାଜ୍ୟର ଲୋକେ ମଧ୍ୟ ସେଠି ବସବାସ କରିପାରିବେ।

ପତାକା

ଆଜିଠାରୁ କାଶ୍ମୀରରେ ଆଉ ଅଲଗା ପତାକା ଉଡ଼ିବ ନାହିଁ। ଅର୍ଥାତ ଜାତୀୟ ପତାକା ହିଁ ସେଠି ଉଡ଼ିବ।

ରାଜ୍ୟପାଳ

ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ କାଶ୍ମୀରରେ ଆଉ ରାଜ୍ୟପାଳ ପଦ ରହିବ ନାହିଁ। ଏଥି ସହିତ ସେହି ରାଜ୍ୟର ପୋଲିସ କେନ୍ଦ୍ର ସରକାରଙ୍କ ଅଧୀନରେ ରହିବେ।

ଦ୍ୱୈତ ନାଗରିକତା

ଜାମ୍ମୁ କାଶ୍ମୀରରେ ଆଉ ଦ୍ୱୈତ ନାଗରିକତା ରହିବ ନାହିଁ। ଧାରା ୩୭୦ ବଳବତ୍ତର ରହିବା ଫଳରେ କେବଳ ସେଠାକାର ସ୍ଥାୟୀ ନାଗରିକ ହିଁ ଆଗରୁ ଭୋଟ ଦେଇପାରୁଥିଲେ। ଅନ୍ୟ ରାଜ୍ୟର ଲୋକେ କାଶ୍ମୀରରେ ଭୋଟ ଦେବା ସମ୍ଭବ ନଥିଲା କି ପ୍ରାର୍ଥୀ ଭାବେ ଠିଆ ହେବା ସମ୍ଭବ ହେଉନଥିଲା। ନରେନ୍ଦ୍ର ମୋଦି ସରକାରଙ୍କ ଐତିହାସିକ ଫଇସଲା ପରେ ଭାରତର ଯେ କୌଣସି ପ୍ରାନ୍ତର ଲୋକ ସେଠି ନିର୍ବାଚନ ଲଢ଼ି ପାରିବ ଓ ଭୋଟ ଦେଇ ପାରିବ।

କେନ୍ଦ୍ର ଶାସିତ ଅଞ୍ଚଳ

ଆଜିଠାରୁ ଜାମ୍ମୁ କାଶ୍ମୀର ଆଉ ରାଜ୍ୟ ହୋଇ ରହିନାହିଁ। ଏହା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି। ତେବେ ଏଠାରେ ବିଧାନସଭା ରହିବ। ଜାମ୍ମୁ କାଶ୍ମୀରରେ ଏହିକ୍ଷଣି ୮୭ ବିଧାନସଭା ଆସନ ଥିବା ବେଳେ ଏହା ବର୍ତ୍ତମାନ ହ୍ରାସ ପାଇବା କାରଣ ଲଦାଖକୁ କାଶ୍ମୀରରୁ ଅଲଗା କରିଦେଇଛନ୍ତି ମୋଦି ସରକାର। ଏହି ବିଧାନସଭାର କାର୍ଯ୍ୟକାଳ ସବୁ ବିଧାନସଭା ଭଳି ୫ ବର୍ଷ ରହିବ।

ଲଦାଖ ଓ ଚଣ୍ଡୀଗଡ଼

ଲଦାଖ ଏ ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରର ଅଂଶ ବିଶେଷ ଥିଲା। ଆଜିଠାରୁ ଏହା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି। ଲଦାଖରେ କିନ୍ତୁ ବିଧାନସଭା ରହିବ ନାହିଁ। ଏଠାକାର ଶାସନ ମୋଟାମୋଟି ଚଣ୍ଡୀଗଡ଼ ଭଳି ଚଳାଯିବ।
ଅଲଗା ସମ୍ବିଧାନ

ଧାରା ୩୭୦ ଉଠିବା ପରେ ଜାମ୍ମୁ କାଶ୍ମୀରକୁ ମିଳୁଥିବା ସ୍ଵତନ୍ତ୍ର ସୁବିଧା ସୁଯୋଗ ଆଉ ରହିବ ନାହିଁ। ଏଠାରେ ଭାରତର ସମ୍ବିଧାନ ପୂରାପୂରି ଲାଗୁ ହେବ ଓ କାଶ୍ମୀରର ସ୍ୱତନ୍ତ୍ର ସମ୍ବିଧାନ ଏଣିକି ରହିବ ନାହିଁ। ଉଲ୍ଲେଖ କରାଯାଇପାରେ ଯେ ୧୯୫୬ ନଭେମ୍ବର ୧୭ ତାରିଖରେ କାଶ୍ମୀର ପାଇଁ ସ୍ଵତନ୍ତ୍ର ସମ୍ବିଧାନ ପ୍ରଣୟନ ହୋଇଥିଲା। ଏବେ କାଶ୍ମୀରରେ ଧାରା ୩୫୬ ବି ଲାଗୁ ହୋଇପାରିବ ଅର୍ଥାତ ରାଷ୍ଟ୍ରପତି ଶାସନ ଜାରି କରାଯାଇ ପାରିବ।

ସୂଚନା ଅଧିକାର

ଆଜିଠାରୁ କାଶ୍ମୀରରେ ସୂଚନା ଅଧିକାର ଆଇନ ଓ ସିଏଜି ଭଳି ଆଇନ ବି ଲାଗୁ ହେବ।

ଚାକିରି

ଜାମ୍ମୁ କାଶ୍ମୀରରେ ଏବେ ଦେଶର ଯେ କୌଣସି ନାଗରିକ ଚାକିରି କରିପାରିବ ଯାହା କି ଆଗରୁ ସମ୍ଭବ ହେଉନଥିଲା।

Comment