ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଧାରା ୩୭୦ ଉଛେଦ କରି ପାକିସ୍ତାନ ପାଇଁ କଶ୍ମୀର ରାସ୍ତା ବନ୍ଦ କରିଦେଇଛି ଭାରତ। ଗୋଟିଏ ପଟେ ୩୭୦ ଧାରା ଉଛେଦ କରିବା ପାଇଁ ସଂସଦରେ ଭାରତ ସରକାର ବିଲ୍‌ ପାସ୍‌ କରୁଥିବା ବେଳେ ପାକିସ୍ତାନରେ କମ୍ପନ ଦେଖିବାକୁ ମିଳିଛି। ତଥାପି ମିଳିତ ଅଧିବେଶନ ଡାକି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ ଭାରତକୁ ମୁହଁଟାଣ ଦେଖାଇଛନ୍ତି।

ଭାରତ ଯେଉଁଭଳି ଭାବେ କଶ୍ମୀରରୁ ଧାରା ୩୭୦ ଉଛେଦ କରୁଛି ତାହା ଭବିଷ୍ୟତରେ ପୁଲୱାମା ଭଳି ଆକ୍ରମଣ ହୋଇପାରେ ବୋଲି ପରୋକ୍ଷରେ ଇମ୍ରାନ ଧମକ ଦେଇଛନ୍ତି। ଇମ୍ରାନଙ୍କ ଏହି ମନ୍ତବ୍ୟ ସ୍ପଷ୍ଟ କରୁଛି ଯେ ଆତଙ୍କବାଦକୁ ପାକ୍‌ ସରକାର ପ୍ରୋତ୍ସାହିତ କରୁଛନ୍ତି।

ଖାଲି ସେତିକି ନୁହେଁ, ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି ଇମ୍ରାନ। ବିଜେପି ଏକ ହିନ୍ଦୁତ୍ୱବାଦୀ ଦଳ ହୋଇଥିବାରୁ ଅନ୍ୟ ସଂପ୍ରଦାୟର ଲୋକମାନଙ୍କ ଅପେକ୍ଷା ହିନ୍ଦୁମାନଙ୍କୁ ଉଚ୍ଚ ଶ୍ରେଣୀରେ ରଖିବାକୁ ଚାହେଁ। ହିନ୍ଦୁତ୍ୱବାଦୀ ଆଦର୍ଶକୁ ପାଳନ କରିବାକୁ ଯାଇ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇ ଦିଆଯାଇଥିବା ଇମ୍ରାନ କହିଛନ୍ତି।

ଏପଟେ ଜାତିସଂଘର ଭୟ ମଧ୍ୟ ଦେଖାଇଛନ୍ତି ଇମ୍ରାନ। କଶ୍ମୀରରୁ ଧାରା ୩୭୦ ଉଛେଦ କରିବା ବେଆଇନ୍ ହୋଇଥିବାରୁ ଏହି ପ୍ରସଙ୍ଗ ଜାତିସଂଘର ସାଧାରଣ ପରିଷଦରେ ଉଠାଯିବ ବୋଲି ଇମ୍ରାନ କହିଛନ୍ତି।

ସବୁଠୁ ବଡ଼ କଥା କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ସବୁବେଳେ ଅନ୍ତର୍ଜାତୀୟ ସ୍ତରରେ ରାଜନୀତି କରି ଆସିଛି। ପାକିସ୍ତାନକୁ ନିଜ କବ୍‌ଜାକୁ ନେବା ପାଇଁ ପାକ୍‌ ବର୍ଷ ବର୍ଷ ଧରି ଉଦ୍ୟମ କରି ଆସୁଛି। ହେଲେ ଭାରତର ସଫଳ ରଣନୀତି ଏବଂ ଦୃଢ଼ ଜବାବ ପାଇଁ ପାକ୍‌ର କଶ୍ମୀର ହାତେଇବା ଉଦ୍ୟମ ପଣ୍ଡ ହେଉଛି।

ଦେଶ ସ୍ୱାଧୀନତା ପରଠୁ ଆଜି ପର୍ଯ୍ୟନ୍ତ ଭାରତ-ପାକିସ୍ତାନ ମଧ୍ୟରେ ଯେତିକି ଯୁଦ୍ଧ ହୋଇଛି ତାହା କେବଳ କଶ୍ମୀର ପ୍ରସଙ୍ଗ ପାଇଁ। କଶ୍ମୀରକୁ କବ୍‌ଜା କରିବାର ସ୍ୱପ୍ନ ପାକିସ୍ତାନ ଆଜି ବି ଦେଖୁଛି। କିନ୍ତୁ ୩୭୦ ଧାରା ଉଛେଦ ହେବା ପରେ ପାକିସ୍ତାନର ସବୁ ସ୍ୱପ୍ନ ଭାଙ୍ଗି ଯାଉଥିବାରୁ ପାକିସ୍ତାନ ଭାରତକୁ ପରୋକ୍ଷରେ ଧମକ ଦେଉଛି।

ଧାରା ୩୭୦ ବଳରେ ଅଜବ ନିୟମ ଜମ୍ମୁ କଶ୍ମୀରରେ ଲାଗୁ ହୋଇଥିଲା। କଶ୍ମୀର ଝିଅଙ୍କୁ ପାକିସ୍ତାନ ପୁଅ ବାହା ହେଲେ ତାଙ୍କୁ କଶ୍ମୀରର ନାଗରିକତ୍ୱ ପ୍ରମାଣ ପତ୍ର ମିଳୁଥିଲା। ଫଳରେ ପାକିସ୍ତାନୀମାନେ ଆରାମରେ ଭାରରେ ପ୍ରବେଶ କରିବାର ସୁଯୋଗ ପାଉଥିଲେ।

ହେଲେ ଏବେ ସେସବୁ ରାସ୍ତା ବନ୍ଦ ହେବାକୁ ଯାଉଥିବାରୁ ପାକିସ୍ତାନ ମୁଣ୍ଡରେ ଚିନ୍ତା ପଶିଛି।

ସବୁଠୁ ବଡ଼ କଥା ହେଉଛି ଜମ୍ମୁ କଶ୍ମୀରରୁ ଲଦାଖକୁ ଅଲଗା କରାଯାଇଛି। ଜମ୍ମୁ କଶ୍ମୀର ଏବଂ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇବାକୁ ଯାଉଛନ୍ତି। ଅର୍ଥାତ ଜମ୍ମୁ କଶ୍ମୀରରେ ଜଣେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଏବଂ ଲଦାଖରେ ଆଉ ଜଣେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ରହିବେ। ଲଦାଖ ଅଧିନରେ ଲେହ ଏବଂ କାର୍‌ଗିଲ ରହିବ। ଉଭୟ ଅଞ୍ଚଳର ନାଗରିକମାନେ ସେମାନଙ୍କ ମୌଳିକ ଅଧିକାର ପାଇବାରୁ ବଞ୍ଚିତ ହେବେନି।

ଜମ୍ମୁ କଶ୍ମୀରରୁ ଲଦାଖ ଅଲଗା ହେବା ଘଟଣାକୁ ପାକ୍‌ ମଧ୍ୟ ସହଜରେ ଗ୍ରହଣ କରିପାରୁନି। କାରଣ ୧୯୯୯ କାର୍‌ଗିଲ୍‌ ଯୁଦ୍ଧରେ ପାକିସ୍ତାନ ଲଦାଖ ଓ କାର୍‌ଗିଲ୍‌ ଉପରେ ଆଖି ପକାଇଥିଲା। ଲଦାଖରୁ ଶ୍ରୀନଗର ଯାଇଥିବା ରାଜପଥକୁ ଟାର୍ଗେଟ କରିଥିଲେ ପାକ୍‌ ଅନୁପ୍ରବେଶକାରୀ। କିନ୍ତୁ ତାହା ସଫଳ କରାଇ ଦେଇ ନଥିଲେ ଭାରତୀୟ ସେନା।

ବାରମ୍ବାର ଯୁଦ୍ଧରେ ପରାଜିତ ହେବା ପରେ ବି ପାକିସ୍ତାନ ମୁଣ୍ଡରୁ କଶ୍ମୀର କବ୍‌ଜା କରିବା ନିଶା ଖସି ନଥିଲା। ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ସମୟରେ ଭାରତରେ ଅଶାନ୍ତି ଲାଗି ରହୁଥିଲା। ଏବେ ଏସବୁ ଖତମ କରିବା ପାଇଁ ଧାରା ୩୭୦କୁ ଉଛେଦ କରାଯାଇଛି। ପାକିସ୍ତାନ ପାଇଁ କଶ୍ମୀର ରାସ୍ତା ବନ୍ଦ ହୋଇଯାଇଛି।

Comment