ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଜୁନ୍ ତୃତୀୟ ସପ୍ତାହରୁ ଆରମ୍ଭ ହୋଇଥିବା ମିଶନ ଅଗଷ୍ଟ ୫ରେ ହେଲା ସଫଳ।
- ୨୦୧୮ରୁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ
- ଜମ୍ମୁ କଶ୍ମୀରର ମୁଖ୍ୟ ସଚିବ ବିଭିଆର୍ ସୁବ୍ରମଣ୍ୟମଙ୍କ ବଡ଼ ଭୂମିକା
- ପିଏମ୍ଓରୁ ଜମ୍ମୁ କଶ୍ମୀର ଯାଇଥିଲେ ସୁବ୍ରମଣ୍ୟମ
- ଜୁନ୍ ତୃତୀୟ ସପ୍ତାହରୁ ମିଶନ ଜୋରଦାର
- ଅମିତ ଶାହ କଲେ ମାରାଥନ ବୈଠକ
- ଆର୍ଏସ୍ଏସ୍ର ପରାମର୍ଶ ଲୋଡ଼ିଲେ ଶାହ
- ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡୋଭାଲ
- ହଠାତ ଅମରନାଥ ଯାତ୍ରା ବନ୍ଦ
- ଅଗଷ୍ଟ ୪ରେ ପଲିଟିକାଲ ସର୍ଜିକାଲ ଷ୍ଟ୍ରାଇକ
- ଅଗଷ୍ଟ ୫ରେ ମିଶନ ସଫଳ
ବଦଳିଲା ଜମ୍ମୁ କଶ୍ମୀରର ନକ୍ସା। ତିଆରି ହେଲା ନୂଆ ଇତିହାସ। ଯାହା ୭୦ ବର୍ଷ ଧରି ସମ୍ଭବ ହେଉ ନଥିଲା ତାହା ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ଏନଡିଏ ସକରାରରେ ସମ୍ଭ ହୋଇଛି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ କରି ମୋଦି ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି।
ଧାରା ୩୭୦ ଉଚ୍ଛେଦ ଥିଲା ମୋଦି ସରକାରଙ୍କର ଟପ୍ ସିକ୍ରେଟ୍ ମିଶନ। କେବଳ ଆଗଧାଡ଼ିର ତିନି ଚାରି ଜଣ ମନ୍ତ୍ରୀ, ସଚିବଙ୍କୁ ଛାଡ଼ିଦେଲେ ଆଉ କେହି ବି ଏହି ମିଶନର ଟେର୍ ପାଇ ନଥିଲେ। ଜୁନ୍ ତୃତୀୟ ସପ୍ତାହରୁ ଆରମ୍ଭ ହୋଇଥିବା ଏହି ମିଶନ ଅଗଷ୍ଟ ପ୍ରଥମ ସପ୍ତାହରେ ସଫଳ ହୋଇଛି।
ତିନି ସପ୍ତାହ ଭିତରେ ମୋଦି ସରକାର କେମିତି ଏହି ମିଶନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହାକୁ କିପରି କାର୍ଯ୍ୟକାରୀ କରିଥିଲେ ଜାଣନ୍ତୁ ଏହି ରିପୋର୍ଟରୁ।
ଜୁନ୍ ତୃତୀୟ ସପ୍ତାହରୁ ଆରମ୍ଭ ହେଲା ମିଶନ
୨୦୧୮ରେ ଜମ୍ମୁ କଶ୍ମୀରରେ ବିଜେପି-ପିଡିପି ମେଣ୍ଟ ଭାଙ୍ଗିବା ପରଠୁ ଧାରା ୩୭୦ ଉଛେଦ କରିବା ପାଇଁ ମୋଦି ସରକାର ଯୋଜନା କରିଥିଲେ। ହେଲେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ଧାରା ଉଠାଇ ପଲିଟିକାଲ ରିସ୍କ ନେବାକୁ ଚାହିଁ ନଥିଲେ ମୋଦି ସରକାର।
୨୦୧୯ ନିର୍ବାଚନରେ ମୋଦିଙ୍କ ନେତୃତ୍ୱରେ ଦ୍ୱିତୀୟ ପାଳି ସରକାର ଗଠନ ହେବାର ମାସ କେତେଟା ନପୂରୁଣୁ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ କରିବାର ସାହସ ଦେଖାଇଛନ୍ତି କେନ୍ଦ୍ର ସରକାର।
ହେଲେ ଏନେଇ ପୂରା ପ୍ରକ୍ରିୟା ଜୁନ୍ ତୃତୀୟ ସପ୍ତାହରୁ ହିଁ ଆରମ୍ଭ ହୋଇଥିବା କୁହାଯାଉଛି।
ମେ’ ୩୦ରେ ମୋଦି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାସହ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଗୃହ ମନ୍ତ୍ରୀ ଭାବେ ଶପଥ ନେବାର ମାତ୍ର ସପ୍ତାହକ ଭିତରେ ହିଁ ମୋଦି ମିଶନ ଜମ୍ମୁ କଶ୍ମୀରରେ ଲାଗି ପଡ଼ିଥିଲେ। କିନ୍ତୁ ୨୦୧୮ରୁ ହିଁ ଏନେଇ ଷ୍ଟ୍ରାଟେଜି ତିଆରି ହୋଇଥିଲା।
୨୦୧୮ରେ କ’ଣ ଥିଲା ଷ୍ଟ୍ରାଟେଜି?
ଜମ୍ମୁ କଶ୍ମୀରବାସୀଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ ମୋଦି ସରକାରଙ୍କ ପ୍ରଥମ ପାଳିରୁ ଉଦ୍ୟମ ଆରମ୍ଭ ହୋଇଥିଲା। ଧାରା ୩୭୦ ଉଛେଦ କରିବା ଯୋଜନାରେ ଥିଲେ ମୋଦି ସରକାର। ଏଥିପାଇଁ ୧୯୮୭ ବ୍ୟାଚ୍ର ଆଇଏଏସ୍ କ୍ୟାଡର ଅଫିସର ବିଭିଆର୍ ସୁବ୍ରମଣ୍ୟମଙ୍କୁ ଜମ୍ମୁ କଶ୍ମୀରର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା। ଜୁନ୍ ୨୧, ୨୦୧୮ରେ ବିଭିଆର୍ ସୁବ୍ରମଣ୍ୟମ ମୁଖ୍ୟ ସଚିବ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ହିଁ ମିଶନ ଆରମ୍ଭ ହୋଇଥିଲା।
ବିଭିଆର୍ ସୁବ୍ରମଣ୍ୟମ ପ୍ରଧାନମନ୍ତ୍ରୀ ମୋଦିଙ୍କର ପାଖ ଲୋକ ବୋଲି କୁହାଯାଉଛି। ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)ରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ କାର୍ଯ୍ୟ କରିବାର ତରିକା ଭିନ୍ନ ଥିବାରୁ ତାଙ୍କୁ ମିଶନ କଶ୍ମୀରରେ ଲଗାଇ ଦେଇଥିଲେ ମୋଦି।
ମିଶନ କଶ୍ମୀର ପାଇଁ କୋର୍ କମିଟି
ନୂଆ ସରକାରରେ ଅମିତ ଶାହଙ୍କୁ ଗରୁତ୍ୱପୂର୍ଣ୍ଣ ଗୃହ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଥିଲା। ବିଭାଗର ଦାୟିତ୍ୱ ନେବା ପରେ ମିଶନ ଜମ୍ମୁ କଶ୍ମୀରର ସମସ୍ତ ଭାର ଶାହଙ୍କ ହାତରେ ନ୍ୟସ୍ତ କରାଯାଇଥିଲା।
ଅମିତ ଶାହଙ୍କ ସାଙ୍ଗରେ ଏହି ମିଶନରେ ଯୋଡ଼ି ହୋଇଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ। ରବିଶଙ୍କର ଧାରା ୩୭୦ର ବିଭିନ୍ନ ଆଇନ ଦିଗ ଉପରେ ତର୍ଜମା କରିଥିଲେ।
ଆଇନ ଏବଂ ନ୍ୟାୟ ବିଭାଗର ସଚିବ ଆଲୋକ ଶ୍ରୀବାସ୍ତବ, ଆଇନ (ଗୃହ) ବିଭାଗର ଅତିରିକ୍ତ ସଚିବ ଆର୍ ଏସ୍ ବର୍ମା, ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ, କେନ୍ଦ୍ର ଗୃହ ସଚିବ ରାଜୀବ ଗୌବା ଏବଂ କଶ୍ମୀରର କିଛି ବଛା ବଛା ଅଫିସରଙ୍କୁ ନେଈ କୋର୍ କମିଟି ଗଠନ ହୋଇଥିଲା। ଏହି କମିଟି ଆଇନର ବିଭିନ୍ନ ଦିଗ ଉପରେ ତଜର୍ମ କରି ସରକାରଙ୍କୁ ରିପୋର୍ଟ ଦେଇଥିଲେ। ଏସବୁ ମିଶନ ଗୋପନ ରଖାଯାଇଥିଲା।
ଶାହ ଲୋଡ଼ିଥିଲେ ସଂଘର ପରାମର୍ଶ
ଗୋଟିଏ ପଟେ ମିଶନ କଶ୍ମୀର ନେଇ ସରକାରୀ ସ୍ତରରେ ତର୍ଜମା ଚାଲିଥିବା ବେଳେ ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍ଏସ୍ଏସ୍) ସହ ଆଲୋଚନା କରିଥିଲେ।
ବଜେଟ୍ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଅମିତ ଶାହ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଏବଂ ତାଙ୍କ ସହଯୋଗୀ ତଥା ସଂଘର ମହାସଚିବ ଭାଇୟାଜୀ ଯୋଶୀଙ୍କୁ ଭେଟିଥିଲେ।
ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ କରିବା ପାଇଁ କେନ୍ଦ୍ର ସରକାର ଚାହୁଁଥିବା ଶାହ କହିଥିଲେ। ଜମ୍ମୁ କଶ୍ମୀରରୁ ଲଦାଖକୁ ଅଲଗା କରିବା ପାଇଁ ସରକାର ଚାହୁଁଥିବା ସଂଘକୁ ଜଣାଇଥିଲେ ଶାହ। ସଂଘ ଏ ଦିଗରେ ସବୁଜ ସଙ୍କେତ ଦେବା ପରେ ମିଶନ ‘୩୭୦’ ଜୋରଦାର ହୋଇଥିଲା।
ଶ୍ରୀନଗର ଗଲେ ଅଜିତ ଡୋଭାଲ
ସଂଘର ପରାମର୍ଶ ନେଇ ଅମିତ ଶାହ ଆଇନ ବିଶାରଦଙ୍କ ସହ ଆଲୋଚନା କରିଥିଲେ। ୩୭୦ ଉଛେଦ ହେବା ପରେ କଶ୍ମୀର ଉପତ୍ୟକାରେ ବାତାବରଣ କେମିତି ରହିବ ତାକୁ ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା। ଏନେଇ ଜାତୀୟ ନିରାପତ୍ତା ପରିଷଦର ମୁଖ୍ୟ ଅଜିତ ଡୋଭାଲଙ୍କ ସହ ଶାହ ମାରାଥନ ବୈଠକ କରିଥିଲେ। ଏହାପରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ନିଜେ ଡୋଭାଲା ଶ୍ରୀନଗର ଯାଇଥିଲେ।
ଡୋଭାଲ ଏବଂ ତାଙ୍କ ଟିମ୍ ଶ୍ରୀନଗରରେ ତିନି ଦିନ ଧରି କ୍ୟାମ୍ପ କରିଥିଲେ। ଜମ୍ମୁ କଶ୍ମୀରର ସୁରକ୍ଷା ସ୍ଥିତିକୁ ଯାଞ୍ଚ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଇଥିଲେ। ଜୁଲାଇ ୨୬ରେ ଅମରନାଥ ଯାତ୍ରାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ଆତଙ୍କବାଦୀ ଆକ୍ରମଣର ଆଶଙ୍କା କରି ଅମରନାଥ ଯାତ୍ରାକୁ ହଠାତ୍ ବନ୍ଦ କରାଗଲା ବୋଲି ଶ୍ରୀନଗର ପ୍ରଶାସନ ଆଡଭାଇଜରୀ ଜାରି କରିଥିଲା। ଅଗଷ୍ଟ ୩ରେ ପର୍ଯ୍ୟଟକମାନଙ୍କୁ ଜମ୍ମୁ କଶ୍ମୀରରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଗଲା। ୧୦୦ କମ୍ପାନି କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସକୁ ଜମ୍ମୁ କଶ୍ମୀରର ବିଭିନ୍ନ ସ୍ଥାନରେ ନିୟୋଜିତ କରାଗଲା।
ଅଗଷ୍ଟ ୪ ରାତିରେ ଅସଲ ଷ୍ଟ୍ରାଇକ୍
ଅମରନାଥ ଯାତ୍ରୀ ସୁରକ୍ଷିତ ଭାବେ ସ୍ଥାନାନ୍ତର ହେବା ପରେ ଜମ୍ମୁ କଶ୍ମୀର ମୁଖ୍ୟ ସଚିବ ବିଭିଆର୍ ସୁବ୍ରମଣ୍ୟମ ସ୍ଥିତିର ତନ୍ନ ତନ୍ନ ଯାଞ୍ଚ କରିଥିଲେ। ଗ୍ରାଉଣ୍ଡ ଜିରୋର ସ୍ଥିତି ସମୀକ୍ଷା କରି ରିପୋର୍ଟ ଦେଇଥଇଲେ।
ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଜମ୍ମୁ କଶ୍ମୀରରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା। ଗ୍ରାଉଣ୍ଡରେ ଥିବା ସୁରକ୍ଷା କର୍ମୀ ଏବଂ ଅଫିସରମାନଙ୍କୁ ସାଟେଲାଇଟ୍ ଫୋନ ଯୋଗାଇ ଦେବା ପରେ ଅଗଷ୍ଟ ୪ରେ ପଲିଟିକାଲ୍ ସର୍ଜିକାଲ ଷ୍ଟ୍ରାଇକ୍ ଆରମ୍ଭ ହୋଇଥିଲା।
୪ ତାରିଖ ରାତିରେ ଜମ୍ମୁ କଶ୍ମୀର ମୁଖ୍ୟ ଶାସନ ସଚିବ ସୁବ୍ରବଣ୍ୟମ ପୋଲିସ ଡିଜି ଦିବାଘ ସିଂହଙ୍କ ସହ ଫୋନରେ କଥା ହୋଇଥିଲେ। ଜମ୍ମୁ କଶ୍ମୀରର ପ୍ରମୁଖ ରାଜନେତାମାନଙ୍କୁ ଗୃହବନ୍ଦୀ କରିବା ପାଇଁ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ସଚିବ। ଏହାସହ ୧୪୪ ଧାରା ଜାରି କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ଉଭୟ ମୋବାଇଲ ଏବଂ ଲ୍ୟାଣ୍ଡଲାଇନ ଫୋନ ଅଚଳ କରିଦିଆଗଲା।
ବିଲ୍ ପାସ୍ ପାଇଁ ଦିଲ୍ଲୀରେ ଗୋଟି ଚାଳନା
ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପରେ ଦିଲ୍ଲୀରେ ଚାଲିଥିଲା ଗୋଟି ଚାଳନା। ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ୍ ରାଜ୍ୟସଭାରେ କେମିତି ପାସ୍ ହେବ ତାକୁ ନେଇ ମାନସମନ୍ଥନ କରିଥିଲେ ଅମିତ ଶାହ।
ରାଜ୍ୟସଭାରେ ବିଜେପିର ସଦସ୍ୟ ସଂଖ୍ୟା କମ୍ ଥିବାରୁ ଅନ୍ୟ ରାଜନୀତିକ ଦଳର ସମର୍ଥନ ଲୋଡ଼ିଥିଲେ ଶାହ। ଟଡିପି ରାଜ୍ୟସଭା ସଦସ୍ୟଙ୍କୁ ମନାଇବା ପରେ ସମାଜବାଦୀ ପାର୍ଟିର ସଦସ୍ୟ ନୀରଜ ଶେଖର, ସୁରେନ୍ଦ୍ର ନାଗର, ସଞ୍ଜୟ ସେଠଙ୍କୁ ମନା ଯାଇଥିଲା। କଂଗ୍ରେସ ସାଂସଦ ସଞ୍ଜୟ ସିଂହ ମଧ୍ୟ ବାହାରେ ରହିଥିଲେ। ଫଳରେ ବିଜେପିକୁ ବିଲ୍ ପାସ୍ କରାଇବାରେ ଅସୁବିଧା ହୋଇ ନଥିଲା।
ଏପଟେ ବିଜେପିର କଟ୍ଟର ବିରୋଧୀ ଭାବେ ପରିଚିତ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟିକୁ ମଧ୍ୟ ନିଜ ସପକ୍ଷରେ ନେଇପାରିଥିଲା ବିଜେପି। ଅନ୍ୟପଟେ ବିଜେପି ମଧ୍ୟ ନିଜ ଦଳର ସବୁ ସାଂସଦଙ୍କ ପାଇଁ ହୁଇପ୍ ଜାରି କରିଥିଲା। ଅଗଷ୍ଟ ୫ରେ ଦିନ ସାରା ବିତର୍କ ପରେ ରାଜ୍ୟସଭାରେ ବିଲ୍ ପାସ୍ କରିଥିଲେ ଅମିତ ଶାହ।








ଜୁନ୍ ତୃତୀୟ ସପ୍ତାହରୁ ଆରମ୍ଭ ହୋଇଥିବା ମିଶନ ଅଗଷ୍ଟ ୫ରେ ହେଲା ସଫଳ।









