ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଶ୍ମୀର ପ୍ରସଙ୍ଗରେ ଜାତିସଂଘ ହସ୍ତକ୍ଷେପ କରିବେନି କହିବା ପରେ ଚିନ୍ତାରେ ଇମ୍ରାନ ସରକାର।

କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଏବେ ନିରାଶ। ଜାତିସଂଘ ଏହି ମାମଲାରେ ହସ୍ତକ୍ଷେପ କରିବ ନାହିଁ ବୋଲି ସିଧା ସିଧା ମନା କରିବା ପରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ଚିନ୍ତା ବଢ଼ି ଯାଇଛି। ଭାରତ ସହିତ ଯୁଦ୍ଧ କରିବେ ନା ସମଝୌତା ସେନେଇ ଇମ୍ରାନଙ୍କୁ କିଛି ବୁଦ୍ଧି ବାଟ ଦିଶୁନି।

ଜାତିସଂଘରୁ ନିରାଶ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ ହେବା ପରେ ପାକିସ୍ତାନ ନିଜ ଆଡୁ ପ୍ରତିକ୍ରିୟାଶୀଳ ହୋଇପଡିଛି। ଭାରତ ନିଜ ଅଧିନରେ ଥିବା କଶ୍ମୀରରେ ହାତ ମାରିଥିବା ବେଳେ ପାକିସ୍ତାନ ଏହାକୁ ସହଜରେ ଗ୍ରହଣ କରିପାରୁନି।

କଶ୍ମୀରରୁ ୩୭୦ ଉଛେଦ ହେବା ପରେ ଭାରତ ଏହି ପ୍ରସଙ୍ଗକୁ ନେଇ ଜାତିସଂଘ ଯାଇଥିଲା। ପ୍ରଥମେ ଜାତିସଂଘର ସୁରକ୍ଷା ପରିଷଦକୁ ଚିଠି ଲେଖି ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲା। କିନ୍ତୁ ସୁରକ୍ଷା ପରିଷଦ ଅଧ୍ୟକ୍ଷ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କହିଥିଲେ।

ଏହାପରେ ପାକିସ୍ତାନ ଚୁପ୍ ରହି ନଥିଲା। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଜାତିସଂଘ ମହାସଚିବ ଅଣ୍ଟୋନିଓ ଗୁତରାସଙ୍କୁ ଚିଠି ଲେଖି କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ କହିଥିଲେ। ହେଲେ ମହାସଚିବ ଆଜି ମନା କରି ଦେଇଛନ୍ତି।

କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ-ପାକିସ୍ତାନ ଭିତରେ ସିମ୍‌ଲା ଚୁକ୍ତି ହୋଇଥିଲା। ଏହି ଚୁକ୍ତି ଅନୁସାରେ କଶ୍ମୀର ମାମଲାରେ ତୃତୀୟ ପକ୍ଷ ହସ୍ତକ୍ଷେପ କରିବା ଠିକ୍ ନୁହେଁ ବୋଲି ଜାତିସଂଘ ମହାସଚିବ କହିଥିଲେ। ଉଭୟ ଦେଶ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବାକୁ ଜାତିସଂଘ ପାକିସ୍ତାନକୁ କହିଥିଲେ।

ଜାତିସଂଘଠାରୁ ନାସ୍ତିବାଣୀ ଶୁଣି ପାକିସ୍ତାନ ଏବେ ଚିନ୍ତାରେ ପଡ଼ିଛି। ଯେଉଁ କଶ୍ମୀରକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ପାକ୍‌ ରାଜନୀତି କରୁଥିଲା ସେହି କଶ୍ମୀର ଏବେ ପାକ୍‌କୁ ଅଡୁଆରେ ପକାଇଛି। ଫଳରେ ଇମ୍ରାନ ସରକାର ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।

ନୀରବତା ଭାଙ୍ଗିଲା ଭାରତ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନ କୂଟନୀତିକ ଗେମ୍‌ ଖେଳିଥିଲା। ପ୍ରଥମେ ପାକିସ୍ତାନରୁ ଭାରତୀୟ ଦୂତାବାସ ଉଠାଇବାକୁ ନିର୍ଦ୍ଦେଶ ଦେବା ପରେ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିଥିଲା। ଏହାପରେ ଭାରତ ସିନେମା ପାକିସ୍ତାନରେ ରିଲିଜକୁ ନେଇ କଟକଣା ଜାରି କରିଥିଲେ ଇମ୍ରାନ ସରକାର। ସମଝୌତା ଏବଂ ଥର୍ ଏକ୍ସପ୍ରେସ ଚଳାଚଳ ବନ୍ଦ କରିବା ପରେ ଭାରତ ଏବେ ମୁହଁ ଖୋଲି ପାକିସ୍ତାନକୁ କଡ଼ା ଜବାବ ଦେଇଛି।

ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି, ‘‘ଭାରତ ନିଜ ଇଲାକାରେ ଥିବା କଶ୍ମୀରରୁ ୩୭୦ ହଟାଇଛି। ଏଣୁ ଭାରତ ନିଜ ଅଞ୍ଚଳ କଥା ବୁଝୁ। ଆମ ଆଭ୍ୟନ୍ତରୀ ମାମଲାରେ ମୁଣ୍ଡ ନଖେଳାଉ।’’

ଖାଲି ସେତିକି ନୁହେଁ, ପାକିସ୍ତାନ ଭାରତ ଅଧିନ କଶ୍ମୀରକୁ ନେଇ ଜାତିସଂଘରେ ଫେରାଦ ହୋଇଥିବା ବେଳେ ଭାରତ ଏବେ ପିଓକେ କଥା ଉଠାଇଛି। ପିଓେକ ସମସ୍ୟା ପାକିସ୍ତାନ ସମାଧାନ କଲେ ଏହାକୁ ଅନ୍ତର୍ଜାତୀୟ ସ୍ତରରେ ଭାରତ ଅସ୍ତ୍ର କରିପାରେ ବୋଲି ଚର୍ଚ୍ଚା ହେଉଛି।

ସବୁଠୁ ବଡ଼ କଥା ହେଉଛି ଯେଉଁଦିନ ଜମ୍ମୁ କଶ୍ମୀରରୁ ୩୭୦ ହଟିବା ପରେ ଇମ୍ରାନ ଖାନ୍ ପାକିସ୍ତାନରେ ମିଳିତ ଅଧିବେଶନ ଡାକିଥିଲେ। ଏହି ଅଧିବେଶନରେ ପରୋକ୍ଷରେ ଯୁଦ୍ଧ କଥା କହିଥିଲେ। ହେଲେ ଯୁଦ୍ଧ କରିବାକୁ ସାହସ କରି ନଥିଲେ।

ଯୁଦ୍ଧ ନକରି ପାକିସ୍ତାନ କୂଟନୀତିକ ଗେମ୍‌ ଖେଳିଥିଲା। ଆଶ ରଖିଥିଲା ଯେ ଜାତିସଂଘରୁ କଶ୍ମୀର ପ୍ରସଙ୍ଗରେ କିଛି ନ୍ୟାୟ ମିଳିବ। ହେଲେ ଜାତିସଂଘ ରୋକ୍‌ଠୋକ୍‌ ମନା କରିବା ପରେ ଇମ୍ରାନ ଆଗକୁ କି ନିଷ୍ପତ୍ତି ନେବେ ତା’ ଉପରେ ନଜର ରହିଛି।

LEAVE A REPLY

Please enter your comment!
Please enter your name here