ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

- ସିବିଆଇ କୋର୍ଟରେ ପି ଚାଦାମ୍ବରମ୍
- କୋର୍ଟ ବାହାରେ ଖଚାଖଚ ଭିଡ଼
- ସିବିଆଇ ମାଗିଲା ୫ ଦିନିଆ ରିମାଣ୍ଡ
- ରିମାଣ୍ଡ ଆବେଦନକୁ ବିରୋଧ କଲେ ମନୁ ସଂଘବୀ ଓ କପିଲ ସିବଲ
- ଚିଦାମ୍ବରମ୍ଙ୍କ ଜାମିନ ପାଇଁ ଯୁକ୍ତି ବାଢ଼ିଲେ ସିବଲ ଓ ସିଂଘବୀ
ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ଙ୍କୁ ତିନି ଘଣ୍ଟା ଧରି ମାରାଥନ ଜେରା କରିବା ପରେ ରାଉଜ ଏବେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ସିବିଆଇ ଏବଂ ଚିଦାମ୍ବରମ୍ଙ୍କ ଓକିଲ କାଗଜପତ୍ର ଦାଖଲ କରିବା ପରେ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା।
ଉଭୟ ପକ୍ଷ ଓକିଲଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଆଉ କିଛି ସମୟ ପରେ ରାୟ ଶୁଣାଇବେ।
ଚିଦାମ୍ବରମ୍ଙ୍କୁ କୋର୍ଟରେ ହାଜର କରିବା ବେଳେ କୋର୍ଟ ବାହାରେ ଲୋକଙ୍କ ଖଚାଖଚ୍ ଭିଡ଼ ଲାଗିଥିଲା।
କୋର୍ଟରେ ଚିଦାମ୍ବରମ୍ କହିଥିଲେ, ‘‘ବିଦେଶରେ ମୋର କୌଣସି ବ୍ୟାଙ୍କ ଆକାଉଣ୍ଟ ନାହିଁ। ମୋ’ ପୁଅର ଆକାଉଣ୍ଟ ଅଛି। ମୋ’ ଉପରେ ଯେଉଁ ଅଭିଯୋଗ ଆସିଛି ତାର କୌଣସି ଆଧାର ନାହିଁ। ମୁଁ ଆଇଏନଏକ୍ସ ମିଡିଆ ମାମଲାରେ ସଂପୃକ୍ତ ନୁହେଁ।’’
ସିବିଆଇ ଚିଦାମ୍ବରମଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଚାହିଁଥିଲା। ହେଲେ ଚିଦାମ୍ବରମଙ୍କ ଓକିଲ ମନୁ ସଂଘବି ଯୁକ୍ତି ବାଢ଼ିଥିଲେ।
‘‘ସିବିଆଇ ପଚାରିଥିବା ୧୨ ପ୍ରଶ୍ନରୁ ୬ଟି ହେଉଛି ପୁରୁଣା। ଚିଦାମ୍ବରମଙ୍କୁ କାହିଁକି ସିବିଆଇ ରିମାଣ୍ଡରେ ନେବାକୁ ଚାହୁଁଛି? ସେ କ’ଣ ଅପରାଧ କରିଛନ୍ତି? ସିବିଆଇ ପ୍ରଥମେ ତାଙ୍କୁ ଦୋଷୀ ସାବ୍ୟସ୍ତ କରୁ ଏବଂ ପରେ ରିମାଣ୍ଡ ଆବେଦନ କରିବ। ଏହି ମାମଲାରେ ଆଜି ଯାଏଁ କାହାରିକୁ ଗିରଫ କରାଯାଇ ନାହିଁ। ଆଇଏନଏକ୍ସ ମିଡିଆ ମାମଲାରେ ଯେଉଁ ୬ ଅଭିଯୁକ୍ତ ଅଛନ୍ତି ସେମାନଙ୍କୁ ଗିରଫ କରାଯାଇ ନାହିଁ। ଏବେ କେବଳ ଅନୁମତି ଦେଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି’’, କୋର୍ଟରେ ଏହା କହିଥିଲେ ସିଂଘବୀ।
ରିମାଣ୍ଡ ଆବେଦନକୁ ବିରୋଧ କରି କପିଲ ସିବଲ କହିଛନ୍ତି, ‘‘ଏହି ମାମଲାରେ କାର୍ତ୍ତି ଚିଦାମ୍ବରମ୍ ହେଉଛନ୍ତି ଦୋଷୀ। ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ଦେଇଛନ୍ତି। ମାମଲାର ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଜାମିନ ମିଳି ସାରିଛି। ଏଣୁ ଚିଦାମ୍ବରମ୍ଙ୍କୁ ବି ଜାମିନ ମିଳିବା ଦରକାର’’
ଆଇଏନ୍ଏକ୍ସ ମିଡିଆରେ ବିଦେଶୀ ପୁଞ୍ଜି ନିବେଶ ପାଇଁ ଯେଉଁ ୬ ଜଣ ସେକ୍ରେଟାରୀ ଅନୁମତି ଦେଇଥିଲେ ସେମାନଙ୍କ ମଧ୍ୟରୁ କିଏ ଆରବିଆଇ ଗଭର୍ଣ୍ଣର ହୋଇଛନ୍ତି ତ ଆଉ କିଏ ନୀତି ଆୟୋଗର ଅଧ୍ୟକ୍ଷ ହୋଇଛନ୍ତି। ହେଲେ ସେମାନଙ୍କୁ କାହିଁକି ଗିରଫ କରାଯାଇ ନାହିଁ ବୋଲି ସିବଲ ପ୍ରଶ୍ନ କରିଥିଲେ।


















