ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଶ୍ରାଦ୍ଧବାର୍ଷିକୀରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ।

ଦେଶ ସ୍ୱାଧୀନତା ପାଇଁ ଯେତେବେଳେ ବ୍ରିଟିଶଙ୍କ ସହ ଲଢ଼ୁଥିଲା ସେହି ସମୟରେ ଓଡ଼ିଶାରେ ଯେଉଁ କେତେଜଣ ନାରୀ କବିଙ୍କ ଆବିର୍ଭାବ ହୋଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ। ଏକା ଧାରରେ ସେ ଥିଲେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ। ଓଡ଼ିଶାର ସେ ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ଥିଲେ।  ଆଜି ସେହି ମହିୟଷୀ ମହିଳାଙ୍କ ଶ୍ରାଦ୍ଧବାର୍ଷିକୀ। ୧୯୩୮ ମସିହା ଆଜିର ଦିନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କ ଜୀବନ ସହ ଜଡ଼ିତ କିଛି କଥା।

ଜାତିପ୍ରଥା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ କୁନ୍ତଳା। ପରଦା ପ୍ରଥା, ବାଲ୍ୟ ବିବାହ ଓ ମହିଳା ପ୍ରଭେଦ ବିରୋଧରେ ସେ ଲେଖୁଥିଲେ। ଏହା ଛଡା ବିଧବା ବିବାହ ଓ ନାରୀ ସଶକ୍ତିକରଣ ନିମନ୍ତେ କାମ କରୁଥିଲେ। ଜାତୀୟ ସ୍ଵାଧୀନତା ଆନ୍ଦୋଳନରେ ସେ ଥିଲେ ଜଣେ ଉଜ୍ଜ୍ଵଳ ତାରକା।

୧୯୦୧ ମସିହା ଫେବ୍ରୁଆରି ୮ ତାରିଖରେ ଛତିଶଗଡ଼ର ଜଗଦଳପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଡାନିଏଲ ସାବତ, ସେ ପେଶାରେ ଡାକ୍ତର ଥିଲେ। ତାଙ୍କର ମାତାଙ୍କ ନାମ ମୋନିକା ସାବତ ଥିଲା। ତାଙ୍କ ଜନ୍ମର ଅଳ୍ପଦିନ ପରେ ତାଙ୍କ ପରିବାର ବର୍ମା ଚାଲି ଯାଇଥିଲେ ଓ କୁନ୍ତଳାଙ୍କୁ ୧୪ ବର୍ଷ ହେବା ପର୍ଯ୍ୟନ୍ତ ସେଠାରେ ଥିଲେ। ସେଠାରେ ତାଙ୍କ ପିତା ପୁନର୍ବିବାହ କରିବାରୁ ସେ ନିଜ ମାତାଙ୍କ ସହ ଓଡ଼ିଶାକୁ ଫେରିଆସିଥିଲେ।

ବର୍ମାରୁ ଫେରିବା ପରେ କୁନ୍ତଳା ନିଜ ମାତାଙ୍କ ସହ କିଛି ଦିନ ନିମନ୍ତେ ଖୋର୍ଦ୍ଧାରେ ରହୁଥିଲେ। ସେ ରେଭେନସା ବାଳିକା ବିଦ୍ୟାଳୟରେ ଶିକ୍ଷା ଲାଭ କଲା ପରେ କଟକ ଡାକ୍ତରୀ ବିଦ୍ୟାଳୟରେ (ବର୍ତ୍ତମାନ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ବିଦ୍ୟାଳୟ) ଡାକ୍ତରୀ ଶିକ୍ଷା ଗ୍ରହଣ କରି ୧୯୨୧ ମସିହାରେ ସ୍ୱର୍ଣ୍ଣ ପଦକ ସହ ଏଲ୍.ଏମ୍.ପି, ଡିଗ୍ରୀ ପାଇ ଉତ୍ତୀର୍ଣ୍ଣ ହେଲେ। ସେ ଯୁଗରେ ନାରୀ ଶିକ୍ଷା ଆଦୌ ନ ଥିଲା।

ଓଡ଼ିଆରେ ଲେଖିବା ସହ ସେ ହିନ୍ଦୀ ସାହିତ୍ୟରେ ମଧ୍ୟ ଲେଖା ଲେଖି କରୁଥିଲେ। ମହାବୀର, ଜୀବନ ଓ ନାରୀ ଭାରତୀ ଭଳି ହିନ୍ଦୀ ପତ୍ରିକାମାନଙ୍କର ସେ ସମ୍ପାଦିକା ଥିଲେ।  ଭାଷାର ଉନ୍ନତି ପାଇଁ ଦିଲ୍ଲୀରେ ସେ ଭାରତୀ ତପୋବନ ସଂଘ ନାମରେ ଏକ ସମିତି ଗଢିଥିଲେ। ୧୯୨୫ ମସିହାରେ ମହିଳା ବନ୍ଧୁ ସମିତି ତାଙ୍କୁ ଉତ୍କଳ ଭାରତୀ ନାମରେ ସମ୍ମାନିତ କରିଥିଲେ। ତାଙ୍କ କବିତାଗୁଡ଼ିକ ମଧ୍ୟରେ ଅଞ୍ଜଳି, ଉଚ୍ଛ୍ୱାସ, ଅର୍ଚ୍ଚୋ ଆଦି ଅନ୍ୟତମ। ସେହିପରି ତାଙ୍କ ଉପନ୍ୟାସଗୁଡ଼ିକ ହେଲା ନଅତୁଣ୍ଡୀ, କାଳୀବୋହୂ, ରଘୁ ଅରକ୍ଷିତ, ପରଶମଣି,।

LEAVE A REPLY

Please enter your comment!
Please enter your name here