ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଆଜିର ମନ୍ କି ବାତ୍ରେ ମୋଦୀ ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ନିଜ ଜୀବନରେ ମନ୍ତ୍ର ଭାବେ ଗ୍ରହଣ କରିବାକୁ ଆହ୍ୱାନ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଭାରତରେ ଏକ ବଡ଼ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହା ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଦିବସ। ମହାତ୍ମା ଗାନ୍ଧୀଙ୍କ ପାଇଁ ସେବା ହିଁ ପରମ ଧର୍ମ ଥିଲା। ତେଣୁ ବାପୁଙ୍କ ନୀତି ଏବଂ ଆଦର୍ଶକୁ ନିଜ ଜୀବନରେ ମନ୍ତ୍ର ଭାବେ ଗ୍ରହଣ କର।”
ଆଜିର କାର୍ଯ୍ୟକ୍ରମରେ ମୋଦୀ ବିଭିନ୍ନ ବିଷୟ ଉପରେ ଚର୍ଚ୍ଚା କରିଥିଲେ। ବିଶେଷ କରି ଭଗବାନ ଶ୍ରୀକୃଷ୍ଣ ଏବଂ ମହାତ୍ମା ଗାନ୍ଧୀଙ୍କ ବିଷୟରେ ମୋଦି ଆଲୋଚନା କରିଥିଲେ। ଜନ୍ମାଷ୍ଟମୀ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ସୁଦାମଙ୍କ ସହ କୃଷ୍ଣଙ୍କ ମିତ୍ରତା ସମ୍ପର୍କରେ ବଖାଣି ଥିଲେ। ମୋଦି କହିଥିଲେ, “ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ର ଧରୁଥିଲେ, ମହାତ୍ମା ଗାନ୍ଧୀ ଚରଖା ଧରିଥିଲେ।
ଅନ୍ୟପକ୍ଷରେ ଦେଶର ଜନତାଙ୍କୁ ଫିଟ୍ ରଖିବା ପାଇଁ ମୋଦୀ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ଅଗଷ୍ଟ ୨୮ରୁ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆରମ୍ଭ ହେବ ଏହି ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ’। ଦେଶବାସୀଙ୍କୁ ମନ୍ କି ବାତ୍ରେ ସମ୍ବୋଧନ କରିବା ବେଳେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି।


















