ଓଡ଼ିଶାଲାଇଭ ବ୍ୟୁରୋ

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଓ୍ଵେଷ୍ଟଇଣ୍ଡିଜକୁ ୩୧୮ରନର ବୃହତ ବ୍ୟବଧାନରେ ପରାସ୍ତ କରିଛି ଭାରତ। ଏହାସହ ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ। ଦ୍ଵିତୀୟ ଇଂନିସରେ ବ୍ୟାଟିଂ କରିବାକୁ ଆସିଥିବା ଓ୍ଵେଷ୍ଟଇଣ୍ଡିଜ ଦଳକୁ ବୁମରା ତାଙ୍କ ବୋଲିଂରେ ଧରାଶାୟୀ କରିଥିଲେ। ଫଳରେ ଓ୍ଵେଷ୍ଟଇଣ୍ଡିଜ ୧୦୦ ରନରେ ଅଲଆଉଟ ହୋଇଯାଇଥିଲା।

ପ୍ରଥମ ଟେଷ୍ଟ ମ୍ୟାଚରେ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା ଓ୍ଵେଷ୍ଟଇଣ୍ଡିଜ ଦଳ। ପ୍ରଥମ ଇଂନିସରେ ଦଳ ଭଲ ପ୍ରଦର୍ଶନ କରିନଥିଲା। ଦଳରେ ଟପ୍‌ଅର୍ଡର ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ। ହେଲେ ଆଜ୍ୟିଙ୍କ ରାହାଣେ ଓ ରବିନ୍ଦ୍ର ଜାଡେଜାଙ୍କ ଦମ୍‌ଦାର ଅର୍ଦ୍ଧଶତକ ବଳରେ ଦଳ୨୯୭ ରନ କରିଥିଲା।

ପରେ ଦ୍ଵିତୀୟ ଦିନରେ ବ୍ୟାଟିଂ କରିବାକୁ ଆସିଥିବା ଓ୍ଵେଷ୍ଟଇଣ୍ଡିଜ ଦଳର ବ୍ୟାଟିଂ ମଧ୍ୟ ବିଫଳ ହୋଇଥିଲା। ଇଶାନ୍ତ ଶର୍ମାଙ୍କ ବୋଲିଂରେ ଓ୍ଵେଷ୍ଟଇଣ୍ଡିଜ ଦଳର ସମସ୍ତ ବ୍ୟାଟ୍ସମ୍ୟାନ ୭୪ ଓଭରରେ ପାଭିଲିୟନ ଫେରିଯାଇଥିଲେ। ଫଳରେ ଦଳ ମାତ୍ର ୨୨୨ ରନରେ ଅଲଆଉଟ ହୋଇଯାଇଥିଲା।

ଦ୍ଵିତୀୟ ଇଂନିସରେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ଏଥର ଆଉ ଭୁଲ କରିନଥିଲା। ଦଳ ପକ୍ଷରୁ ବିରାଟ କୋହଲି(୫୧) ଅର୍ଦ୍ଧଶତକ, ଆଜ୍ୟିଙ୍କ ରାହାଣେ(୧୦୨) ଶତକ ହାସଲ କରିଥିଲେ। ସେହିପରି ହନୁମା ବିହାରୀ ଏହି ଇଂନିସରେ ଦମ୍‌ଦାର ବ୍ୟାଟିଂ କରିଥିଲେ।ସେ ୧୨୮ ବଲ୍‌ରୁ ୯୩ ରନ କରିଥିଲେ। ଫଳରେ ଦଳ ୧୧୨ ଓଭରରେ ୭ ଓ୍ଵିକେଟ ହରାଇ ୩୪୩ ରନ କରିଥିବା ବେଳେ ପାଳି ଘୋଷଣା କରିଥିଲା।

୪୧୮ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଓ୍ଵେଷ୍ଟଇଣ୍ଡିଜ ଦଳର ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ଫେରାଇଥିଲେ ଜସପ୍ରିତ ବୁମରା। ଓ୍ଵେଷ୍ଟଇଣ୍ଡିଜ ଦଳର ରୋଷ୍ଟନ ଚେସ୍‌, କେମାର ରୋଚ ଓ ମ୍ୟିଗିଲ କୁମିନ୍ସଙ୍କୁ ଛାଡ଼ିଦେଲେ କୌଣସି ବି ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରିନଥିଲେ। ଫଳରେ ଦଳ ୨୬ ଓଭରରେ ୧୦୦ ରନରେ ଅଲଆଉଟ ହୋଇ ୩୧୮ ରନରେ ପରାସ୍ତ ହୋଇଥିଲା।

LEAVE A REPLY

Please enter your comment!
Please enter your name here