ଓଡ଼ିଶାଲାଇଭ ବ୍ୟୁରୋ

ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ୧୩ ଡାକ୍ତର ପଦବୀ କାଲି ପଡ଼ିଛି। ଫଳରେ ଏଠାକୁ ଆସୁଥିବା ରୋଗୀ ସଠିକ୍ ଚିକିତ୍ସା ପାଇ ପାରୁନାହାନ୍ତି। ପ୍ରତିଦିନ ଶହଶହ ରୋଗୀ ବିଭିନ୍ନ ଗ୍ରାମମାନଙ୍କରୁ ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି। ଡାକ୍ତର ସଂଖ୍ୟା କମ୍ ଥିବାରୁ କୌଣସି ରୋଗୀର ଟିକେ ଦେହଖରାପ ହେଲା ସଙ୍ଗେ ସଙ୍ଗେ ତାକୁ କଟକ ବଡ ମେଡିକାଲ୍କୁ ଚିକିତ୍ସା ପାଇଁ ପଠାଇ ଦିଆଯାଉଛି।
ଏଠାରେ ବିଭିନ୍ନ ବିଭାଗରେ ୧୮ଟି ଡାକ୍ତର ପଦବୀ ଥିଲେ ମଧ୍ୟ ମାତ୍ର ୫ଜଣ ଡାକ୍ତରରେ ମେଡିକାଲ ଚାଲୁଛି। ଏଠାରେ ଦୀର୍ଘ ଦିନ ହେଲା ଭେଷଜ ବିଭାଗର ବିଶେଷଜ୍ଞ ଡାକ୍ତର ପଦବୀଖାଲି ପଡ଼ିଛି। ଅନୁସନ୍ଧାନରୁ ଜଣାପଡିଛି ଯେ, ଏଠାରେ ନିଯୁକ୍ତ ପାଇଥିବା ଭେଷଜ ବିଶେଷଜ୍ଞ ଡେପୁଟେସନ୍ରେ ଓଡ଼ିଶା ଉଚ୍ଚନ୍ୟାୟାଳରେ କାର୍ଯ୍ୟରତ। ବର୍ତ୍ତମାନ ମେଡିକାଲରେ ୩ଜଣ ସ୍ତ୍ରୀରୋଗ ବିଶେଷଜ୍ଞ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣ ପଦୋନ୍ନତି ପାଇ ଅନ୍ୟଜିଲ୍ଲାକୁ ବଦଳି ହୋଇଯାଇଛନ୍ତି। ତେବେ ଏକମାତ୍ର ଡାକ୍ତର ଧୂଳେଶ୍ୱର ପ୍ରଧାନ ଉପଖଣ୍ଡ ଚିକିତ୍ସା ଅଧିକାରୀ ଦାୟିତ୍ୱରେ ରହି ମେଡିକାଲର ସମସ୍ତ ଦାୟିତ୍ୱ ବୁଝୁଛନ୍ତି।
ଏଠାରେ ୨ଟି ଶିଶୁରୋଗ ବିଶେଷଜ୍ଞ ପଦବୀ ଥିଲେ ମଧ୍ୟ ଗୋଟିଏ ପଦବୀ ବହୁଦିନ ହେଲା ଖାଲି ପଡିଛି। ପୂର୍ବରୁ ଆନେସ୍ଥେସିଆ ଡାକ୍ତର ଏବଂ ଆଖି ଡାକ୍ତର ଭାବେ ଦୁଇଜଣ ଡାକ୍ତରଙ୍କୁ ଏଠାରେ ନିଯୁ୍କ୍ତି ଦିଆଯଆଇଥିଲା। ହେଲେ ବର୍ତ୍ତମାନ ସେମାନେ କ୍ୟାପିଟାଲ୍ ଏବଂ ସିଟି ହସ୍ପିଟାଲରେ କାର୍ଯ୍ୟ କରୁଛନ୍ତି। ସେହିପରି ୫ଟି ସହକାରୀ ଡାକ୍ତର ପଦବୀ ଏଠାରେ ଥିଲେ ମଧ୍ୟ ୪ଟି ପଦବୀ ଏଠାରେ ବହୁଦିନ ହେବ ଖାଲି ପଡିଛି। ୨ଜଣ ଡାକ୍ତର ଭିତ୍ତିକ ଭବେ ରୋଗୀ ସେବା କରୁଛନ୍ତି। ମେଡିକାଲର ଅଧ୍ୟକ୍ଷକ ପଦଟି ଦୀର୍ଘଦିନ ହେଲା ଖାଲି ପଡିରହିଅଛି।
ଡାକ୍ତର ମାନଙ୍କର ଘୋର ଅଭାବ ଯୋଗୁଁ ରୋଗୀସେବା ଏଠାରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଯେଉଁ ଚୁକ୍ତି ଭିତ୍ତିକ ଡାକ୍ତର ଅଛନ୍ତି ସେମାନେ ମେଡକାଲରେ ମିଳୁଥିବା ନିରାମୟ ଯୋଜନାରେ ମାଗଣା ଔଷଧ ନଲେଖି ରୋଗୀମାନଙ୍କୁ ଜେନେରିକ୍ କମ୍ପାନିର ଔଷଧ ଲେଖି ଦୋକାନମାନଙ୍କରୁ କିଣିବା ପାଇଁ ପରାମର୍ଶ ଦେଉଛନ୍ତି। ଫଳରେ ଡାକ୍ତରମାନେ ମଧ୍ୟ କମ୍ପାନୀଠାରୁ ଭଲ ସୁବିଧା ପାଉଛନ୍ତି। ତେଣୁ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାପାଇଁ ବାଙ୍କୀ ଜନସାଧାରଣ ତରଫରୁ ଦାବି ହେଉଛି।
















