ଓଡ଼ିଶାଲାଇଭ୍ ବ୍ୟୁରୋ

ମାଟ୍ରିକ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ବିଦ୍ୟାଳୟ ପାଇଁ କଠୋର ହେଲେ ରାଜ୍ୟ ସରକାର। ଶୂନ ଫଳ ରଖିଥିବା ଓ ୫୦ ପ୍ରତିଶତରୁ କମ ରେଜଲ୍ଟ କରିଥିବା ସ୍କୁଲ ପ୍ରଧାନ ଶିକ୍ଷକଙ୍କ ବାର୍ଷିକ ବେତନ ବୃଦ୍ଧି ହେବ ନାହିଁ। ସମସ୍ତ ସରକାରୀ ସ୍କୁଲ, ଅନୁଦାନପ୍ରାପ୍ତ , ଉନ୍ନୀତ ବିଦ୍ୟାଳୟ ପାଇଁ ଏହି ନିୟମ ଲାଗୁ ହେବ।

ସେହିପରି ଯେଉଁ ବିଷୟରେ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଶିକ୍ଷା ନିର୍ଦ୍ଦେଶକ ଏନେଇ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ସପ୍ତାହ ମଧ୍ୟରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଅବଗତ କରିବାକୁ ମଧ୍ୟ କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ୮୨ଟି ସ୍କୁଲର ମାଟ୍ରିକ ଫଳ ଶୂନ ରହିଥିଲା। ଏନେଇ ଜୁନ ୬ରେ ବିଭାଗ ତରଫରୁ ସବୁ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଚିଠି ଲେଖିଥିଲେ ବିଭାଗ। କାହିଁକି ସେମାନଙ୍କୁ ସସପେଣ୍ଡ କରାନଯିବ ଓ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ କାହିଁକି ଅନୁଦାନ ପ୍ରତ୍ୟାହାର କରାନଯିବ ବୋଲି କାରଣ ଦର୍ଶାଇବାକୁ କୁହାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ଅଧିକାଂଶ ସ୍କୁଲ ଏହାର ଉତ୍ତର ଦେଇନାହାନ୍ତି।