ଓଡ଼ିଶାଲାଇଭ ବ୍ୟୁରୋ
ଆଉ ଦିନ କେଇଟା ପରେ ଗଣେଶ ପୂଜା। ଏନେଇ ଚଳଚଞ୍ଚଳ ହୋଇ ପଡ଼ିଛି କଟକ ସହର। ତେବେ କଟକ ସହରର ମୂର୍ତ୍ତି କାରଖାନା କୁହାଯାଉଥିବା କାଠଗଡ଼ା ସାହି ନିକଟସ୍ଥ କୁମ୍ଭାର ସାହିରେ ଜୋରଦାର ଚାଲିଛି ଗଣେଶ ମୂର୍ତ୍ତି କାମ। କେବଳ ଗଣେଶ ନୁହେଁ କଟକରେ ହେଉଥିବା ବିଭିନ୍ନ ପୂଜାରେ ଏହିଠାରେ ହିଁ ମୂର୍ତ୍ତି ତିଆରି ହୋଇଥାଏ।
କଟକରେ ଗତ ୩ ବର୍ଷ ଧରି ଗଣେଶ ପୂଜାରେ ୩୫ରୁ ୪୦ ଫୁଟ ଗଣେଶ ମୂର୍ତ୍ତି ପୂଜା ପାଇ ଚର୍ଚ୍ଚାରେ ରହିଛି। ଓଡ଼ିଶାରେ ବିଶାଳକାୟ ମୂର୍ତ୍ତି ତିଆରି କରି ପୂଜା କରିବାରେ କଟକ ପ୍ରଥମ। ସେହିପରି ଏଠାରେ ଗଣେଶ ପୂଜା ହେଉକି ଦୁର୍ଗାପୂଜା ମୂର୍ତ୍ତି ତିଆରି କରି ନିଜ କଳା ପ୍ରଦର୍ଶନ କରିବାରେ ମଧ୍ୟ କାରୀଗରମାନେ ଆଗରେ ରହିଛନ୍ତି।
କଟକରେ କାଠଗଡ଼ାସାହି ନିକଟସ୍ଥ କୁମ୍ଭାର ସାହି, ଯାହାକି ମୂର୍ତ୍ତି କାମ ପାଇଁ ବେଶ ପ୍ରସିଦ୍ଧ। ଏଠାରେ ପ୍ରାୟ ୨୫୦ ରୁ ୩୦୦ ପରିବାର ମୂର୍ତ୍ତି କାମ କରିଥାନ୍ତି। କଟକରେ ଗଣେଶ ପୂଜା, ଦୁର୍ଗାପୂଜା, କାଳୀପୂଜା, କାର୍ତ୍ତିକ ପୂଜା ସମୟରେ ଏଠିକାର କାରିଗର ହିଁ ମୂର୍ତ୍ତି କାର୍ଯ୍ୟରେ ନିୟୋଜିତ ରୁହନ୍ତି। ଅନେକ ବର୍ଷ ଧରି ଏଠାରେ ମୂର୍ତ୍ତି କାର୍ଯ୍ୟ ହୋଇଆସୁଛି। ନିଜ ତୂଳିର ମୁନରେ ମାଟିକୁ ବିଭିନ୍ନ ଆକୃତି ଦେଇ ସୁନ୍ଦର ସୁନ୍ଦର ମୂର୍ତ୍ତି ତିଆରି କରିବାରେ ବେଶ ପାରଙ୍ଗମ ଏଠାକାର ଶିଳ୍ପୀ।
ତେବେ ଚଳିତ ବର୍ଷ ପୂଜା ଋତୁ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଗଣେଶ ପୂଜା ପାଇଁ ତତ୍ପର ହୋଇ ପଡ଼ିଛନ୍ତି କୁମ୍ଭାର ସାହି ଶିଳ୍ପୀମାନେ। ମୂର୍ତ୍ତିରେ ଚୂନ ମରା ସରିଛି। ଏବେ ରଙ୍ଗ ମାରି ମୂର୍ତ୍ତିକୁ ସଜାଉଛନ୍ତି ଶିଳ୍ପୀ। କାହିଁ କେତେ ଦୂରରୁ ଏଠାରେ ମୂର୍ତ୍ତି କାମ ପାଇଁ ବରାଦ ରହିଛି। ଏଠାରେ ମୂର୍ତ୍ତି ଦାମ୍ ୧୦ ହଜାରରୁ ୧୫ ହଜାର ରହିଛି।
ତେବେ ନିଜ କାରିଗରୀ ଓ ଦକ୍ଷତାକୁ ବର୍ଣ୍ଣନା କରି ଶିଳ୍ପୀ ଦିନେଶ କୁମାର ବେହେରା କହିଛନ୍ତି, “ଚଳିତ ବର୍ଷ ଗଣେଶ ପୂଜା ପାଇଁ ବମ୍ଵେ ଷ୍ଟାଇଲର ଗଣେଶ ଲୋକଙ୍କ ପ୍ରଥମ ପସନ୍ଦ। ଲୋକଙ୍କ ଡିମାଣ୍ଡରେ ଆମେ ମୂର୍ତ୍ତି ତିଆରି କରୁଛୁ। ହେଲେ ବିକୃତ ମୂର୍ତ୍ତି ତିଆରିକୁ ଆମେ ପ୍ରୋତ୍ସାହନ ଦେଉନୁ। ଏହି ମୂର୍ତ୍ତି କାମ ଆମ ପୂର୍ବ ପୁରୁଷରୁ ରହି ଆସିଛି। ଏହାକୁ ବଜାୟ ରଖିବା ପାଇଁ ଆମେ ଆମ ପିଲାମାନଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରୁଛୁ।”