ଓଡ଼ିଶାଲାଇଭ ବ୍ୟୁରୋ

  • ବାହାରିଲା ଆସାମ ଏନଆରସି ଫାଇନାଲ ଲିଷ୍ଟ
  • ୩କୋଟିରୁ ଅଧିକ ଲୋକ ଲିଷ୍ଟରେ ସାମିଲ
  • ୧୯ ଲକ୍ଷରୁ ଅଧିକ ଲୋକ ଲିଷ୍ଟରୁ ବାହାରେ

ଆସାମର ବହୁ ଚର୍ଚ୍ଚିତ ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ୍ସ(ଏନଆରସି)ର ଫାଇନାଲ ଲିଷ୍ଟ ଶନିବାର ପ୍ରକାଶ ପାଇଛି। ଏହାକୁ ଗୃହ ମନ୍ତ୍ରାଳୟ ପ୍ରକାଶ କରିଛି। ଏହି ଲିଷ୍ଟରେ ୧୯ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନ ମିଳିନାହିଁ। ତେବେ ୩ କୋଟି ୧୧ ଲକ୍ଷ ୨୧ ହଜାର ଲୋକ ଏହି ଲିଷ୍ଟରେ ସ୍ଥାନ ପାଇଛନ୍ତି। ସ୍ଥାନ ପାଇନଥିବା ୧୯ ଲକ୍ଷ ୬ହଜାର ୬୫୭ ଲୋକ ଭାରତୀୟ ନାଗରିକ ହୋଇନଥିବା ଚିହ୍ନଟ କରାଯାଇଛି।

ବର୍ତ୍ତମାନ ଚିହ୍ନଟ ହୋଇଥିବା ଆସାମର ୧୯ ଲକ୍ଷରୁ ଅଧିକ ନାଗରିକଙ୍କ ଭବିଷ୍ୟତ ଅନିଶ୍ଚିତ ରହିଛି। ତେବେ ସେମାନଙ୍କୁ ସରକାର ଦେଶରେ ରଖିବେ କି ବାହାର କରିବେ ଏହାକୁ ନେଇ ସେମାନଙ୍କ ମନ ପ୍ରଶ୍ନ ସୃଷ୍ଟ ହୋଇଛି।

ଏନେଇ ଏନଆରସି ରାଜ୍ୟ ସମନ୍ଵୟକାରୀ ପ୍ରତୀକ ହଜାରୀ କହିଛନ୍ତି, “ଏହି ଲିଷ୍ଟରେ ୩ କୋଟି ୧୧ ଲକ୍ଷ, ୨୧ ହଜାର ଲୋକ ନିଜ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି। ହେଲେ ୧୯ ଲକ୍ଷ ୬ ହଜାର ୬୫୭ ଲୋକ ଏଥିରେ ସ୍ଥାନ ପାଇନାହାନ୍ତି। ତେବେ ସ୍ଥାନ ପାଇନଥିବା ନାଗରିକମାନେ ବିଦେଶୀ ଚ୍ରିବୁନାଲରେ ଅପିଲ କରିପାରିବେ।”

ତେବେ ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ସରକାର ୨୦ ହଜାରରୁ ଅଧିକ ସେନା ମୁତୟନ କରିଛନ୍ତି। ଏହାସହ ଆସାମରେ ୧୪୪ ଧାରା ମଧ୍ୟ ଲାଗୁ କରାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ଶ୍ରବଣାନନ୍ଦ ସୋନଓ୍ଵାଲ ଲିଷ୍ଟରେ ସ୍ଥାନ ପାଇନଥିବା ଲୋକଙ୍କୁ ଚିନ୍ତା ନକରିବାକୁ କହିଛନ୍ତି। ଏହାସହ ତାଙ୍କୁ ସୁରକ୍ଷା ଦେବାକୁ ମଧ୍ୟ ଘୋଷଣା କରିଛନ୍ତି।

ଲିଷ୍ଟରୁ ବାହାରେ ଥିବା ୧୯ ହଜାରରୁ ଅଧିକ ଲୋକଙ୍କୁ ନିଜ ନାଗରିକ ପ୍ରମାଣ ଦେବାକୁ ମଧ୍ୟ ସମୟ ଦିଆଯାଇଛି। ସେମାନଙ୍କ ପାଇଁ ଟ୍ରିବୁନାଲ ମଧ୍ୟ ଗଠନ କରାଯିବ। ଯାହା ମାଧ୍ୟମରେ ସେମାନେ ଆଉଥରେ ଆବେଦନ କରିପାରିବେ।

LEAVE A REPLY

Please enter your comment!
Please enter your name here