ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଅଡ଼ୁଆରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ସାଂସଦ ଶଶୀ ଥରୁର୍। ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ ଶଶୀ ଥରୁର୍କୁ ପୁଣି ଏକ ଝଟକା ଲାଗିଛି। ଶନିବାର ଶଶୀ ଥରୁର୍ଙ୍କ ବିରୋଧରେ ହତ୍ୟା ମାମଲା ରୁଜ୍ଜୁ କରିବା ପାଇଁ ଦିଲ୍ଲୀ ପୋଲିସ ଆବେଦନ କରିଛି।
ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ସାଂସଦ ଶଶୀ ଥରୁରଙ୍କ ନାଁରେ ଆଇପିସିର ଧାରା ୪୯୮-ଏ( ସ୍ୱାମୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କ ଦ୍ୱାରା ମହିଳାଙ୍କ ପ୍ରତି ନିଷ୍ଠୁରତା), ୩୦୬ (ଆତ୍ମହତ୍ୟା ପାଇଁ ଉସ୍କାଇବା) କିମ୍ବା ଧାରା ୩୦୨ (ହତ୍ୟା) ଲଗାଇବା ପାଇଁ କୋର୍ଟରେ ଆବେଦନ କରିଛି ଦିଲ୍ଲୀ ପୋଲିସ। ତେବେ ଆସନ୍ତା ଅକ୍ଟୋବର ୧୭ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ। 
ସୁନନ୍ଦା ନିଜ ବୈବାହିକ ଜୀବନରେ ବହୁତ ଖୁସି ଥିଲେ। କିନ୍ତୁ ମୃତ୍ୟୁର କିଛି ଦିନ ପୂର୍ବରୁ ନିଜ ସେ ବହୁତ ଅସୁବିଧାରେ ଥିଲେ। ତେବେ ସେ କେବେ ଆତ୍ମହତ୍ୟା କରିପାରିବେ ନାହିଁ ବୋଲି କହିଛନ୍ତି ସୁନନ୍ଦାଙ୍କ ଭାଇ ଆଶୀଷ ଦାସ।
ସୁନନ୍ଦାଙ୍କ ମୃତ୍ୟୁ ମାମଲାରେ ପୋଲିସ୍ ଶଶୀ ଥରୁର୍ଙ୍କ ବିରୋଧରେ ଆଇପିସିର ଧାରା ୪୯୮-ଏ ଏବଂ ୩୦୬ ଲାଗୁ କରି ଗିରଫ କରିଥିଲା। ବର୍ତ୍ତମାନ ଥରୁର୍ ଏହି ମାମଲାରେ ଜାମିନରେ ଅଛନ୍ତି।
ମୃତ୍ୟୁର ଏକ ବର୍ଷ ମଧ୍ୟରେ ପତି ପତ୍ନୀଙ୍କ ମଧ୍ୟରେ ମାର୍ପିଟ୍ ହେଉଥିଲା। ସ୍ୱାମୀଙ୍କ ସହ ହୋଇଥିବା ଗଣ୍ଡଗୋଳ ଯୋଗୁଁ ସୁନନ୍ଦାଙ୍କ ଶରୀରରେ ଅନେକ ଦାଗ ମଧ୍ୟ ରହିଥିଲା। ଥରୁର ସୁନନ୍ଦାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ପୁଲିସ ଅଭିଯୋଗ କରିଛି।
ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ସୁନନ୍ଦାଙ୍କ ଶରୀରର ୧୫ଟି ସ୍ଥାନରେ କ୍ଷତଚିହ୍ନ ରହିଥିବା ପୋଲିସ୍ ପକ୍ଷରୁ କୁହାଯାଇଛି। ତେଣୁ ଶଶୀ ଥରୁର୍ଙ୍କ ବିରୋଧରେ ହତ୍ୟା ମାମଲା ରୁଜ୍ଜୁ କରିବା ପାଇଁ ଦିଲ୍ଲୀ ପୋଲିସ ଅଦାଲତରେ ଆବେଦନ କରିଛି।











