ଓଡ଼ିଶାଲାଇଭ୍ ବ୍ୟୁରୋ

ନାବାଳିକା କୁସ୍ତି ଖେଳାଳି ଯୌନ ନିର୍ଯାତନା ମାମଲାରେ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କୁ କ୍ଲିନ ଚିଟ୍ ଦେଇଛି ଦିଲ୍ଲୀ ପୋଲିସ।

୭ ଜଣ କୁସ୍ତି ଯୋଦ୍ଧା ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଗୁରୁବାର ଦିନ ଦିଲ୍ଲୀ ପୋଲିସ ଦୁଇଟି ଅଦାଲତରେ ଚାର୍ଜସିଟ୍ ଦାଖଲ କରିଛି।

୬ ଜଣ ସାବାଳିକାଙ୍କ ଅଭିଯୋଗ ରହିଥିବା ଚାର୍ଜସିଟ ରାଁଉଜ ଏଭେନ୍ୟୁ କୋର୍ଟରେ ଦାଖଲ କରାଯାଇଥିବାବେଳେ ଜଣେ ନାବାଳିକା ଅଭିଯୋଗ ଥିବା ଚାର୍ଜସିଟ୍ ପଟିଆଲା କୋର୍ଟରେ ଦାଖଲ କରାଯାଇଥିଲା। ନାବାଳିକାଙ୍କ ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କୁ କ୍ଲିନ ଟିଚ୍ ଦେଇଛି।

୭ ଅଭିଯୋଗକାରୀଙ୍କ ମଧ୍ୟରେ ଜଣେ ନାବାଳିକା

ଗତ ଏପ୍ରିଲ ୨୧ ତାରିଖରେ ୭ ଜଣ କୁସ୍ତି ଯୋଦ୍ଧା ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦିଲ୍ଲୀ ପୋଲିସ ନିକଟରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହି ମାମଲାରେ ଦିଲ୍ଲୀ ପୋଲିସ ଏପ୍ରିଲ ୨୮ ତାରିଖରେ ବ୍ରିଜଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ପ୍ରଥମ ମାମଲା ୬ ଜଣ କୁସ୍ତିଯୋଦ୍ଧାଙ୍କ ଅଭିଯୋଗ କ୍ରମେ ରହିଥିବାବେଳେ ଜଣେ ନାବାଳିକା ଅଭିଯୋଗକାରୀଙ୍କ ମାମଲା ପକ୍ସୋ ଆକ୍ଟ ଅନ୍ତର୍ଗତ ରୁଜୁ ହୋଇଥିଲା।

ପକ୍ସୋ କୋର୍ଟରେ ଦିଲ୍ଲୀ ପୋଲିସ ଦାଖଲ କରିଥିବା ୫୫୦ ପୃଷ୍ଠା ସମ୍ବଳିତ ଚାର୍ଜସିଟରେ ଉଲ୍ଲେଖ କରିଛି ଯେ, ନାବାଳିକା ଅଭିଯୁକ୍ତାଙ୍କ ଅଭିଯୋଗର କୌଣସି ପ୍ରମାଣ ମିଳିପାରି ନାହିଁ। ଏହି ଚାର୍ଜସିଟରେ ବ୍ରିଜଭୂଷଣଙ୍କ ବିରୋଧରେ ପକ୍ସୋ ଆକ୍ଟରେ ରୁଜୁ ହୋଇଥିବା ମାମଲା ହଟାଇବାକୁ ସୁପାରିସ କରିଛି ଦିଲ୍ଲୀ ପୋଲିସ।

ପକ୍ସୋ ମାମଲାରେ ସମ୍ପୂର୍ଣ୍ଣ ତଦନ୍ତ ସରିବା ପରେ ହିଁ ମାମଲା ରଦ୍ଦ କରିବାକୁ ସୁପାରିସ କରାଯାଇଥିବା କହିଛି ଦିଲ୍ଲୀ ପୋଲିସ। ଅଭିଯୋଗକାରୀ ଏବଂ ତାଙ୍କ ପିତାଙ୍କ ବୟାନ ଆଧାରରେ ପୋଲିସ କୋର୍ଟରେ ଚାର୍ଜସିଟ ଦାଖଲ କରିଥିବା କହିଛି।

ବୟାନ ବଦଳାଇଥିଲେ ନାବାଳିକା

ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ନାବାଳିକା କୁସ୍ତି ଖେଳାଳି ନିଜ ବିୟାନ ବଦଳାଇ ଦେଇଛନ୍ତି। ସେ କହିଛନ୍ତି ବ୍ରିଜଭୂଷଣ ତାଙ୍କୁ ଯୌନ ନିର୍ଯାତନା ଦେଇ ନାହାନ୍ତି, ତାଙ୍କ ସହ ଭେଦଭାବ କରିଛନ୍ତି।

ସମ୍ପୃକ୍ତ ନାବାଳିକା ଏହା ପୂର୍ବରୁ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। କିନ୍ତୁ ଦ୍ଵିତୀୟ ବୟାନ ଦେବାବେଳେ ନାବାଳିକା ଜଣକ କହିଥିଲେ, ସେ ଯୌନ ନିର୍ଯାତନା ନୁହେଁ ବରଂ ଭେଦଭାବର ଶିକାର ହୋଇଛନ୍ତି। ବହୁତ ଚେଷ୍ଟା କରି ସିଲେକ୍ସନ ନହେବାରୁ ସେ ଡିପ୍ରେସନରେ ଥିଲେ, ତେଣୁ ରାଗରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ।

Tags: #BrijbhusanSharanSingh #SexualHarassment #Wrestler #WFI #DelhiPolice #FIR

Comment