ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆସାମରେ ମାମଲା ରୁଜୁ ହୋଇଛି। ଆସାମରେ କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରାବେଳେ ସେଠାରେ ହିଂସା ସୃଷ୍ଟି କରିବା ଏବଂ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ରାହୁଲଙ୍କ ବିରୋଧରେ ଏଫଆଇଆର ହୋଇଛି। ଏନେଇ ମଙ୍ଗଳବାର ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵଶର୍ମା ସୂଚନା ଦେଇଛନ୍ତି।

ଏହି ଘଟଣାରେ ଆସାମ ପୋଲିସ ପକ୍ଷରୁ ରାହୁଲଙ୍କ ସମେତ କଂଗ୍ରେସ ନେତା କେସି ବେଣୁଗୋପାଳ, କହ୍ନୈୟା କୁମାର ଏବଂ ଅନ୍ୟ କିଛି ନେତାଙ୍କ ବିରୋଧରେ ମଧ୍ୟ ଏଫଆଇଆର ରୁଜୁ କରାଯାଇଛି। ସେମାନଙ୍କ ବିରୋଧରେ ଆଇପିସି ଧାରା ୧୨୦(ଖ), ୧୪୩, ୧୪୭, ୧୮୮, ୨୮୩, ୩୩୨, ୩୩୩ ୩୫୩ ଓ ୪୨୭ ଆଧାରରେ ମାମଲା ହୋଇଛି।  

ମାମଲା ରୁଜୁ ହେବାପରେ ରାହୁଲ ଗାନ୍ଧୀ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଆମ ବିରୋଧରେ ମାମଲା ରୁଜୁ କରିବା ପାଇଁ ସ୍ଵୟଂ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏହା କଂଗ୍ରେସ ପ୍ରତି ସେମାନଙ୍କ ଭୟକୁ ଦର୍ଶାଉଛି। ଆସାମ ଓ ସାରା ଭାରତର ଲୋକେ ଏହା ଦେଖୁଛନ୍ତି ଏବଂ ସେମାନେ ଆଗାମୀ ନିର୍ବାଚନରେ ଏହାର ଜବାବ ଦେବେ।”   

ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ମଣିପୁରରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା ମଙ୍ଗଳବାର ଗୌହାଟି ପହଞ୍ଚିଥିଲା। ତେବେ ଯାତ୍ରା ଗୌହାଟି ସହର ଦେଇ ଯିବା ପାଇଁ ପ୍ରଶାସନର ଅନୁମତି ନଥିବାରୁ ପୋଲିସ ଏହାକୁ ଅଟକାଇଥିଲା। ଏହାପରେ କଂଗ୍ରେସ ସମର୍ଥକମାନେ ପୋଲିସ ସହିତ ମୁହାଁମୁହିଁ ହୋଇଥିଲେ।  

କଂଗ୍ରେସ ସମର୍ଥକମାନେ ଉତ୍ୟକ୍ତ ହୋଇ ପୋଲିସକର୍ମୀଙ୍କ ଧସ୍ତାଧସ୍ତି କରିବା ସହ ବ୍ୟାରିକେଡ୍ ଭାଙ୍ଗି ଦେଇଥିଲେ। ଏଥିରେ ୪ ଜଣ ପୋଲିସକର୍ମୀ ଆହତ ହୋଇଥିଲେ। ଏହି ଘଟଣା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ରାହୁଲ ଗାନ୍ଧୀ ଓ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ପୋଲିସକୁ ନିର୍ଦେଶ ଦେଇଥିଲେ।

Tags: #RahulGandhi #Congress #BharatJodoNyayYatra #Assam

Comment