ଓଡ଼ିଶାଲାଇଭ୍ ବ୍ୟୁରୋ

ବରଗଡ଼ ଜିଲ୍ଲାର ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା ପରେ ଏବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୧୦୦ରୁ ଅଧିକ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଥାନାର ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାରେ ଲାଗିଛି ପୋଲିସ। ଏନେଇ ବରଗଡ଼ ଏସପି ପ୍ରହଲ୍ଲାଦ ମୀଣା ସୂଚନା ଦେଇଛନ୍ତି।

ରବିବାର ଅପରାହ୍ଣରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଶତାଧିକ ଲୋକ ଥାନା ଘେରିଥିଲେ। ସେହି ସମୟରେ ପୋଲିସ କର୍ମୀଙ୍କ ସହ ସେମାନଙ୍କ ପଟିତୁଣ୍ଡ ହୋଇଥିଲା। ଏହାପରେ ସେମାନେ ଥାନା ଭିତରେ ପଶି ଭଙ୍ଗାରୁଜା କରିଥିଲେ।   

ଏହି ଘଟଣାରେ ଥାନାର ଅନେକ ଆସବାବପତ୍ର ନଷ୍ଟ ହେବା ସହ ଅନେକ କମ୍ପ୍ୟୁଟର ନଷ୍ଟ ହୋଇଥିଲା। ଲୋକଙ୍କ ଏହି ସଂଘବଦ୍ଧ ଆକ୍ରମଣକୁ ଥାନା କର୍ମଚାରୀମାନେ ମୁକାବିଲା କରିପାରିନଥିଲେ। ଭଙ୍ଗାରୁଜା କରି ଲୋକମାନେ ସେଠାରୁ ଚାଲିଯାଇଥିଲେ।

ରବିବାର ଅମ୍ବାଭୋନା ବ୍ଲକସ୍ଥିତ ତାମଦେଇ ପର୍ଯ୍ୟଟନସ୍ଥଳୀରେ ଗଞ୍ଜେଇ, ବ୍ରାଉନସୁଗାର ଭଳି ନିଶା ଦ୍ରବ୍ୟ କାରବାର ହେଉଥିବା ଅଭିଯୋଗ ହେବାପରେ ପୋଲିସ ଚଢ଼ଉ କରିଥିଲା। ସେଠାରେ ପୋଲିସ ସହ ଉପସ୍ଥିତ ଥିବା ଯୁବକମାନଙ୍କ ପାଟିତୁଣ୍ଡ ସହ ଠେଲାପେଲା ହୋଇଥିଲା। ପରେ ସଂପୃକ୍ତ ଯୁବକମାନେ ସହଯୋଗୀମାନଙ୍କ ସହ ମିଶି ଥାନା ଉପରେ ସଂଘବଦ୍ଧ ଆକ୍ରମଣ କରିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

ଏହି ମାମଲାରେ ପୋଲିସ ପକ୍ଷରୁ ଏ ଯାଏଁ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେବେ ଘଟଣାର ସବୁ ଦିଗକୁ ନେଇ ଯାଞ୍ଚ କରାଯାଉଥିବା ବରଗଡ଼ ପୋଲିସ ପକ୍ଷରୁ କୁହାଯାଇଛି।

Tags: #Bargarh #AmbabhonaPoliceStation #Vandalism #FIR #Police #Odisha

Comment