ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶାସକ ବିଜେଡି ଓ ବିଜେପିର ବାଟକୁ ଅନୁସରଣ କରି କଂଗ୍ରେସ ଦଳ ଏବେ ସଭ୍ୟ ସଂଗ୍ରହ ଅଭିଯାନ ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛି। ତୃଣମୂଳ ସ୍ତରରେ ଦଳର ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଦଳ ପକ୍ଷରୁ ଖୁବ୍ ଶୀଘ୍ର ସଦସ୍ୟ ସଂଗ୍ରହ ଅଭିଯାନ ଚାଲିବ ବୋଲି ଖବର ଆସୁଛି। ଚଳିତ ମାସରେ ହିଁ ଏହି ଅଭିଯାନ ଆରମ୍ଭ କରାଯିବ। ଆଗକୁ ପୌର ନିର୍ବାଚନ ଓ ତା’ ପରେ ପଞ୍ଚାୟତ ନିର୍ବାଚନ ଥିବା କାରଣରୁ କଂଗ୍ରେସ ଏବେଠାରୁ ନିଜକୁ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଦଳୀୟ ସୂତ୍ରରୁ ପ୍ରକାଶ ଯେ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଦେଶ ଗସ୍ତରୁ ଫେରିବା ପରେ ଏହି ଅଭିଯାନକୁ ବିଧିବଦ୍ଧ ଭାବେ ଆରମ୍ଭ କରାଯିବ। ତାଙ୍କର ଫେରିବା ପରେ ହିଁ କାର୍ଯ୍ୟସୂଚୀ ତିଆରି ହେବ। ଆସନ୍ତା ସପ୍ତାହରେ ନିରଞ୍ଜନ ଓଡ଼ିଶା ଫେରୁଛନ୍ତି। ନିକଟରେ କଂଗ୍ରେସ ହାଇକମାଣ୍ଡ ପକ୍ଷରୁ ସମସ୍ତ କମିଟି ଭାଙ୍ଗି ଦିଆଯାଇଥିବା ଦୃଷ୍ଟିରୁ ସଭ୍ୟ ସଂଗ୍ରହ ପାଇଁ ଏକ ଛୋଟ କମିଟି ଗଠନ କରାଯିବ ବୋଲି ଖବର ମିଳିଛି।

୨୦୧୯ ବିଧାନସଭା ଓ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଏକ ପ୍ରକାର ସ୍ଥାଣୁ ଅବସ୍ଥାକୁ ଆସିଯାଇଛି। ନିର୍ବାଚନରେ ପରାସ୍ତ ହେବା ପରେ ଅବଶ୍ୟ ପିସିସି ସଭାପତି ପଦରୁ ନିରଞ୍ଜନ ଇସ୍ତଫା ଦେଇଥିଲେ। କିନ୍ତୁ ନିକଟରେ ଏଆଇସିସି ପକ୍ଷରୁ ତାଙ୍କ ଇସ୍ତଫା ପତ୍ରକୁ ଫେରାଇ ଦିଆଯିବା ସହ ଅନ୍ୟ ନିର୍ଦ୍ଦେଶ ପର୍ଯ୍ୟନ୍ତ ପଦରେ ରହିବା ପାଇଁ କୁହାଯାଇଥିଲା।

ଦଳର କେଇ ଜଣ ଛାମୁଆ ନେତାଙ୍କୁ ଛାଡ଼ି ଦେଇ ଅବଶିଷ୍ଟ ସବୁ କମିଟିକୁ ଭାଙ୍ଗି ଦିଆଯିବା ପରେ ଦଳ ଭିତରେ ଭୀଷଣ ଅସନ୍ତୋଷ ଦେଖାଦେଇଛି। ପଦ ପଦବୀରୁ ଯିବା ପରେ ଅଧିକାଂଶ ନେତା ଦଳୀୟ କାମରେ ବିଶେଷ ଆଗ୍ରହ ପ୍ରକାଶ କରୁନଥିବା ଦେଖାଯାଉଛି। ଦୀର୍ଘ ୧୯ ବର୍ଷ ଧରି କ୍ଷମତା ବାହାରେ ରହିଥିବା କଂଗ୍ରେସ ପାଇଁ ନୂଆ ସଭ୍ୟ ସଂଗ୍ରହ କାଠିକର ପାଠ ହେବ ବୋଲି ଅଭିଜ୍ଞ ଲୋକେ ମତ ଦେଇଛନ୍ତି।

ଇତି ମଧ୍ୟରେ ବିଜେଡି ଓ ବିଜେପି ସେମାନଙ୍କ ସଭ୍ୟ ସଂଗ୍ରହ କାମ ହୁଏତ ଶେଷ କରିଛନ୍ତି କିମ୍ବା ଚାଲୁ ରଖିଛନ୍ତି। ବିଜେଡି ଏ ମାସ ୨ ତାରିଖରେ ଏହି କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବିଜେପିର ସଭ୍ୟ ସଂଗ୍ରହ ସମ୍ପୂର୍ଣ୍ଣ ହୋଇଛି।

LEAVE A REPLY

Please enter your comment!
Please enter your name here