ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପୁରୀ ମଠ ଉଚ୍ଛେଦରେ ଲାଗିଲା ରାଜନୀତିର ରଙ୍ଗ। ସରକାରଙ୍କୁ ଘେରିଲେ ବିରୋଧୀ ବିଜେପି ଏବଂ କଂଗ୍ରେସ। ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଆଗ ଥଇଥାନ, ପଛେ ଉଚ୍ଛେଦ ଦାବି କରିଥିବା ବେଳେ କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ସରକାରଙ୍କୁ କଳାପାହାଡ଼ କହି ଘେରିଛନ୍ତି।

ଏନେଇ ବିଜେଡିର କୌଣସି ନେତା ମୁହଁ ଖୋଲି ନାହାନ୍ତି। ହେଲେ ବିରୋଧୀଙ୍କ ଟାର୍ଗେଟରେ ସରକାର ଅଡୁଆରେ ପଡ଼ି ପାରନ୍ତି ବୋଲି କୁହାଯାଉଛି। ନିର୍ବାଚନ ପରେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିବା ପାଇଁ ମଠ ଉଚ୍ଛେଦକୁ ଅସ୍ତ୍ର କରିଛନ୍ତି।

ପ୍ରଶାସନ ଲୋକଙ୍କ ସହ ଆଲୋଚନା କରୁ – ବିଜେପି

‘‘ଆମେ ପ୍ରକଳ୍ପକୁ ବିରୋଧ କରୁନୁ। ଆମେ ଚାହୁଁଛୁ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେଉ। ବହୁ ପର୍ଯ୍ୟଟକ ପୁରୀ ଆସନ୍ତୁ। କିନ୍ତୁ ରାଜ୍ୟ ସରକାର ଯେଉଁ ପ୍ରକ୍ରିୟା ଆପଣାଇଛନ୍ତି ସେଥିରେ ଅସୁବିଧା ରହିଛି। ଲୋକଙ୍କ ଭରସାକୁ ଅକ୍ଷୁର୍ଣ୍ଣ ରଖି ପ୍ରଶାସନ ଏସବୁ କାମ କରିବା ଉଚିତ। ବି ପି ଦାସ କମିଶନ କ’ଣ ରିପୋର୍ଟ ଦେଇଛନ୍ତି ସେ ବିଷୟରେ ପ୍ରଶାସନ ବିଭିନ୍ନ ଆଖଡ଼ା ସମିତି, କାଉନ୍‌ସିଲର ଏବଂ ଅନ୍ୟମାନଙ୍କ ସହ ଆଲୋଚନା କରିବା ଦରକାର। ଉଠା ଦୋକାନୀମାନଙ୍କୁ ଆଗେ ଥଇଥାନ କରାଯାଉ। ସେମାନଙ୍କୁ ଉଚିତ କ୍ଷତିପୂରଣ ଦିଆଯାଉ’’, କହିଛନ୍ତି ସମ୍ବିତ ପାତ୍ର।

ସମ୍ବିତ ଆହୁରି କହିଛନ୍ତି ଯେ ମଠ ରହିଲେ ଆମ ସଂସ୍କୃତି ବଞ୍ଚିବ। ସାଧୁ ସନ୍ନ୍ୟାସୀ ରହିଲେ ଆମ ସଂସ୍କୃତି ରହିବ। ଏଥିପ୍ରତି ପ୍ରଶାସନ ଧ୍ୟାନ ଦେବା ଦରକାର।

ସମ୍ବିତ ପାତ୍ର ଆଜି ବଡ଼ ଆଖଡ଼ା ମଠ ଯାଇଥିଲେ। ମହନ୍ତ ହରି ନାରାୟଣ ମହାରାଜଙ୍କ ସହ ଆଲୋଚନା କରି ସରକାରଙ୍କ ଉପରେ ବର୍ଷିଥିଲେ।

ସେ ଆହୁରି କହିଥିଲେ, ‘‘ମୋଦି ସରକାର ଓଡ଼ିଶାକୁ ଅନୁଦାନ ଦେଉଛନ୍ତି। ପୁରୀର ବିକାଶ ପାଇଁ ମୋଦି ସରକାର ଚାହୁଁଛନ୍ତି। ଏଣୁ ରାଜ୍ୟ ସରକାର ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ଦେବାରେ ଅବହେଳା କରନ୍ତୁ ନାହିଁ।’’

ସମ୍ବିତଙ୍କ ପୂର୍ବରୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ବି ପି ଦାସ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି କରିଥିଲେ। ଶ୍ରୀକ୍ଷେତ୍ରକୁ ସରକାର କୁରୁକ୍ଷେତ୍ରରେ ପରିଣତ କରିଦେଉଥିବା ବିଜୟ ଅଭିଯୋଗ କରିଥିଲେ।

ରାଜ୍ୟ ସରକାର କଳାପାହାଡ଼ – କଂଗ୍ରେସ

ମଠ ଉଚ୍ଛେଦକୁ ନେଇ ରାଜ୍ୟ ସରକାରଙ୍କୁ କଳା ପାହାଡ଼ ସହ ତୁଳନା କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ।

ସେ କହିଛନ୍ତି, ‘‘ସରକାର କଳାପାହାଡ଼ ହୋଇ ମଠ ଭାଙ୍ଗନ୍ତୁ ନାହିଁ। ଯଦି ଭାଙ୍ଗିବେ ମହନ୍ତଙ୍କ ଲୁହରେ ଜଳିଯିବେ। ଜଗନ୍ନାଥଙ୍କ ନୀତି ସହ ମଠଗୁଡ଼ିକର ସଂସ୍କୃତି ଜଡ଼ିତ ରହିଛି। ଏହା ଉଚ୍ଛେଦ କରିବା ଠିକ୍‌ ନୁହେଁ।’’

ଗତ ତିନି ମାସ ତଳେ ଶେଷ ହୋଇଥିଲା ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ବିଜେଡି ୧୧୨ ଆସନ ପାଇଥିଲା। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ପଞ୍ଚମ ଇନିଂସ୍‌ ଆରମ୍ଭ କରିଥିଲା।

ପଞ୍ଚମ ପାଳି ସରକାରକୁ ୩ ମାସ ପୂରିଛି। ଏହି ୩ ମାସ ଭିତରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ଅସ୍ତ୍ର ନଥିଲା। ପୁରୀରେ ମଠ ଉଚ୍ଛେଦ ଏବେ ବିରୋଧୀଙ୍କ ପାଇଁ ବଡ଼ ରାଜନୀତିକ ଅସ୍ତ୍ର ପାଲଟି ଯାଇଥିବା କୁହାଯାଉଛି।

ଚତୁର୍ଥ ପାଳି ସରକାରରେ ନବକଳେବର ବିଭ୍ରାଟ ଏବଂ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ। ପଞ୍ଚମ ପାଳି ସରକାର ଆରମ୍ଭ ହେଉ ହେଉ ପୁରୀର ମଠ ଉଚ୍ଛେଦ ଏବେ ସରକାରଙ୍କୁ ଅଡୁଆରେ ପକାଇଛି। ସାଧୁସନ୍ଥଙ୍କ ସମେତ ବିରୋଧୀ ସରକାରଙ୍କୁ ସମାଲୋଚନା କରିବାକୁ ଆଗେଇ ଆସିଛନ୍ତି।

ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ପରେ ପ୍ରଶାସନ ପୁରୀରେ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା। ଉଚ୍ଛେଦ ଆରମ୍ଭରୁ କୌଣସି ବିଶୃଙ୍ଖଳା ଦେଖା ଦେଇ ନଥିଲା। ହେଲେ ଏମାର ମଠ ମହନ୍ତ ନୀରବ ପ୍ରତିବାଦ କରିବା ପରେ ହିଁ ରାଜନୀତି ତେଜିଥିଲା।

Comment