ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରିର ଝିଅ ହେଲେ ବିମାନ ପାଇଲଟ୍। ୭ ବର୍ଷର କଠିନ ତାଲିମ୍‌ ପରେ ମାଲକାନଗିରିର ଝିଅ ଅନୁପ୍ରିୟା ତାଙ୍କ ଜିଲ୍ଲାର ପ୍ରଥମ ମହିଳା ପାଇଲଟ ହେବାର ଗୌରବ ଅର୍ଜନ କରିଛନ୍ତି।

ଓଡ଼ିଶା ପୋଲିସରେ ହାବିଲଦାର କାମ କରୁଥିବା ମାରିନିୟସ ଲାକ୍ରା ଓ ତାଙ୍କ ପତ୍ନୀ ଜାମାଜ୍ ୟାସମିନ୍ ଲାକ୍ରାଙ୍କ ଝିଅ ହେଉଛନ୍ତି ଅନୁପ୍ରିୟା। ସେମିଳିଗୁଡ଼ା ଜୀବନଜ୍ୟୋତି ବିଦ୍ୟାଳୟରୁ ନିଜର ଯୁକ୍ତ ଦୁଇ ପାଠ ପଢିସାରିବାପରେ ଅନୁପ୍ରିୟା ଭୁବନେଶ୍ୱରର ଏକ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଥିଲେ।

ହେଲେ ପାଇଲଟ ହେବାର ନିଶାରେ ସେ ଇଞ୍ଜିନିୟରିଂ ପାଠ ଅଧାରୁ ଛାଡ଼ି ଏକ ଇନଷ୍ଟିଚ୍ୟୁଟରେ ପାଇଲଟ୍ ତାଲିମ୍ ପାଇଁ ଆବେଦନ କରିଥିଲେ ଅନୁପ୍ରିୟା। ଏହାପରେ ଅନୁପ୍ରିୟା ଦିଲ୍ଲୀ, ବେଙ୍ଗାଳୁରୁ ଓ ମୁମ୍ବାଇ ଯାଇ ବିଭିନ୍ନ ସ୍ଥାନରେ ପ୍ରବେଶିକା ପରୀକ୍ଷା ଦେଇଥିଲେ।

ପ୍ରବେଶିକା ପରୀକ୍ଷାରେ ଯୋଗ୍ୟ ବିବେଚିତ ହେବା ପରେ ୨୦୧୨ ମସିହାରେ ଭୁବନେଶ୍ୱରର ଏକ ପାଇଲଟ ତାଲିମ କେନ୍ଦ୍ରରେ ତାଙ୍କର ତାଲିମ୍ ଆରମ୍ଭ ହୋଇଥିଲା। ଚଳିତ ମାସରେ ତାଙ୍କର ତାଲିମ ଶେଷ ହେବା ପରେ ତାଙ୍କୁ ଏକ ଘରୋଇ କମ୍ପାନୀରେ କୋ-ପାଇଲଟ ଭାବରେ ନିଯୁକ୍ତି ମିଳିଛି।

ରାଜ୍ୟର ମାଓ ଅଧୁଷିତ ଅଞ୍ଚଳରୁ ପାଇଲଟ ହୋଇଥିବା ଏହି ଝିଅଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, “ମାଲକାନଗିରି ଜିଲ୍ଲାର ଝିଅ ଅନୁପ୍ରିୟା ଲାକ୍ରାଙ୍କ ସଫଳତା ବିଷୟରେ ଜାଣି ମୁଁ ବହୁତ ଖୁସି। ନିଷ୍ଠାପର ଉଦ୍ୟମ ବଳରେ ସେ ହାସଲ କରିଥିବା ସଫଳତା ଅନେକଙ୍କ ପାଇଁ ଉଦାହରଣ। ଜଣେ ଦକ୍ଷ ପାଇଲଟ ଭାବେ ଆଗାମୀ ଦିନରେ ସେ ଆହୁରି ସୁନାମ ଅର୍ଜନ କରନ୍ତୁ। ତାଙ୍କୁ ମୋର ଶୁଭେଚ୍ଛା।”

Comment