ଭାସ୍କର ପରିଚ୍ଛା

ଚନ୍ଦ୍ର ପୃଷ୍ଠରେ ବହୁମୁଖୀ ଯାନକୁ  ଅବତରଣ କରାଇବା ପାଇଁ ଭାରତ ଯେଉଁ ଉଦ୍ୟମ କରିଥିଲା ତାହା ମୂଳ ଯୋଜନା ମୁତାବକ ସମ୍ଭବ ହୋଇ ପାରିନାହିଁ। ଏହାକୁ ନେଇ ଢେର ଆଲୋଚନା ଓ ବିତର୍କ ବି ଚାଲିଛି।

ବିଜ୍ଞାନରେ ସଫଳତା ଓ ବିଫଳତା ଏକ ଧରାବନ୍ଧା କଥା, ମହାକାଶ ବିଜ୍ଞାନରେ ତ ଏହା ଆହୁରି ସତ। ତେବେ ମହାକାଶ ଗବେଷଣା କଥା ଯେତେବେଳେ ଉଠେ ତ୍ରୁଟି ଓ ବିଫଳତାକୁ ଅନେକ ସମୟରେ ଅତିରଞ୍ଜିତ କରି ଦେଖାଯାଏ। କାରଣ ଏହା ସର୍ବସାଧାରଣଙ୍କ ଦୃଷ୍ଟିରେ ସଂଘଟିତ ହୋଇଥାଏ। ଚନ୍ଦ୍ରଯାନ-୨ କ୍ଷେତ୍ରରେ ସେୟା ହିଁ ହୋଇଛି। ତେବେ ଏକଥା ମାନିବାକୁ ହେବ ଯେ ଚନ୍ଦ୍ରଯାନ ମିଶନର ବହୁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଭିତରୁ ଯାନକୁ ଅବତରଣ କରାଇବା ଗୋଟିଏ ଲକ୍ଷ୍ୟ ମାତ୍ର। ଅବଶ୍ୟ ଏଇଟି ହିଁ ସବୁଠାରୁ ଦୃଶ୍ୟମାନ ଘଟଣା ଥିଲା ଓ ଏଇଠି ହିଁ ଇସ୍ରୋର ସମସ୍ତ ଉଦ୍ୟମ ବିଫଳ ହୋଇଥିଲା।

ଅଧିକାଂଶ  ମହାକାଶ ବିଜ୍ଞାନୀ ଯେଉଁମାନେ ଇସ୍ରୋ ସହିତ ଜଡ଼ିତ ନୁହଁନ୍ତି ସେମାନଙ୍କ କହିବା କଥା ଯେ ବିକ୍ରମ ଲ୍ୟାଣ୍ଡର ଆଶାନୁରୂପ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇ ନପାରିବା ମାତ୍ର ଗୋଟିଏ ବିଫଳତା, ଏଥିରେ ଆହୁରି ଅନେକ ବଡ଼ ବିଜ୍ଞାନ ରହିଛି। ସବୁଠାରୁ ବଡ଼ ଓ ଆଶ୍ୱାସନାମୂଳକ କଥା ହେଉଛି ଅର୍ବିଟରଟିର କୌଣସି କ୍ଷତି ହୋଇନାହିଁ ଓ ଯେମିତି ପରିକ୍ରମଣ କରିବା କଥା ସେ ତାହା କରୁଛି।

ଚନ୍ଦ୍ରଯାନ-୨ର ମୂଳ ଯୋଜନା ଥିଲା ଅର୍ବିଟର ଓ ଲ୍ୟାଣ୍ଡର ଦୁହେଁ ମିଶି ଚନ୍ଦ୍ର ପୃଷ୍ଠରୁ ଡାଟା ସଂଗ୍ରହ କରିଥାନ୍ତେ, ତାହା ପୁଣି ମାତ୍ର ଚଉଦ ଦିନ ପାଇଁ। ଇସ୍ରୋର ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଅର୍ବିଟରଟି ନିହାତି କମରେ ଗୋଟିଏ ବର୍ଷ କାମ କରିବ। ଅର୍ବିଟରର ୧୪ଟି ମଧ୍ୟରୁ ୮ଟି ଯନ୍ତ୍ରପାତି ଠିକ୍ କାମ କରୁଥିବା ବି ପରିଲକ୍ଷିତ ହୋଇଛି।

ଏହି ମିଶନ ପଛରେ ବଡ଼ ବିଜ୍ଞାନ କଥା ଯାହା ଉପରେ ଉଲ୍ଲେଖ କରାଯାଇଛି ତାହା ହେଲା ପାଣିର ସନ୍ଧାନ। ଚନ୍ଦ୍ରଯାନର ମୂଳ ଲକ୍ଷ୍ୟ ଥିଲା ଚନ୍ଦ୍ର ପୃଷ୍ଠରେ ଜଳର ଉପସ୍ଥିତିକୁ ଜାଣିବା। ଏଣୁ ମୁଖ୍ୟ ଯନ୍ତ୍ରଟି ବାଟ ହୁଡ଼ିବାର ଅର୍ଥ ନୁହେଁ ଏସବୁ ମୂଳ ଲକ୍ଷ୍ୟରୁ ଚନ୍ଦ୍ର ମିଶନ ଦୂରେଇ ଯାଇଛି କିମ୍ବା ଦୂରେଇ ଯିବା ଉଚିତ।

ସମସ୍ୟାଟି ହେଉଛି ଆଜିର ଦିନରେ ମହାକାଶ ବିଜ୍ଞାନ ଅଧିକାଂଶତଃ ସଫଳତା ବା ଦକ୍ଷତାର ବିଜ୍ଞାନ ହୋଇ ପଡ଼ିଛି। ମିଶନ ସଫଳ ହେଲା ତ ପ୍ରଶଂସା ନହେଲେ ନିନ୍ଦା। ସବୁଠାରୁ ବଡ଼ କଥା ହେଉଛି, ଟେକ୍ନୋଲଜି ଆସିବା ପରେ ମହାକାଶ କାର୍ଯ୍ୟକ୍ରମକୁ ନେଇ ଲୋକଙ୍କ ଅଭିପ୍ସା ବହୁତ ବଢି ଚାଲିଛି ଓ  ଅନୁରକ୍ତି ବି ସେଇ ପରିମାଣରେ ବୃଦ୍ଧି ପାଇଛି। ଚନ୍ଦ୍ରଯାନ ସହିତ ଶହେ କୋଟି ଲୋକଙ୍କର  ଇମୋସନ ଏତେ ପରିମାଣରେ ଜଡ଼ିତ ହୋଇ ଯାଇଥିଲା ଯେ ସେଥିରୁ ହଟିବା କଷ୍ଟକର ହୋଇଥିଲା। ଆଉ ଏହି ଅତି -ଆଶାବାଦ ଓ ହାଇପ ହିଁ ବୈଜ୍ଞାନିକମାନଙ୍କ ପାଇଁ ବିପଦର କାରଣ ହୋଇଥାଏ। ଇସ୍ରୋ ଭଳି ସଂସ୍ଥା ଏହିସବୁ ଜଟିଳତାକୁ କେବେବି ସାମ୍ନା କରିପାରିବ ନାହିଁ, ଶନିବାର ଭୋର ସମୟରେ ଆମେ ସେୟା ହିଁ ଦେଖିଲେ।

ସେହି ସମୟରେ ଯେଉଁ ବିଫଳତାର ଖବର ଆସିଲା ଓ କାର୍ଯ୍ୟରତ ବୈଜ୍ଞାନିକମାନେ ଯେଉଁଭଳି ହତବାକ ହୋଇ ପଡ଼ିଥିଲେ ତାହା ବାସ୍ତବରେ ଏକ କରୁଣ ସ୍ଥିତି ସୃଷ୍ଟି କରିଥିଲା। ଏଣୁ ଆବଶ୍ୟକ ହେଉଛି ଇସ୍ରୋ ତାର ସୂଚନା ଓ ଲୋକ ସମ୍ପର୍କ କୌଶଳକୁ ଅଧିକ ସୁଦୃଢ କରିବା ଦରକାର ଯାହା ଫଳରେ କି ସଫଳତା ଓ ବିଫଳତାକୁ ସମାନ ଭାବେ ସାମ୍ନା କରାଯାଇ ପାରିବ। ଅବଶ୍ୟ ଇସ୍ରୋ ପକ୍ଷରୁ ଚନ୍ଦ୍ର ଯାନ ପଠାଇବା ପୂର୍ବରୁ ଢେର ପରିମାଣରେ ଲୋକ ସମ୍ପର୍କ କାମ କରାଯାଇଥିଲା। ମିଶନ ପକ୍ଷରୁ ବିଭିନ୍ନ ପ୍ରକାର ଭିଡିଓ ଛଡ଼ା ଯାଇଥିଲା, କୁଇଜ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଓ ଜନସାଧାରଣଙ୍କ ଭିତରେ ଚନ୍ଦ୍ର ଓ ମହାକାଶ ବିଜ୍ଞାନଙ୍କୁ ନେଇ ଏକ ଅନୁସନ୍ଧିତ୍ସାର ବତାବରବଣ ସୃଷ୍ଟି କରାଯାଇଥିଲା। ତେବେ ଏହା ଖେଳର ଗୋଟିଏ ଦିଗ ମାତ୍ର।

ଅନ୍ୟ ଦିଗଟି ହେଉଛି ଲ୍ୟାଣ୍ଡର ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ନପାରିବା ପରେ  ତ୍ରୁଟି କେଉଁଠି ରହିଲା ତାହା ଇସ୍ରୋର ବୈଜ୍ଞାନିକମାନେ ମାନିବାକୁ ରାଜି ନଥିଲେ। ଏପରିକି  କଣ ପ୍ରକୃତରେ  ଘଟିଲା ତାର କୌଣସି ଟେର ବି ସେମାନେ ପାଇନଥିଲେ। ‘ଲ୍ୟାଣ୍ଡର ସହିତ ଯୋଗାଯୋଗ ବିଛିନ୍ନ ହୋଇଛି ଓ ତା ସହିତ ସମ୍ପର୍କ ସ୍ଥାପନ ପାଇଁ ଉଦ୍ୟମ ଜାରି ରହିଛି’ ଏତିକି ମାତ୍ର  କୁହାଗଲା। ପରେ ଅବଶ୍ୟ କୁହାଗଲା ଯେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡରକୁ ଠାବ କରାଯାଇଛି।

ଏକଥା କାହାକୁ ଅଜଣା ନାହିଁ ଯେ ବିକ୍ରମ ନିର୍ଦ୍ଧାରିତ ସମୟରେ ସଫ୍ଟ ଲାଣ୍ଡିଙ୍ଗ କରି ନପାରିବା ପଛରେ କାରଣ ହେଉଛି ଏହାର ବେଗ। ଯାହା ଖବର ଆସୁଛି,ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ବେଳକୁ ଲ୍ୟାଣ୍ଡରର ଗତି  ଏତେ ବେଶୀ  ଥିଲା ଯେ ତାକୁ ସମ୍ଭାଳିବା ଗ୍ରାଉଣ୍ଡ ଷ୍ଟେସନରେ ସମ୍ଭବ ନଥିଲା। ଏହାର ଅର୍ଥ ଲ୍ୟାଣ୍ଡରଟି ସଫ୍ଟ ଲାଣ୍ଡିଙ୍ଗ ପୂର୍ବରୁ ଦ୍ରୁତ ଗତିରେ ମାଡ଼ି ଚାଲିଥିଲା। ଲ୍ୟାଣ୍ଡରଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି କି ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି ବା ଏହାର କିଛି କ୍ଷତି ଘଟି ନାହିଁ ଓ ପୁନର୍ବାର  ଯୋଗାଯୋଗ ସ୍ଥାପନ ସମ୍ଭବ ଏସବୁ ବିଷୟ ପରବର୍ତ୍ତୀ ସମୟରେ ଜଣାପଡ଼ିବ।

ତେବେ କହିବାର କଥା ହେଉଛି ଆମେ  ସଫଳତାର ଶ୍ରେୟ ନେବାକୁ ଯେଉଁଭଳି ଆତୁର, ଭୁଲ ତ୍ରୁଟିକୁ ମାନିବା ପାଇଁ ମଧ୍ୟ ସେଭଳି ଆତୁରତା ପ୍ରଦର୍ଶନ କରିବା ଦରକାର। ବର୍ତ୍ତମାନ ସ୍ଥିତିରେ କେବଳ ଏତିକି ଆଶା କରିବା କଥା ଇସ୍ରୋର ବୈଜ୍ଞାନିକ ମାନେ ଅତୀତର ବିଫଳତାକୁ ପଛରେ ପକାଇ ଆଗକୁ ଆଗକୁ ମାଡି ଚାଲିବେ।

(ଲେଖକ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

LEAVE A REPLY

Please enter your comment!
Please enter your name here