ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାଘର ପରେ କ୍ୟାରିୟର କରିବା ଏକ ଖୁବ୍ ବଡ଼ ନିଷ୍ପତ୍ତି ଉଭୟ ପୁଅ ଏବଂ ଝିଅ ପାଇଁ। ବାହାଘର ପରେ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିଥାଏ। ଏପରିସ୍ଥଳେ କିଛି କଥା ପ୍ରତି ଧ୍ୟାନ ଦେଲେ ଆପଣ ଆଗକୁ ବଢିପାରିବେ।
ଆଲୋଚନା କରନ୍ତୁ: ବିବାହ ପରେ ନିଜର ସାଥୀଙ୍କ ସହ କ୍ୟାରିୟର ସଂପର୍କରେ ଆଲୋଚନା କରନ୍ତୁ। ଆପଣ ଯଦି କୌଣସି କମ୍ପାନିରେ ମାର୍କେଟିଂ ବିଭାଗରେ କାମ କରୁଛନ୍ତି। ତା’ହେଲେ ଆପଣଙ୍କୁ ବେଶ୍ କିଛି ସମୟ ବାହାରେ ରହିବାକୁ ପଡ଼ିବ। ଏପରିସ୍ଥଳେ ଆପଣ ସାଥୀଙ୍କୁ ଆରମ୍ଭରୁ ଅଫିସ୍ରେ ଆପଣଙ୍କର ଦାୟିତ୍ୱ ସଂପର୍କରେ ବୁଝାଇଦେଲେ ଆଉ ଅଧିକ ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ। ଆବଶ୍ୟକସ୍ଥଳେ ପରିବାରର ଅନ୍ୟ ସଦସ୍ୟଙ୍କର ମତାମତ ବା ପରାମର୍ଶ ନେଇ ପାରନ୍ତି।
କାମ ବାଣ୍ଟନ୍ତୁ: ବାହାଘରର ବ୍ରେକ୍ ପରେ ଝିଅମାନେ କର୍ମକ୍ଷେତ୍ରରେ ଯୋଗ ଦେଲେ ପ୍ରଥମେ ଟିକିଏ ଅସୁବିଧାର ସାମ୍ନା କରିଥାନ୍ତି। ଗୋଟିଏ ପଟେ ଏକ ନୂଆ ଜାଗାରେ ନିଜକୁ ଆଡଜଷ୍ଟ୍ କରିବା ଲାଗି ସମୟ ଲାଗୁଥିବାବେଳେ ଅନ୍ୟପଟେ ଅଫିସ୍କୁ ଟାଇମ୍ ଦେବା କଷ୍ଟକର ହୋଇପଡ଼ିଥାଏ। ଏପରିସ୍ଥଳେ ଘରର ସବୁକାମକୁ ନିଜେ ଜାବୁଡ଼ି ଧରି ବସନ୍ତୁ ନାହିଁ। ପରିବାର ଲୋକଙ୍କ ସହ ଆଲୋଚନା କରି ଘର କାମକୁ ବାଣ୍ଟି ଦିଅନ୍ତୁ। ସ୍ୱାମୀଙ୍କ ସହ ଏକୁଟିଆ ରହୁଥିଲେ ତାଙ୍କୁ ନିଜ ଦାୟିତ୍ୱ ନିଜେ ନେବା ଶିଖାନ୍ତୁ।
ପରିବାରକୁ ସମୟ ଦିଅନ୍ତୁ: ଆପଣ ନିଜେ ଖୁସିରେ ରହିଲେ ଯାଇ କ୍ୟାରିୟରରେ ଆଗକୁ ଯାଇପାରିବେ। ତେଣୁ ଯଥାସମ୍ଭବ ଖୁସିରେ ରହିବା ସହ ପରିବାରକୁ କ୍ୱାଲିଟି ସମୟ ଦେବାକୁ ଚେଷ୍ଟା କରନ୍ତୁ। ଅଫିସ୍ରେ ସମସ୍ୟାକୁ ଘରେ ଆଲୋଚନା କରନ୍ତୁ ନାହିଁ। ଏପରିକି ପତି-ପତ୍ନୀ ଉଭୟ ଗୋଟିଏ ଅଫିସ୍ରେ କାମ କରୁଥିଲେ ମଧ୍ୟ ଅଫିସ୍ କଥା ଆଲୋଚନା କରିବା କଥା ନୁହେଁ। ଛୁଟିଦିନକୁ ପରିବାର ଲୋକଙ୍କ ସହ ସମୟ କାଟନ୍ତୁ।


















