ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୬୯ ତମ ଜନ୍ମଦିନକୁ ଧୁମ୍ଧାମ୍ରେ ପାଳନ କରିଛି ବିଜେପି। ଏହି ଅବସରରେ ରାଜ୍ୟ ବିଜେପି ପକ୍ଷରୁ ସତ୍ୟନଗରସ୍ଥିତ ଉତ୍କଳ ଦୃଷ୍ଟିହୀନ ସଂଘଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରାଯାଇଥିଲା। ରାଜ୍ୟ ବିଜେପି ନେତୃବୃନ୍ଦ ମୋଦିଙ୍କ ଜନ୍ମଦିନ ଅବସରରେ ଛେନାପୋଡ଼ କାଟିଥିଲେ। ଛାତ୍ରଛାତ୍ରୀଙ୍କୁ ଚକୋଲେଟ ବାଣ୍ଟିଥିଲେ।
ମୋଦୀଙ୍କ ଜନ୍ମ ସପ୍ତାହକୁ ‘ସେବା ସପ୍ତାହ’ ଭାବେ ପାଳନ କରିଥିଲା ବିଜେପି। ଓଡ଼ିଶାରେ ଏହି ସପ୍ତାହକୁ ଶୁଭାରମ୍ଭ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଞ୍ଜିତ ଦାସ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଥରେ ମାତ୍ର ବ୍ୟବହୃତ ହେଉଥିବା ତଥା ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ ଓ ଜଳ ସଂରକ୍ଷଣ ପାଇଁ ଶପଥ ପାଠ କରାଇଥିଲେ। ଏଥିସହ ବୃକ୍ଷ ରୋପଣ, ଟ୍ରାଫିକ ନିୟମ ପାଳନ, ସୌରଶକ୍ତି ବ୍ୟବହାର, ସ୍ୱଚ୍ଛତା, ଗରୀବ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେବା ପାଇଁ ମଧ୍ୟ ସଂକଳ୍ପ ନିଆଯାଇଥିଲା।
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଜନ୍ମଦିନ ଉତ୍ସବ କାର୍ଯ୍ୟକ୍ରମରେ ରାଜ୍ୟ ସଂପାଦିକା ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର, ବିଜେପି ନେତା ରିଷଭ ନନ୍ଦ, ମନୋରଞ୍ଜନ ସ୍ୱାଇଁ, ରଶ୍ମି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

















