ଓଡ଼ିଶାଲାଇଭ୍ ବ୍ୟୁରୋ

ଗିରଫ ମଙ୍ଗୁଳିଙ୍କ ମୃତ୍ୟୁ ପରେ ପଟ୍ଟାମୁଣ୍ଡାଇରେ ଝଡ଼। ଥାନା ଆଗରେ ପରିବାର ଲୋକଙ୍କ ଧାରଣା।

କେନ୍ଦ୍ରାପଡ଼ା: ‘‘ମୋ’ ସ୍ୱାମୀଙ୍କୁ ଦିନ ଦିପହରୁ ପୋଲିସ ଝରୁ ଉଠାଇ ଆଣିଛି। ଏଯାଏଁ ତାଙ୍କର ପତ୍ତା ମିଳୁନି। ମୋ’ ସ୍ୱାମୀଙ୍କୁ ପୋଲିସ ପିଟି ପିଟି ମାରିଦେଇଥିବା ସନ୍ଦେହ ହେଉଛି।’’

ପଟ୍ଟାମୁଣ୍ଡାଇ ପୋଲିସ ନାଁରେ ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ଚିନ୍ମୟୀ। କେନ୍ଦ୍ରାପଡା ଏସ୍‌ପି ଓ ପଟ୍ଟାମୁଣ୍ଡାଇ ଏସଡିପିଓଙ୍କ ନିକଟରେ ଏହି ଅଭିଯୋଗ ହୋଇଛି।

ବୁଧବାର ଅପରାହ୍ନ ୧ଟା। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅରଡପଲ୍ଲୀ ଗାଁରେ ପହଞ୍ଚିଲା ପୋଲିସ। ଏହି ଗାଁର ସୁଶାନ୍ତ ଓରଫ ମଙ୍ଗୁଳି ବେହେରାଙ୍କୁ ବାଇକରେ ବସାଇ ଥାନାକୁ ନେଇ ଆସିଥିଲା। ମଙ୍ଗୁଳି କୁଆଡେ ଚୋରାମଦ ବିକୁଥିବା ଅଭିଯୋଗ ଥିଲା। ପ୍ରାୟ ଏକ ଘଣ୍ଟା ପରେ ପୋଲିସ ମଙ୍ଗୁଳିଙ୍କୁ ମୁର୍ମୁସୁ ଅବସ୍ଥାରେ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ପହଞ୍ଚାଇଥିଲା ପୋଲିସ। ଡାକ୍ତର ମଙ୍ଗୁଳିଙ୍କୁ ପ୍ରାଥମିକ ଚିକିତ୍ସା ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ରେଫର କରିଥିଲେ।  ପୋଲିସ ମଙ୍ଗୁଳିଙ୍କୁ କେନ୍ଦ୍ରାପଡା ଡାକ୍ତରଖାନାକୁ ନନେଇ ସିଧାସଳଖ କଟକ ନେଇଯାଇଥିଲା। କଟକ ଡାକ୍ତରଖାନାରେ ମଙ୍ଗୁଳି ପହଞ୍ଚିବା ବେଳକୁ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହାକୁ ନେଇ ଏବେ ପଟ୍ଟାମୁଣ୍ଡାଇ ଉଠୁଛି ପଡୁଛି।

ମଙ୍ଗୁଳିଙ୍କ ମୃତ୍ୟୁ ଘଟଣା ସମ୍ପର୍କରେ ତାଙ୍କ ପରିବାରକୁ ପୋଲିସ ଜଣାଇ ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଥାନାରେ ମଙ୍ଗୁଳିଙ୍କର ଦେହ ହଠାତ ଖରାପ ହେବାରୁ ତାଙ୍କୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଖବର ପାଇଥିଲେ ପରିବାର ଲୋକେ। ପଟ୍ଟାମୁଣ୍ଡାଇ ଡାକ୍ତର ମଙ୍ଗୁଳିଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିବା କଥା ପଟ୍ଟାମୁଣ୍ଡାଇ ଡାକ୍ତରଖାନାରୁ ଜାଣିବାକୁ ପାଇଥିଲେ। ପରିବାର ଲୋକେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଖୋଜାଖୋଜି କରି ମଙ୍ଗୁଳିଙ୍କ ପତ୍ତା ପାଇନଥିଲେ। ସୁସ୍ଥ ଥିବା ମଙ୍ଗୁଳିଙ୍କୁ ପୋଲିସ ଥାନାକୁ ଆଣିଥିବା ଓ ତାଙ୍କର ପତ୍ତା ମିଳୁନଥିବା ଖବର ପରିବାର ଲୋକଙ୍କୁ ଦ୍ଵନ୍ଦ୍ୱରେ ପକାଇଛି। ପରେ ମଙ୍ଗୁଳିଙ୍କର ମୃତ୍ୟୁ ଖବର ଜଣାପଡିବାରୁ ଏବେ ପୋଲିସ ଉପରକୁ ସନ୍ଦେହର ଅଙ୍ଗୁଳି ଉଠିଛି।

ପୋଲିସ ତାଙ୍କ ସ୍ଵାମୀଙ୍କୁ ଥାନାକୁ ଆଣି ପିଟିପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମଙ୍ଗୁଳିଙ୍କ ସ୍ତ୍ରୀ ଚିନ୍ମୟୀ। ଶ୍ଵଶୁର, ଦିଅର ଓ ଦୁଇ ପୁଅ ଝିଅଙ୍କୁ ଧରି ଚିନ୍ମୟୀ ପଟ୍ଟାମୁଣ୍ଡାଇ ଥାନା ପରିସରରେ ଧାରଣା ଦେଇଛନ୍ତି। ଏଭଳି ଘଟଣା ଶୁଣି ଶତାଧିକ ଗ୍ରାମବାସୀମାନେ ଥାନା ସମ୍ମୁଖରେ ପୋଲିସ ବିରୋଧରେ ନାରାବାଜି କରିଛନ୍ତି। ଏହି ଘଟଣାରେ ପୋଲିସ ନିର୍ଦ୍ଦୋଶ ବୋଲି କେନ୍ଦ୍ରାପଡା ଏସ୍ ପି ନିତିଶେଖର ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ପୋଲିସ ମଙ୍ଗୁଳିଙ୍କ ଦେହରେ ହାତ ଦେଇନଥିବା ସେ କହିଛନ୍ତି। ଏହାର ଚିତ୍ର ସିସିଟିଭିରେ ରହିଛି।

ଏସ୍‌ପି କହିଛନ୍ତି, ‘‘ମଙ୍ଗୁଳିଙ୍କୁ ଗିରଫ କରାଯିବା ପରେ ତାଙ୍କର ଦେହ ହଠାତ ଖରାପ ହୋଇପଡିବାରୁ ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଓ ପରେ କଟକ ବଡ ଡାକ୍ତରଖାନାକୁ ପୋଲିସ ନେଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ୨୦ ତାରିଖରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ।’’

ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପଟ୍ଟାମୁଣ୍ଡାଇ ଥାନା ଓ ସହରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଜିଲ୍ଲାର ସମସ୍ତ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ପଟ୍ଟାମୁଣ୍ଡାଇ ଡକାଇ ଆଣିଛନ୍ତି ଏସ୍‌ପି। ଏବେ ସାରା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି।

Comment